ଆଜି ନୂଆଖାଇ ବାସି: ଆମିଷ ବଜାର ପ୍ରବଳ ଭିଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡିଶାର ପ୍ରମୁଖ ଗଣପର୍ବ ନୂଆଖାଇ । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ନୂଆଖାଇ ପର୍ବ ପାଳିତ ହୋଇଥାଏ । ଆଦିମ ସଂସ୍କୃତି, ଆଦିମ ପରମ୍ପରାର ଏହି ପର୍ବ କୃଷି ଭିତ୍ତିକ ପର୍ବ ଅଟେ । ଚାଷୀ ନିଜ ଜମିରେ କରିଥିବା ପ୍ରଥମ ଫସଲର ଅନ୍ନ ଦେବାଦେବୀଙ୍କ ନିକଟରେ, ବିଶେଷ କରି ଗ୍ରାମର ଧରଣୀ ଦେବୀଙ୍କ ନିକଟରେ ଅର୍ପଣ କରି ନୂଆ ଚାଉଳରେ ପ୍ରସ୍ତୁତ କ୍ଷୀରି, ଚୂଡାକୁ ସମର୍ପଣ ପରେ ଭକ୍ଷଣ କରିଥାଏ । ପୂଜା ପାଠ, ନବାନ୍ନ ଭକ୍ଷଣ ଓ ହସ କୌତୁକରେ ସାରାଦିନ ମଜ୍ଜି ଯାଇଥାନ୍ତି ପରିବାରର ସଦସ୍ୟ ମାନେ । ଏହାର ପରଦିନ ନୂଆଖାଇ ବାସି ମନାଇଥାନ୍ତି ପଶ୍ଚିମ ଓଡିଶା ବାସୀ । ନୂଆଖାଇ ବାସୀର ଅର୍ଥର ଆମିଷ ଭକ୍ଷଣ । ପୁରପଲ୍ଲୀର ଘରେ ଘରେ ମାଛ, ମାଂସର ଆସର ଜମିଥାଏ । ଚଳତ ବର୍ଷ ନୂଆଖାଇ ଗୁରୁବାର ଦିନ ପଡିଥିବା ବେଳେ ଯୋଗକୁ ଶୁକ୍ରବାର ପଡିଛି ନୂଆଖାଇ ବାସି । ଏହି କ୍ରମରେ ନର୍ଲାର ଆମିଷ ବଜାରରେ ସକାଳୁ ଭିଡ ଜମିଥିବା ଦେଖିବାକୁ ମିଳୁଛି । ଗତ ଦୁଇ ବର୍ଷ ଧରି କରୋନା ଆତଙ୍କ ଓ କଟକଣା ଯୋଗୁଁ ଲୁଚା ଛପାରେ, ଘର ଭିତରେ ରହି ନୂଆଖାଇ ପାଳିଥିଲେ ଲୋକେ । ଚଲିତ ବର୍ଷ ଦିନାଙ୍କ ଓ ତିଥି ସାଙ୍ଗକୁ ପାଗ ମଧ୍ୟ ଅନୁକୂଳ ରହିଛି । ଏଣୁ ଅଞ୍ଚଳବାସୀ ନୂଆଖାଇ ବାସିକୁ ବେଶ୍ ମନଭରି ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । ହେଲେ ଗତ ସପ୍ତାହରୁ ପରିବା ବଜାର ଓ ଆମିଷ ବଜାରରେ ନିଆଁ ଲାଗିଛି । ଆକାଶ ଛୁଆଁ ଦରଦାମ ଯୋଗୁଁ ଅଞ୍ଚଳବାସୀ ନାକେଦମ ହେଉଥିବା ଜାଣିବାକୁ ମିଳୁଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଭାଦ୍ର ଶୁକ୍ଳ ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶାର ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ବୌଦ, ସୁନ୍ଦରଗଡ, ବରଗଡ, କୋରାପୁଟ ସମେତ ପଡୋଶୀ ଛତିଶଗଡ ଓ ଝାରଖଣ୍ଡର କେତେକ ଅଞ୍ଚଳରେ ପାଳିତ ହୋଇଯାଇଛି ନୂଆଖାଇ ପର୍ବ । ତେବେ କଳାହାଣ୍ଡିର ଭବାନୀପାଟଣା, ଦାଦପୁର, ଲାଞ୍ଜିଗଡ, ମଦନପୁର ରାମପୁର, କର୍ଲାପାଟ, ଥୁଆମୂଳ ରାମପୁର, ଜୟପାଟଣା ଆଦି ଗଡଜାତ ଅଞ୍ଚଳମାନଙ୍କରେ ଦଶମୀ ତିଥିରେ ନୂଆଖାଇ ପାଳନ ହେବ । ଦଶମୀ ତିଥିର ଯୋଗ ଲଗ୍ନ ଅନୁଯାୟୀ ପାରମ୍ପାରିକ ରିତି ନିତି ଅନୁସାରେ ସଂପୃକ୍ତ ଅଞ୍ଚଳର ଦେବୀପୀଠ ମାନଙ୍କରେ ନବାନ୍ନ ଲାଗି ହେବ । ଏହାପରେ ଲୋକେ ନବାନ୍ନ ଭକ୍ଷଣ କରିବେ । ନର୍ଲା ଅଞ୍ଚଳରେ ନୂଆଖାଇ ପର୍ବ ସମାପନ ହୋଇ ସାରିଥିବା ବେଳେ ଆଜି ବାସି ମାନଉଛନ୍ତି ଲୋକେ । ଆମିଷ ବଜାର ଏଥିପାଇଁ ପ୍ରବଳ ଭିଡ ହୋଇଥିବା ବେଳେ ଗାଁ ଗାଁ ରେ ସାମୁହିକ ଭାବରେ ଛେଳି କଟାଯାଇ ମାଂସ ଭାଗବଣ୍ଟା ଚାଲିଥିବାମଧ୍ୟ ଦୃଶ୍ୟମାନ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.