ପଶ୍ଚିମ ଓଡ଼ିଶା ଇତିହାସ କଂଗ୍ରେସର ଆଲୋଚନାଚକ୍ର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ବିଶିଷ୍ଟ ଐତିହାସିକ ପ୍ରଫେସର ନବୀନ କୁମାର ସାହୁଙ୍କ ଜନ୍ମ ଶତବାର୍ଷିକ ପାଳନ ଅବସରରେ ପଶ୍ଚିମ ଓଡ଼ିଶା ଇତିହାସ କଂଗ୍ରେସ ତରଫରୁ “ଓଡ଼ିଶା ଇତିହାସକୁ ନବୀନ କୁମାର ସାହୁଙ୍କ ଅବଦାନ” ଶୀର୍ଷକ ଅନଲାଇନ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଐତିହାସିକ ବାବା ମିଶ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିବା ବେଳେ ବିଶିଷ୍ଟ ଐତିହାସିକ ପ୍ରଫେସର ଅମୀୟ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଓ ଓଡ଼ିଶା ଇତିହାସ କଂଗ୍ରେସର ପୂର୍ବତନ ସଭାପତି ଡ଼. ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ମହିମାମଣ୍ଡିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଡ଼ଃ. ତ୍ରିଲୋଚନ ଜେନା ସ୍ୱାଗତ ସମ୍ଭାଷଣ ପ୍ରଦାନ ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ନିଜ ଅଭିଭାଷଣରେ ପ୍ରଫେସର ନବୀନ କୁମାର ସାହୁଙ୍କ ଓଡ଼ିଶା ଇତିହାସ ଓ ପ୍ରତ୍ନତତ୍ତ୍ୱ ଗବେଷଣାର ବିଭିନ୍ନ ଦୃଷ୍ଟିକୋଣ ସମ୍ପର୍କରେ ଆଲୋଚନା କରିଥିଲେ। ସଭାପତି ବାବା ମିଶ୍ର, ନବୀନ କୁମାର ସାହୁଙ୍କ ଓଡ଼ିଶା ଇତିହାସକୁ ଅବଦାନ ତଥା ପଶ୍ଚିମ ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ଗବେଷଣା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣାର ଆସିଷ୍ଟାଣ୍ଟ ପ୍ରଫେସର ନଳିନୀ ବାଗ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସୁପ୍ରଭା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଶତାଧିକ ଅଂଶଗ୍ରହଣକାରୀ ସକ୍ରିୟ ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.