ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ଓଡ଼ିଆ ବାର୍ତ୍ତା/ ପୁରୀ: ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ବଳରାମ ଜନ୍ମ ନିତି ସହ ରକ୍ଷା ବନ୍ଧନ ଅନୁଷ୍ଠିତ ହେବ। ଭଉଣୀ ସୁଭଦ୍ରା ବଡଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ। ଏଥିପାଇଁ ପାଟରା ବିଷୋୟୀ ସେବାୟତ ଚାରୋଟି ବଡ଼ ରାକ୍ଷୀ ସହ ଗୁଆମାଳ ମଧ୍ୟ ପ୍ରସ୍ତୁତ କରି ରଖିଛନ୍ତି। ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପ୍ରସ୍ତୁତ ଏହି ରାକ୍ଷୀ ଶୁକ୍ରବାର ଶ୍ରୀମନ୍ଦିରକୁ ଯିବା ପରେ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା।

ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପ୍ରସ୍ତୁତ କରାଯାଇଛି ଏହି ରାକ୍ଷୀ। ବଳଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ୨ ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ କରାଯାଇଛି।

ପାଟରା ବିଷୋୟୀ ଜଗନ୍ନାଥ ପାତ୍ର ବେଶ ନିଷ୍ଠାର ସହ ଏହି ରାକ୍ଷୀ ପ୍ରସ୍ତୁତ କରୁଥିବା ବେଳେ ତାଙ୍କ ନାତି ମଧ୍ୟ ତାଙ୍କୁ ସହଯୋଗ କରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଶ୍ରୀମନ୍ଦିରରେ ଶୁକ୍ରବାର ପାଳିତ ହେବ ରାକ୍ଷୀ ପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.