ଋତୁରାଜ ବସନ୍ତର ମଳୟ ବତାସେ
ପ୍ରତିଧ୍ଵନିତ ଏ କାହା କଣ୍ଠ ସ୍ୱର
କୋକିଳ ପରି ସୁମଧୁର
କୋମଳ ରସାଳ
ନିର୍ଝରିଣୀ ପରି ନିର୍ମଳ
କାହା ମଧୁସୁରେ ଝୁମେ ଏ ମଧୁ ବସନ୍ତ?
କିଏ ସେ ହଜାଏ ମୋତେ
ସଙ୍ଗୀତର ଏ ଅନନ୍ତ ସ୍ରୋତରେ
ଅଶାନ୍ତ ଆଜି ପ୍ରଦୋଷର ବକ୍ଷ
ଜହ୍ନ ହସେ ପୂରୁବ ଆକାଶେ
କିଏ ସେ ଗାଏ
ସୀମାନ୍ତ ର ସୀମାରେଖା ଛୁଇଁ
ଏ ମଧୁଭରା ଜୀବନ ସଙ୍ଗୀତ?
ଅଧିର ସଜଳ ନୟନେ
କାହା ପାଇଁ ଏ ନୀରବ ପ୍ରତୀକ୍ଷା
କିଏ ସେ ପୁଚୁକି ଗାଲି
ମନ ଉପବନର ଗୋଲାପ କଳି
ଚହଟାଇ ତା ସୁରଭି
ଲୁଚି ଲୁଚିକା ଗାଲରେ ମୋ
ଗାଲତୋଡା ଦିଏ ଅଦୃଶ୍ୟରେ।
କିଏ ସେ ଫୁସ୍ ଫୁସେଇ କୁହେ
ଶାନ୍ତ କର୍ଣ୍ଣର ନିଭୃତ କୋଣେ
ଆଶାର ସ୍ପନ୍ଦନ ଯୋଗାଏ
ବେପଥୁ ଏ ଶିର୍ଣ୍ଣ ହୃଦୟେ
କିଏ ସେହି ସନ୍ଧ୍ୟାତାରା
ଉଇଁବାକୁ ଚେଷ୍ଟା କରେ
ମୋ ମନ ନୀଳ ଗଗନରେ।
କ୍ଷଣିକରେ ଜମାଟ ବାନ୍ଧେ
ଲହୁ ସମ ପ୍ରବାହିତ
ରାଗ ଋଷା ମାନ ଅଭିମାନ
କାହାର ଏ ମନ୍ଦ ଛୁଆଁରେ
କିଏ ସେ ନିଶୀ ଗନ୍ଧା?
ବିନିଦ୍ର ରାତ୍ରିର କୁହେଳି
ସ୍ମିତ ହାସର ଜ୍ୟାମିତିକ ରେଖା
ଆଙ୍କେ ମୋ ମଉଳା ମୁହଁରେ।
କାହାର ଏ ମଧୁର ପ୍ରେମାଗ୍ନି ସ୍ପର୍ଶ
ପୁନଶ୍ଚ ପ୍ରଜ୍ଵଳିତ କରେ
ନିର୍ବାପିତ ମୋ ଜୀବନ ଶିଖା
କାହାକୁ ମୁଁ ଖୋଜେ ସାୟଂକାଳେ
ଏ ପଲ୍ଲବିତ ବନାନୀର ମାଧୁରୀମା ତଳେ
କିଏ ସେହି ସୁନୟନା
ଯାହାଠାରେ ହଜିବାର ଆତ୍ମପ୍ରସାଦ
ସତେ କି ମୋକ୍ଷ ପ୍ରାପ୍ତି କରିବାରେ !!!