ପାର୍ବଣ ଋତୁରେ ଖଦି ସାମଗ୍ରୀକୁ ଉପହାର ଦିଅ ଏବଂ ପ୍ରୋତ୍ସାହିତ କର -ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଆ ବାର୍ତ୍ତା/ ଅହମ୍ମଦାବାଦ: ଆଗାମୀ ପାର୍ବଣ ଋତୁରେ କେବଳ ଖଦି ଗ୍ରାମ୍ୟ ଶିଳ୍ପରୁ ଉତ୍ପାଦିତ ଦ୍ରବ୍ୟ ଉପହାର ଦେବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆପଣ ବିଭିନ୍ନ ପ୍ରକାରର କପଡ଼ାରେ ତିଆରି ପୋଷାକ ପାଇପାରିବେ । କିନ୍ତୁ ଯଦି ଆପଣ ଏଥିରେ ଖଦିକୁ ସ୍ଥାନ ଦିଅନ୍ତି, ତେବେ ଭୋକାଲ୍ ଫର ଲୋକାଲ ଅଭିଯାନ ଆଗକୁ ଗତି କରିବ ବୋଲି ଅହମ୍ମଦାବାଦର ସାବରମତୀ ନଦୀ ତଟରେ ଆୟୋଜିତ ଖଦି ଉତ୍ସବରେ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଖଦି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେଇ ନିଜେ ଚରଖା ଚଳାଇ ସୂତା କାଟିଥିଲେ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ସାଂସଦ ସି ଆର ପାଟିଲ, ରାଷ୍ଟ୍ର ମନ୍ତ୍ରୀ ହର୍ଷ ସାଙ୍ଗଭି ଏବଂ ଅହମ୍ମଦାବାଦ ମେୟର ଜଗଦୀଶ ପଞ୍ଚଲ ଏବଂ କେଭିଆଇସିର ଅଧ୍ୟକ୍ଷ ମନୋଜ କୁମାର ଏଥିରେ ଉପସ୍ଥିତ ଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଚରଖା ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ମନେ ପକାଇଥିଲେ ଏବଂ ଯେତେବେଳେ ତାଙ୍କ ମା’ ଚରଖାରେ କାମ କରୁଥିଲେ ସେତେବେଳେ ତାଙ୍କର ପିଲାଦିନକୁ ମନେ ପକାଇଥିଲେ । ସେ କହିଛନ୍ତି, ୭୫ ବର୍ଷର ସ୍ୱାଧୀନତା ଅବସରରେ ସାବରମତୀ ତଟରେ ଆଜି ଆଶୀର୍ବାଦ ପ୍ରାପ୍ତ ହୋଇଛି, ୭୫୦୦ ଭଉଣୀ ଏବଂ ଝିଅ ଏକତ୍ର ଏକ ଚରଖାରେ ସୂତା କାଟି ଇତିହାସ ସୃଷ୍ଟି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚରଖାରେ ସୂତା କାଟିବା କୌଣସି ପୂଜାପାଠ ଠାରୁ କମ୍‍ ନୁହେଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.