ଗୋରୁ ବେପାରୀଙ୍କ ଅମାନବୀୟ କାର୍ଯ୍ୟ: ଚଲାଇ ଚଲାଇ ନେଉଛନ୍ତି, ମୁମୁର୍ଷୁ ଅବସ୍ଥାରେ ଛାଡିଯାଉଛନ୍ତି ହଡା ବଳଦ, ଦୁର୍ବଳ ଗାଇ ଓ ବାଛୁରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରାଜ ରାସ୍ତା କଡରେ ଅନେକ ସମୟରେ ଗୋରୁ ମରି ପଡିଥିବାର ଦୃଶ୍ୟମାନ ହୋଇଥାଏ । ଗତ ମାସରେ ନର୍ଲା ଚାରିଛକରେ ଏମ୍ଏସ୍ ଧୋନୀ ଫୁଟୱେର ପାର୍ଶ୍ୱରେ ଗୋରୁ ବ୍ୟବସାୟୀ ମାନେ ଦୁର୍ବଳ ଅବସ୍ଥାର ଏକ ଗାଇକୁ ମୁମୁର୍ଷୁ ଅବସ୍ଥାରେ ଛାଡିଦେଇ ଚାଲିଗଲେ । ରାତିରେ ଗାଇଟି ମରିଯିବା ପରେ ଏହା ପଚିଯାଇ ଦୁଇଦିନ ଧରି ପ୍ରବଳ ଦୁର୍ଗନ୍ଧ ହୋଇଥିଲା । ଲୋକେ ନର୍ଲା ପୋଲିସ୍ ନିକଟରେ ଅଭିଯୋଗ କରିବା ପରେ ଗୋରୁ ବ୍ୟବସାୟୀଙ୍କ ଲୋକେ ଆସି ଉକ୍ତ ମୃତ ପଚିଯାଇଥିବା ଗାଇକୁ ଗାତକରି ପୋତିଥିଲେ । ସେହିଭଳି ଗତ ସୋମବାର ବାଲିପଡା ସାପ୍ତାହିକ ଗୋରୁ ବଜାରରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ୱରେ ଏକ ମୁମୁର୍ଷୁ ଗାଇକୁ ଛାଡିଦେଇ ଚାଲିଯାଇଥିଲେ ବ୍ୟବସାୟୀ । ଗାଇଟିର ପଛଗୋଡ ଦୁଇଟି ଅକାମୀ ହୋଇଯାଇଥିବା ଯୋଗୁଁ ଓ ଅତ୍ୟନ୍ତ ଦୁର୍ବଳ ହୋଇପଡିଥିବା ଯୋଗୁଁ ଆଉ ଚାଲିପାରୁନଥିଲା । ଏଣୁ ଉକ୍ତ ପଙ୍ଗୁ ଗାଇଟି ମୁନିଗୁଡା ପର୍ଯ୍ୟନ୍ତ ବା ଚାଲିକି ଯାଇପାରିଥାନ୍ତା କିଭଳି । ହେଲେ ପଙ୍ଗୁ ଗାଇଟି ଚାଲି ନପାରିବାରୁ ତାକୁ ମୁମୁର୍ଷୁ ଅବସ୍ଥାରେ ଛାଡି ଚାଲିଯାଇଥିଲେ ବ୍ୟବସାୟୀ । ଦିନକ ପରେ ଗାଇଟି ମରିଯିବାରୁ ପଚା ଗନ୍ଧରେ ବାଲିପଡା ଅଞ୍ଚଳ ଦୁଷିତ ହୋଇପଡିଥିଲା । ଏହାକୁ ଗ୍ରାମ ପଂଚାୟତ ତରଫରୁ ପୋତିବା ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ମୁନିଗୁଡାରୁ ଗୋରୁ କିଣିବା ପାଇଁ ବାଲିପଡାକୁ ଆସୁଥିବା ବ୍ୟବସାୟୀ ମାନେ ଲଟ ହିସାବରେ ଗୋରୁ କିଣିଥାନ୍ତି । ସେଥିରେ ହଡା ବଳଦ ବି ଥାଏ, ବାଛୁରି ମଧ୍ୟ ଥାଏ । ଗୋରୁ କିଣି ସାରିବା ପରେ ଶହ ଶହ ସଂଖ୍ୟାରେ ଗୋରୁ ମାନଙ୍କୁ ନର୍ଲା ରାଜରାସ୍ତାରେ ଲୋକ ଲଗେଇ ଚଲେଇ ଚଲେଇ ନେଇଥାନ୍ତି ଗୋରୁ ବ୍ୟବସାୟୀମାନେ । ଆଉ ନର୍ଲାରୁ ମୁନିଗୁଡା ଦୀର୍ଘ ୭୦ କି.