ମାନେକସରୀ – ମାଣିକେଶ୍ଵରୀ ଓ କଳାହାଣ୍ଡିର ନୂଆଖାଇ: ଏକ ତାତ୍ତ୍ବିକ ଆଲୋଚନା

କଳାହାଣ୍ଡି ଜନଜୀବନରେ ଆରାଦ୍ଧ୍ୟା ଦେବୀ ମାଁ ମାନେକସରୀ/ମାନେସରୀ/ମାନିକେସରୀ ବା ମାଣିକେଶ୍ବରୀ ଏକ ବଳିଷ୍ଠା ଦେବୀର ଆସନ ଗ୍ରହଣ କରିଛନ୍ତି । ପ୍ରାଚୀନ ଲୋକଗୀତ ଲୋକସଂଗୀତ ମାନଙ୍କରେ ଏହି ଦେବୀଙ୍କ ବର୍ଣ୍ଣନା ଦୃଷ୍ଟିଗୋଚର ହୁଏ । ଆଧୁନିକ ଘୁମୁରା ଗୁରୁ ମାନେ ଅତି ସୁନ୍ଦର ପଦ୍ୟାବଳୀ ମାଧ୍ୟମରେ ଦେବୀଙ୍କ ମହିମା ବର୍ଣ୍ଣନାରେ ଶତମୂଖ ହୋଇଛନ୍ତି । ଦେବୀଙ୍କ ବିଷୟରେ ଯେଉଁସବୁ ଐତିହାସିକ ବର୍ଣ୍ଣନା ରହିଛି ତାହା ଅପୂର୍ଣ୍ଣ ମନେହୁଏ ।  ଏଠାରେ ସୂଚନା ଯୋଗ୍ୟ ଯେ ମାଣିକେଶ୍ଵରୀ କଳାହାଣ୍ଡି ରାଜ ପରିବାରର ଇଷ୍ଟ ଦେବୀ ନୁହନ୍ତି । ଜନଶୃତି ଓ କିମ୍ବଦନ୍ତି ଅନୁସାରେ ମାନେକସରୀ ଆଦିବାସୀ ଓ ଗିରିଜନ ମାନଙ୍କ ଦ୍ବାରା କେଉଁ ଏକ ସ୍ମରଣାତିତ କାଳରୁ କଳାହାଣ୍ଡିର ଗାଁ ଗାଁରେ ପୂଜାପାଇ ଆସୁଛନ୍ତି ।


କଳାହାଣ୍ଡିର ପ୍ରାଚୀନ ଲୋକଗୀତ/ଲୋକନୃତ୍ୟ ଢାପ୍ ଦେବୀ ମାନେକସରୀଙ୍କ ଗାଥାକୁ ନେଇ ମୁଖରିତ ହୋଇଛି –

“କଳାହାଣ୍ଡି ବୀର ମାଟି ଥରିଉଠେ ତନୁ
କେଶରୀ କେଶରୀ ବାନା ଉଡେ ସବୁଦିନୁ……..
ଲେଲେ ଲେଲେ କେନ୍ଦୁ କଷା
ମାନିକେସରୀ ଭରସା……
ମାନିକେସରୀ ଭରସା…..
ମାନିକେସରୀ ଭରସା…….।”


ଆମ୍ଭର ଭ୍ରମଣ ସମୟରେ ନର୍ଲା ବ୍ଲକ ରାତୁଲ ଗାଁରେ ମାଣିକେଶ୍ବରୀଙ୍କ ଏକ ମନ୍ଦିର ଦୃଷ୍ଟିଗୋଚର ହେଲା ନିଜର ଜିଜ୍ଞାସାକୁ ଦମନ କରିନପାରି ମୁଁ ସେହି ମନ୍ଦିରର ପୂଜକ ଓ ତାଙ୍କ ପରିବାରର ଜଣେ ବୟସ୍କା ମହିଳାଙ୍କ ସହ ଆଲୋଚନା କଲି । ସେହି କନ୍ଧ ପୂଜକଙ୍କ କହିବା ଅନୁସାରେ ଦେବୀ ମାନେକସରୀ ତାଙ୍କର ଇଷ୍ଟ ଦେବତା । ଦେବୀଙ୍କ ପୂଜା ବିଧାନ ଓ ଉତ୍ପତ୍ତି ଓ ଉପାସନା ପଦ୍ଧତି ସଂପର୍କରେ ସେ ଯେଉଁ ତଥ୍ୟ ପ୍ରଦାନ କଲେ ସେଥିରୁ ଦେବୀଙ୍କ ବିଷୟରେ ଅନେକ ଅଜଣା ତଥ୍ୟ ଜାଣିହେଲା ।

