କବିତା: ଏକୁଟିଆ ଜହ୍ନରାତି

ତୁମେ ଏକା ମୁଁ ବି ଏକା
ଏକୁଟିଆ ଜହ୍ନ ରାତି ।
ସେ ରାତି କୋଳେ ମୁଁ ଚେଇଁ ଶୋଇ ରହି
ଭାଳେ ତୁମ ଦିବ୍ୟ ପ୍ରୀତି ।।

ଚାନ୍ଦ ପରି ତୁମେ ଝରାଅ ଚନ୍ଦ୍ରିକା
ନିଶିଗନ୍ଧା ପରି ବାସ ।
ସେ ଜ୍ୟୋତ୍ସ୍ନାରେ ଦେହ ସୁଶୀତଳ ହୁଏ
ସେ ବାସରେ ମନ ତୋଷ ।।

ପ୍ରେମାଞ୍ଜନ ମଖା ଆଖି ଦ୍ବୟ ତୁମ
ମୁଖ ଯେ ପୁନେଇଁ ଜହ୍ନ ।
ସେଦିନର ସେହି ପ୍ରଥମ ମିଳନେ
ପଲ୍ଲବୀତ ହେଲା ପ୍ରେମ ।।

ଚାହେଁ ନାହିଁ ମନ ବ୍ରହ୍ମାଣ୍ଡ ସୁନ୍ଦରୀ
ଚାହେଁନି ସେ ରୂପବତୀ ।
ଚାହେଁ ତ କେବଳ ଗୁଣେ ଗୁଣବତୀ
ଜନମ ଜନ୍ମର ସାଥି ।।

ଏକୁଟିଆ ବାସ ଜୀବନେ ସାୟାହ୍ନ
ତୁମ ସାଥେ ମଧୁବନ ।
କୁଆଁରା ମନ ମୋ ଛନ୍ନ ଛନ୍ନ ହୁଏ
କରିବାକୁ ମଧୁ ପାନ ।।

ଚୋରା ଚାହାଣିର ମଦିରା ପିଏ ମୁଁ
ଦେଖା ହୁଅ ଯେଉଁ ଦିନ ।
ତୁମ ପ୍ରେମ ଲାଗେ ସୀମାହୀନ ପରି
କେବଳ ସୋହାଗ ସ୍ବପ୍ନ ।

ତୁମେ ତ ବାରିଧି ପ୍ରେମ ସୁଧାନିଧି
ଆକାଶର ରୂପା ଫୁଲ ।
ମୁଁ ଯେ ଗ୍ରାମପଥ ଆତୁର ମୋ ଓଷ୍ଠ
ପିଇବାକୁ ପ୍ରେମ ଜଳ ।

ତୁମ ରୂପରେ ମୁଁ ରୂପାୟିତ ହେବି
ଗୁଣେ ହେବି ଗୁଣବାନ ।
ମନ ଦେଇ ଭଲ ପାଇବି ନିଶ୍ଚୟ
ରଖିବି ତୁମ ସମ୍ମାନ।।

କପାଳରେ ଦେବି କୁଙ୍କୁମ ଟୋପା ମୁଁ
ପାଦରେ ରଙ୍ଗ ଅଳତା ।
ହୃଦୟେ ଢାଳିବି ଖୁସିର ଆଭା ମୁଁ
ଜୀବନରେ ମଧୁରତା ।।

ଅଙ୍ଗେ ଅଙ୍ଗେ ତୁମ ପ୍ରେମ ଛନ୍ଦ ଭରା।
ତୁମେ ସବୁଜ କବିତା ।
ଛନ୍ଦ ହୀନ ମୁଁ ଯେ ଛନ୍ଦ ଦିଅ ଭରି
ବୁଝ ମୋ ମରମ ବ୍ୟଥା ।।

✍🏼ପଞ୍ଚାନନ ଜାଲ (ସୌରଭ)

ମଣ୍ଡେଲ, ନର୍ଲା, କଳାହାଣ୍ଡି
ମୋ:-୮୧୪୪୧୬୬୩୬୦
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.