ଭଙ୍ଗା କୁଡ଼ିଆରେ ବିତୁଛି ଦିନ, ସୁବାସିନୀଙ୍କ ପାଇଁ ଆବାସ ଯୋଜନା ସାତ ସପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ସୀମାରେଖା ତଳେ ଓ ଝାଟିମାଟି ଘରେ ରହୁଥିବା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ପକ୍କା ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା କରିଛନ୍ତି । କିନ୍ତୁ ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ଦେଖାଯାଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରୀ ପଞ୍ଚାୟତ ତୁମୁରା ଗ୍ରାମର ବଡଭୁଇଁରେ । ଏହି ଗାଁର ବିଧବା ମହିଳା ସୁବାସିନୀ ପଣ୍ଡା ନିଜର ଦୁଇ ଅବିବାହିତା ଝିଅ ପୁଅ ସହ ଭଙ୍ଗା ଦଦରା କୁଡିଆରେ ରହି ଆସୁଛନ୍ତି । ତାଙ୍କର ମାଟି କାନ୍ଥ ଉପରେ ପଡିଛି ପାଳ କେରାଏ ତ ଆଉ କେଉଁଠି ଚିରା ଫଟା ପଲିଥିନ ସ୍ଥାନେ ସ୍ଥାନେ ରହିଛି । କେଇ ଖଣ୍ଡ ଖପର ସାମାନ୍ୟ ବର୍ଷା ହେଲେ ଘର ଭିତରେ ପସିଯାଉଛି ପାଣି । କାନ୍ଥ ଗୁଡିକ ଅନେକ ସ୍ଥାନରେ ପାଣି ଝରି କାଦୁଅ ପଚପଚ ଚଟାଣ ଏଭଳି ଅବସ୍ଥାରେ ଜୀବନ ବିତାଉଛନ୍ତି ସୁବାସିନୀଙ୍କ ପରିବାର । ଦୁଃଖର ବିଷୟ ତାଙ୍କୁ ଦୀର୍ଘ ଦୁଇ ବର୍ଷ ହେବ ଗୋଟିଏ ଗୁହାଳ ମିଳିଥିଲା ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର ବିଲ ହୋଇନି କିମ୍ବା ଏହି ଗରିବ ପରିବାରକୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ପ୍ରଶାସନିକ ଅଧିକାରୀ ମାନଙ୍କ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି ଏହି ପରିବାର । ଭାଗ୍ୟକୁ ଆଦରି ଭଙ୍ଗା ଘରରେ ପରିବାର ସହ ପଡିରହିଛନ୍ତି । କେତେବେଳେ ଯେ, ଘର ଭୁଶୁଡି ଯିବ କହିବା ମୁସ୍କିଲ ତା’ ପୂର୍ବରୁ ବ୍ଲକ ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ସୁବାସିନୀ ପଣ୍ଡାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ ପାଇଁ ଦାବି ହୋଇଛି। ଏହି ଗରିବ ପରିବାର ପାଖରେ ମାଟି କାନ୍ଥ ଉପରେ ଛପର କରିବାକୁ ମଧ୍ୟ ପଇସା ନାହିଁ ବର୍ଷାରୁ ମୁକ୍ତି ପାଇବା ଲାଗି, ଯାହା ପାଇଛନ୍ତି ଉପରେ ଛାଉଣୀ କରିଛନ୍ତି । ବର୍ଷା ହେଲେ ସେମାନଙ୍କୁ ଅନେକ ସମୟରେ ଉଜାଗର ରହିବାକୁ ପଡୁଛି, ନା ଶୋଇ ପାରୁଛନ୍ତି ନା ବସି ପାରୁଛନ୍ତି ।ସନ୍ତ ସନ୍ତିଆ ପରିବେଶରେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ପୁରା ପରିବାର ବୋଝ ସୁବାସିନୀଙ୍କ ଉପରେ । କେବଳ ରାସନକାର୍ଡରେ ମିଳୁଛି ୧୫ କେଜି ଚାଉଳ ଏମିତିକି ଆବାସ ଖଣ୍ଡେ ପାଇଁ ଆଗରୁ ବହୁତ ଥର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଧାଇଁଛନ୍ତି କେହି ହେଲେ ସେମାନଙ୍କ ଦୁଃଖ ଶୁଣୁନାହାନ୍ତି । ସୁବାସିନୀ ଅନେକ ଥର ନେହୁରା ହୋଇଛନ୍ତି ପ୍ରଶାସନ ଘର ଖଣ୍ଡିକ ପାଇଁ କିନ୍ତି ତାଙ୍କ ଦୁଃଖ ଆଜି ପର୍ଯ୍ୟନ୍ତ କେହି ବୁଝି ନାହାନ୍ତି । ବର୍ତ୍ତମାନ ଦେଖିବାକୁ ରହିଲା ଆଉ କେତେ ଦିନ ପରେ ପ୍ରଶାସନର ଆଖି ଖୋଲିବ ଓ ଏହି ପରିବାରକୁ ପକ୍କା ଘରଟିଏ ମିଳିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.