ଦୀର୍ଘ ୪ ବର୍ଷ ପରେ ସାନ୍ଦୁଲ ନଦୀରେ ବଢ଼ିପାଣି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଏକ ଅଣ ଜଳ ସେଚିତ ଅଞ୍ଚଳ ହୋଇଥିବା ବେଳେ ପ୍ରତିବର୍ଷ ହୀନ ବୃଷ୍ଟି ଯୋଗୁଁ ଏଠାକାର ଚାଷୀର ମେରୁଦଣ୍ଡ ଭାଙ୍ଗି ପଡ଼ିଲାଣି। ଇନ୍ଦ୍ର ଦେବତାଙ୍କୁ ଭରଷା କରି ଏଠାକାର ଚାଷୀ ଚାଷକାର୍ଯ୍ୟ କରିଥାନ୍ତି। ହେଲେ ଗତ ଚାରିବର୍ଷ ଧରି ହୀନ ବୃଷ୍ଟି ଯୋଗୁଁ ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଦେଇ ଯାଇଥିବା ସାନ୍ଦୁଲ ନଦୀରେ ବଢ଼ିପାଣି ଆସିନଥିଲା। ଗତ ୨୦୧୭ରେ ବଡ ଧରଣର ବନ୍ୟା ହୋଇଥିବା ବେଳେ ୨୦୧୮ରେ ମଧ୍ୟ ତାଠୁଁ ଆହୁରି ବଡ ବନ୍ୟା ହୋଇ ରୁପ୍ରାରୋଡର ପଲକା ପଡ଼ା, ଘୋଡ଼ାବଂଧ ଗ୍ରାମ ପଂଚାୟତର ଲମସିଂଗା ପ୍ରଭୃତି ପାଣି ଘେରରେ ରହିଥିଲା। ରୁପ୍ରାରୋଡ଼ ଗ୍ରାମ ପଂଚାୟତ, ମେଡିକାଲ ଭିତରକୁ ପାଣି ପଶି ଯାଇଥିବାରୁ ଲୋକେ ଅନେକ ହଇରାଣ ହରକତ ହୋଇଥିଲେ। ସେହିଭଳି ୨୦୧୮ର ବନ୍ୟା ଫଳରେ ସାନ୍ଦୁଲ ନଦୀ ଉପରେ ରହିଥିବା ରୁପ୍ରାରୋଡ଼ ବ୍ରିଜର ଦୁଇପଟେ ରାସ୍ତା ଖାଇ ନର୍ଲାରୁ ରୁପ୍ରାରୋଡ଼କୁ ସପ୍ତାହ ବ୍ୟାପୀ ଯୋଗାଯୋଗ ବିଛିନ୍ନ ହୋଇଥିଲା। ସେହିଭଳି ଜୁରକାଭଟା ବ୍ରିଜ ଦୁଇପାଖ ପ୍ରବଳ ବନ୍ୟା ଫଳରେ ସାନ୍ଦୁଲ ନଦୀ କୂଳରେ ରହିଥିବା ବାଂକେଲ ସାହୁପଡା, ଭୀମକେଲା, ଘୋଡାବଂଧ ପ୍ରଭୃତି ଅଂଚଳର ଚାଷୀ ଲାଗେଇଥିବା ଉଠା ଜଳସେଚନ ପମ୍ପ ଗୁଡିକ ଭସେଇ ନେଇଥିଲା। ଏହା ପରଠୁ ଦୀର୍ଘ ୪ ବର୍ଷ ହୋଇଗଲା ସାନ୍ଦୁଲ ନଦୀରେ ବଢି ଆସିନଥିଲା। ଫଳରେ ଗ୍ରୀଷ୍ମ ଦିନରେ ଗ୍ରାମ୍ୟ ଜଳ ଯୋଗାଣ ତରଫରୁ ହେଉଥିବା ପାନୀୟ ଜଳ ଯୋଗାଣରେ ଘୋର ବ୍ୟାଘାତ ସୃଷ୍ଟି ହେଉଥିଲା। ଏହାବାଦ୪ ବର୍ଷ ଧରି ନଦୀରେ ବନ୍ୟାଜଳ ଆସିନଥିବାରୁ ସାନ୍ଦୁଲ ନଦୀ ଗର୍ଭ ବାଲୁକା ଶୂନ୍ୟ ହୋଇ ପଡ଼ିଥିଲା। ଫଳରେ ପ୍ରତିବର୍ଷ ଆବାସ ଯୋଜନା ଭଳି ସରକାରୀ ଓ ଅନ୍ୟସବୁ ବେସରକାରୀ ଗୃହ, ଅଫିସ ଭବନ ଗୁଡିକ ନିର୍ମାଣରେ ଅନେକ ଅସୁବିଧା ସୃଷ୍ଟି ହେଉଥିଲା। ଚଳିତ ବର୍ଷ ଗତ ଗୋଟିଏ ସପ୍ତାହ ହୋଇଗଲା ଦୁଇ ଦୁଇ ଥର ଲଘୁଚାପ ଜନିତ ବର୍ଷା ଯୋଗୁଁ ସାନ୍ଦୁଲ ନଦୀରେ ବଢି ଆସିଛି। ଏବେ ଅଞ୍ଚଳ ବାସୀ ଆଶ୍ୱସ୍ତ ଲାଭ କରୁଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.