‘ଦେବୀ ଦୂଆରସୁନୀ’ ମା ମାଣିକେଶ୍ବରୀଙ୍କ ଦ୍ବାର ଜଗିଥାନ୍ତି । ଦେବୀ ଦୂଆରସୂନୀଙ୍କ ଗାଥାକୁନେଇ ପ୍ରାଚୀନ ଲୋକଗୀତ ଢାପ୍ ମୂଖରିତ ହୋଇଛି ।
” ଜୁଆର ଗୋ ମା ବୁଢାରଜା ପତରେ ପାନେ ପୁଜା
ତର୍ ନାଁ ଧରି ଗୀତ୍ ଗାଉଚୁଁ ସଭାରେ ନକର ଲଜା
ଜୁଆର୍ ମାଁ….
ଆମର୍ ମାଟ ପାଟକେ
ଜୁଆର୍ ମାଁ
କଲା ବୁକା ଦେମୁଁ ଜୁଆର୍ ସୁନୀକେ
ଜୁଆର୍ ମାଁ …… ।।”


ଏହି ପ୍ରସଙ୍ଗ ଉତ୍ଥାପନ କରିବାର କାରଣ ହେଉଛି, ଦେବୀ ଦୂଆରସୁନୀ, ବୁଡାରଜା, ଡଙ୍ଗର ବୁଡା, ମାଏଲି, ଡୁକରୀବୁଡି, ବୁଡିମା, ବାବୁରା, ଗଙ୍ଗାଦୀ, କଲାପାର୍, ବାରମୁନି, ଦୂଲା, ବଞ୍ଜାରୀ, ଭୈରବ, ଭୀଲୁମୁଡେନ, ପାହାଡେନଙ୍କ ପରି ମାଣିକେଶ୍ବରୀ ମଧ୍ୟ ପ୍ରାଚୀନ ଧାର୍ମିକ ପୃଷ୍ଠଭୂମିରୁ ବିବର୍ତ୍ତିତ ହୋଇ ଅଭିଚାରତନ୍ତ୍ର ଧାରା ମଧ୍ୟକୁ ପ୍ରବେଶ କରିଥିବା ମନେହୁଏ । ଏହି ଦେବୀ ପ୍ରସନ୍ନ ହୋଇ ଭକ୍ତଙ୍କ ଦେହରେ ପ୍ରବେଶ କରି ସଂସାରର ହାରି ଗୁହାରୀ ସୁଣନ୍ତି । ପ୍ରାଚୀନ ପରଂପରା ଅନୁକ୍ରମରେ ଦେବୀଙ୍କ ପାଖରେ ମଦ୍ୟ ଓ ବଳୀ ଅର୍ପଣ କରାଯାଏ । ଅନେକ ଗାଁରେ ଦେବୀ ମାନେକସରୀ ଗ୍ରାମ୍ୟଦେବୀ ଭାବେ ପୂଜା ପାଇଥାନ୍ତି । ପ୍ରାଚୀନ ମହାକାନ୍ତାର ସଭ୍ୟତାର ଓ ଏହାର ପରବର୍ତ୍ତି ସମୟ ମାନଙ୍କରେ ଦେବୀ ମାନେକସରୀ ଗ୍ରାମ୍ୟଦେବୀ ରୂପରେ ଗାଁ ମାନଙ୍କରେ ପୂଜା ପାଉଥିବା ଅଧିକ ଯୁକ୍ତିଯୁକ୍ତ ମନେହୁଏ । କିନ୍ତୁ ଐତିହାସିକ ମାନଙ୍କ ମତ ଭିନ୍ନ ଧରଣର ହୋଇଥିବାରୁ ଆଧୁନିକ ସମାଜ ସେହି ତଥ୍ୟକୁ ଶହେ ପ୍ରତିଶତ ସତ୍ୟ ବୋଲି ମାନିନେଇଛି । ତେଣୁ ଏ ବିଷୟରେ ପୁଂଖାନୁପୁଂଖ ଆଲୋଚନା ଓ ଆଳୋଚନା ଚକ୍ରର ଆବଶ୍ୟକତା ରହିଛି । ଦେବୀ ଥୁଆମୁଲ ରାମପୁର, ଭବାନିପାଟଣା ସମେତ ଜିଲ୍ଲାର ଅନେକ ସ୍ଥାନରେ ପୂଜା ପାଇଥାନ୍ତି ।


