ନର୍ଲାରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷଣ ପାଇଁ ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଚାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷଣ କରାଯିବ । ଏନେଇ ଚାଲିଛି ପ୍ରସ୍ତୁତି ପର୍ବ । ଏଥିପାଇଁ ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ସନତ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏକ ପ୍ରସ୍ତୁତି ବୈଠକ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ବାସନ୍ତି ସେଠୀ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ନର୍ଲା ବ୍ଲକ୍ ଶିକ୍ଷାଧିକାରୀ ତପିମଣି ଜାନୀ, ସହକାରୀ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ ପ୍ରମୁଖ ଯୋଗଦାନ କରି ଚକ୍ଷୁ ସମସ୍ୟା ଓ ଏହାର ନିରାକରଣ ବିଷୟରେ କହିଥିଲେ । ପିଏଚଇଓ ବିମଲ ଚନ୍ଦ୍ର ଦୀପ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିବା ବେଳେ ବିପିଏମ୍ ସବୀର ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆସନ୍ତା ସେପ୍ଟେମ୍ବର ୭ରେ ଏନେଇ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରାଯିବ । ସେପ୍ଟେମ୍ବର ୨୦ ରୁ ୨୪ ମଧ୍ୟରେ ଚାରିଗୋଟି ପର୍ଯ୍ୟାୟରେ ଚାରିଗୋଟି କ୍ଲଷ୍ଟରରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷଣ କରାଯିବ । ଆସନ୍ତା ୨୦ ରେ ନର୍ଲା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଥମ ଚକ୍ଷୁ ପରୀକ୍ଷଣ ଶିବିର ହେବାକୁ ଥିବା ବେଳେ ରୁପ୍ରାରୋଡ, ରୁପ୍ରା ଓ ତୁଳାପଡା କ୍ଲଷ୍ଟରରେ ୨୧, ୨୨ ଓ ୨୩ ତାରିଖରେ ବାକି ତିନିଗୋଟି ଶିବିର ଅନୁଷ୍ଠିତ ହେବ । ଚକ୍ଷୁ ଜନିତ ସମସ୍ୟା ରହିଥିବା ଛାତ୍ରଛାତ୍ରୀଙ୍କୁ ଭବାନୀପାଟଣାରେ ଚଷମା ପ୍ରଦାନ କରାଯିବ । ଯେଉଁ ଛାତ୍ରଛାତ୍ରୀ ମାନଙ୍କ ଚକ୍ଷୁ ଜନିତ ଗମ୍ଭୀର ସମସ୍ୟା ଥିବ ସେମାନଙ୍କୁ ଭୁବନେଶ୍ୱର ବଡ ଡାକ୍ତରଖାନାକୁ ପଠାଯାଇ ସେଠାରେ ସେମାନଙ୍କ ଅସ୍ତ୍ରୋପଚାର କରାଯିବ ବୋଲି ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ସନତ କୁମାର ଶତପଥି ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.