ମି ରାସ୍ତା ଚାଲିପାରୁ ନଥିବା ଦୁର୍ବଳ ଗାଇ, ହଡା ବଳଦ ଓ ବାଛୁରିକୁ ରାସ୍ତା କଡରେ ଛାଡି ଦେଇ ଚାଲି ଯାଇଥାନ୍ତି । ଫଳରେ ରାସ୍ତା କଡରେ ପଡି ପଡି ମରିଯାଆନ୍ତି ହଡା ବଳଦ, ପଙ୍ଗୁ ଓ ଦୁର୍ବଳ ଗାଇ ସବୁ । ଆଉ ବ୍ୟବସାୟୀ ଛାଡି ଚାଲିଯାଇଥିବା ଛୋଟ ଛୋଟ ବାଛୁରୀ ମାନଙ୍କୁ ଗାଁ ପାଖ ଲୋକ ଯଦି କିଏ ଜାଣି ପାରିଲା ତ ଘରକୁ ନେଇ ଯାଇଥାଏ । ନହେଲେ କୁକୁର ବିଲୁଆ ବାଣ୍ଟି ଖାଇ ଯାଆନ୍ତି । ନତୁବା ରାସ୍ତା କଡରେ ଭୋକ ଉପାସରେ ମରି ପଡିଥାଏ କଅଁଳା ବାଛୁରିଟି । ଦିନକ ପରେ ପଚା ଗନ୍ଧରେ ଅଞ୍ଚଳ ଫାଟି ପଡିଥାଏ । ଏଇତ ଗଲା ଗୋଟାଏ ସମସ୍ୟା ଆଉ ଗୋଟାଏ ବିରାଟ ସମସ୍ୟା ପ୍ରତି ସୋମବାର ବାଲିପଡାରୁ ନର୍ଲା ରାଜରାସ୍ତା ଜାମ କରି ହଜାର ହଜାର ସଂଖ୍ୟାରେ ଗୋରୁପଲ ସକାଳ ୯ ଘଣ୍ଟାରୁ ଅପରାହ୍ନ ୩ ଟା ଯାଏଁ ଅନବରତ ନିଆଯାଉଥିବାରୁ ଏକ ବଡ ଧରଣର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ । ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ୍ ପ୍ରଶାସନ କୌଣସୀ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନସ୍ଥ ଭାନପୁର ଗ୍ରାମ ପଂଚାୟତର ବାଲିପଡାରେ ପ୍ରତି ସୋମବାର ଗୋରୁ ବଜାର ଅନୁଷ୍ଠିତ ହୋଇଥାଏ । ଜିଲ୍ଲା ନିୟନ୍ତ୍ରୀତ ବଜାର କମିଟି ତରଫରୁ ଏହି ଗୋରୁ ବଜାର ଳ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ବରଗଡ, ବଲାଙ୍ଗୀର, ଫୁଲବାଣୀ ପ୍ରଭୃତି ସ୍ଥାନରୁ ଲୋକେ ଏହି ବଜାରକୁ ଗୋରୁ ନେଇ ଆସିଥାନ୍ତି ବିକିବା ପାଇଁ । ଏହାବାଦ୍ ରାୟଗଡା, ମୁନିଗୁଡା, ପାର୍ବତୀପୁରମ, ବରଗଡ ପ୍ରଭୃତି ସ୍ଥାନରୁ ଗୋରୁ ବ୍ୟବସାୟୀ ମାନେ ଆସି ଏହି ବଜାରରୁ ଗୋରୁ କିଣିକି ଲୋକ ଲଗେଇ ନେଇଯାଇଥାନ୍ତି ନିଜ ଗନ୍ତବ୍ୟ ସ୍ଥଳକୁ । ବାଲିପଡା ଓ ନର୍ଲା ମଧ୍ୟରେ ୧୦ କି.ମି. ବ୍ୟବଧାନ ରହିଥିବା ବେଳେ ଗୋରୁ ବ୍ୟବସାୟୀମାନେ ଏହି ୧୦ କି.ମି ମ.ରାମପୁର- ଭାବନୀପାଟଣା ରାଜ୍ୟ ରାଜପଥରେ ହଜାର ହଜାର ସଂଖ୍ୟାରେ ରାଜରାସ୍ତା ଜାମ କରି ଗୋରୁପଲ ନେଇ ଆସୁଥିବା ବେଳେ ନାହିଁ ନଥିବା ଟ୍ରାଫିକ ସମସ୍ୟା ସୃଷ୍ଟି ହେବାସହ ଅନେକ ସମୟରେ ଏଥିପାଇଁ ଦୁର୍ଘଟଣା ମାନ ଘଟୁଥିବା ମଧ୍ୟ ନଜୀର ରହିଛି । ସକାଲ ୯ ଘଣ୍ଟାରୁ ଅପରାହ୍ନ ୩ ଟା ଯାଏଁ ନର୍ଲା ରାଜରାସ୍ତାରେ ଏଭଳି ଗାଈ, ଗୋରୁପଲଙ୍କ ଭିଡ ଦେଖିବାକୁ ମିଳିଥାଏ ପ୍ରତି ସୋମବାର ଦିନ । ଗୋଲୁପଲ ନେଇ ବ୍ୟବସାୟୀମାନେ ମୁନିଗୁଡାରୁ ରାୟଗଡାକୁ ଯାଇଥାନ୍ତି । ଏସବୁ ସମସ୍ୟା ଗୁଡିକ ବିଷୟରେ ବାରମ୍ବାର ପୋଲିସ୍ ପ୍ରଶାସନକୁ ସ୍ତାନୀୟ ଲୋକେ ଲେଖି ଜଣାଇଲେ ମଧ୍ୟ କୌଣସୀ ସୁଫଳ ମିଳୁନି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାପଇଁ ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.