ବୁଢିପଦର ଗାଁରେ ଦେବୀ ମାଣିକେଶ୍ବରୀଙ୍କ ଏକ ଆସ୍ଥାନ ରହିଛି ଏଠାରୁ ଅଧ କିମି ଦୂରରେ ଶବରପଡା ଚଞ୍ଚରା ଉପରେ ଦେବୀ ଦୂଆରସୁନୀଙ୍କ ମନ୍ଦିର ରହିଛି । ସମ୍ମୁଖ ଭାଗରେ ଦେବଗିରୀ । ଦେବଗିରୀର ଅପରପାଶ୍ବରେ ଅର୍ଜୁନଗାଁରେ ବାରମୁନି ଦେବତା । ପାର୍ଶ୍ଵବର୍ତ୍ତୀ ଗ୍ରାମ ବଲବସପୁରରେ ଭୈରବ ଓ ଦୂଆରସୁନୀ, ଗୋଖରାରେ ବାବୁରା ବୁଡିମା ମନ୍ଦିର । ରାକ୍ସିରେ ବାଲି ଭୈରବ, ଅଗ୍ନି ଭୈରବ, କଟା ଭୈରବ, ବିମଲା ଆଦି ଅନେକ ଦେବାଦେବୀ । ଏସବୁ ଦେବାଦେବୀଙ୍କ ଆସ୍ଥାନ ଓ ଏହି ଅଞ୍ଚଳ ଅସୁରଗଡ ଦୂର୍ଗର ପଶ୍ଚିମ ପାର୍ଶ୍ବ (କଲାପାର ଦେବତା ଅସୁରଗଡର ପଶ୍ଚିମ ଦିଗର ରକ୍ଷାକର୍ତା) ରେ ଅବସ୍ଥିତ ତଥା ଅସୁରଗଡ ବେସ୍କା ପ୍ରଗଣା ଅନ୍ତର୍ଗତ ହୋଇଥିବାରୁ ବେଶ୍ ଗୁରୁତ୍ବ ବହନ କରେ ।


ସେ ଯାହାହେଉ ଦେବୀ ମାଣିକେଶ୍ବରୀ କେବେ ଠାରୁ କଳାହାଣ୍ଡିରେ ପୂଜା ପାଉଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ନୁହେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ବଳିଷ୍ଠା ଦେବୀ ଆମ ଜନମାନସ ଧାରାରେ ଆମର ପ୍ରିୟ ଆରଦ୍ଧ୍ୟା ଦେବୀ, ଆମର ଗ୍ରାମ ଦେବୀ, ସାରା କଳାହାଣ୍ଡିର ଇଷ୍ଟଦେବୀର ଆସନ ଅଳଂକୃତ କରି କଳାହାଣ୍ଡି ଜନତାଙ୍କ ଉପରେ ଅପାର କରୁଣା ପ୍ରଦାନ କରିଆସୁଛନ୍ତି । ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା ଧାର୍ମିକ ଓ ସାଂସ୍କୃତିକ ଯାତ୍ରାର ରୂପ ନେଇ ଆଧୁନିକ କଳାହାଣ୍ତିର ସଂସ୍କୃତି ସହ ଆଦିମ ସଂସ୍କୃତିର ମହନିୟତା ପ୍ରତିପାଦନ କରୁଛି ।


ଭାଦ୍ର ଶୁକ୍ଳ ପକ୍ଷ ଦଶମୀ ତିଥିରେ ଭବାନୀପାଟଣା ରାଜବାଟି ସ୍ଥିତ ମାଣିକେଶ୍ଵରୀ ଓ ଥୁଆମୂଲ ରାମପୁର ର ଦେବୀ ମାଣିକେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହୋଇଥାଏ । ତେବେ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ମାନେକସରୀ ବା ମାଣିକେଶ୍ଵରୀ ଆସ୍ଥାନ ମାନଙ୍କରେ ନବାନ୍ନ ଲାଗି ହୋଇନଥାଏ । ଗ୍ରାମ ମାନଙ୍କରେ ସାଧାରଣତଃ ଧର୍ନୀ ଦେବୀଙ୍କୁ ନୂଆଧାନ ଅର୍ପଣ ସହ ଗ୍ରାମର ସମସ୍ତ ଦେବାଦେବୀଙ୍କୁ ଆବାହନ କରାଯାଇଥାଏ । ଏହି ଦେବାଦେବୀଙ୍କ ମଧ୍ୟରେ ମାନେକସରୀ ଥାଆନ୍ତି, କିନ୍ତୁ ତାଙ୍କ ଆସ୍ଥାନରେ ସ୍ବତନ୍ତ୍ର ଭାବେ ନୂଆଖାଇ ଦିନ ଭୋଗଲାଗି ହୋଇନଥାଏ ।ଆଦିବାସୀ, ଗିରିଜନ ସଂସ୍କୃତି ସହ ଅଙ୍ଗାଙ୍ଗି ଭାବେ ଜଡିତ ଦେବୀ ମାଣିକେଶ୍ବରୀଙ୍କ ବିଷୟରେ ଅଧିକ ଗବେଷଣା ସହ କଳାହାଣ୍ଡିର ପ୍ରାଚୀନ ଧର୍ମବିଶ୍ବାସକୁ ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲା ତଥା ପଶ୍ଚିମ ଓଡିଶାର ଯୁବବର୍ଗ ଓ ଗବେଷକ ମାନେ ଆଗେଇ ଆସିବା ଜରୁରୀ ମନେହୁଏ ।


ଅତିତରେ କଳାହାଣ୍ଡି ଆଟବିକ, ବିଦ୍ୟାଧର ରାଜ୍ୟ, କାନ୍ତାର, ମହାକାନ୍ତାର, ଇନ୍ଦ୍ରବନ, କମଳମଣ୍ଡଳ ଆଦି ଭିନ୍ନ ଭିନ୍ନ ନାମରେ ପରିଚିତ ଥିଲା । ଏହି ଅଞ୍ଚଳ ସମ୍ରାଟ ଅଶୋକଙ୍କ ସମୟରେ ସ୍ବାଧୀନ ଥିଲା । ସମ୍ରାଟ ଖାରବେଳ ବିଦ୍ୟାଧର ରାଜ୍ୟରୁ ସେନା ସଂଗ୍ରହ କରୁଥିଲେ । ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରେ କଳାହାଣ୍ଡି ମହାକାନ୍ତାର ଭାବେ ସୁପରିଚିତ ଥିଲା ଓ ବ୍ୟାଘ୍ରରାଜ ଏହାର ଶାସକ ଥିଲେ । ପ୍ରାଗ୍ଐତିହାସିକ ସମୟରୁ ଏଠାକାର ଆଦିମ ଜନଜାତି ଶସ୍ୟକୁ ଦେବୀଜ୍ଞାନରେ ପୂଜାର୍ଚ୍ଚନା ସହ ପିତୃପୁରୁଷ ସମେତ ଧର୍ନୀମାତାଙ୍କୁ କୃତଜ୍ଞତା ଜ୍ଞାପନ କରିଆସୁଛନ୍ତି । ସେଥିପାଇଁ ସେମାନଙ୍କ ମାନସତତ୍ତ୍ୱରୁ ନୂଆଖାଇ ପରି ଏକ ମହାପାର୍ବଣର ସୃଷ୍ଟି ହୋଇଛି ।


ଆଦିମ କାଳରୁ ମାନବର ଧର୍ମ ବିଶ୍ୱାସ ସହ ଜଡ଼ିତ ହୋଇଆସିଥିବା ଧର୍ନୀ ଦେବୀ ସମେତ ଡଙ୍ଗରବୁଡ଼ା, ବୁଡାରଜା, ଗଙ୍ଗାଦି, ଦୂଲା, ଗବ୍ଡ଼ା, ମାଏଲି ଆଦି ଅସଂଖ୍ୟ ଦେବାଦେବୀଙ୍କୁ ଏହି ପାର୍ବଣ ସମୟରେ ସନ୍ତୁଷ୍ଟ କରିବା ପାଇଁ ପରମ୍ପରା ଅନୁକ୍ରମରେ ପୂଜା ଆରାଧନାର ବ୍ୟବସ୍ଥା ରହିଛି । କୃଷକ ଏହି ଅନୁଷ୍ଠାନ ମାଧ୍ୟମରେ ପାରମ୍ପରିକ ଦେବାଦେବୀମାନଙ୍କ ପାଖରେ କୃତଜ୍ଞ ରହିଥାଏ ।


ଆଦିମ ପରମ୍ପରାରେ ଅନ୍ନପୂଜା କ୍ରମରେ ପିତୃପୂଜା ଓ ପିତୃପୂଜା କ୍ରମରେ ଅନ୍ନପୂଜାର ପ୍ରାଧାନ୍ୟ ରହିଛି । ପ୍ରାଗ୍ଐତିହାସିକ ଯୁଗର ଶିକାରଜୀବୀ ମନୁଷ୍ୟର ମାନସତତ୍ତ୍ୱ ବିଭିନ୍ନ ସ୍ତରରେ ବିବର୍ତ୍ତିତ ହୋଇ ଅନ୍ନ ତତ୍ତ୍ୱ ମଧ୍ୟରେ ନିହିତ ହୋଇଥିଲା । ଆଦିମ ସମାଜର ପିତୃପୁରୁଷ ପୂଜା, ଡଙ୍ଗର ପୂଜା ଓ ଧର୍ମଦେବତା ପୂଜାରୁ ପରବର୍ତ୍ତି ସମୟରେ ସମସ୍ତ ଦେବତାମାନଙ୍କ ବିବର୍ତ୍ତନ ସମ୍ଭବ ହୋଇଛି । ସେହିପରି ଶିକାରଜୀବୀ ସମାଜରେ ଅରଣ୍ୟଦେବୀ ଭାବେ ଉପାସିତା ଧରିତ୍ରୀମାତା ବା ଧର୍ନୀଦେବୀ କୃଷିଜୀବୀ ସମାଜରେ କୃଷି ଆଧାରର ଦେବୀ ଭୂଦେବୀ ବା ଧର୍ନୀଦେବୀ ଭାବେ ପରିବର୍ତ୍ତିତ ହେଲେ । ଧର୍ନୀ ତତ୍ତ୍ୱରୁ ପରବର୍ତ୍ତୀ ସମୟରେ ମାତୃଦେବୀ / ଉପଦେବୀମାନଙ୍କର ବିବର୍ତ୍ତନ ହୋଇଥିଲା । ଧର୍ନୀ ଦେବୀ ବା ଭୂଦେବୀଙ୍କ ଦ୍ୱାରା ଅନ୍ନ ସମ୍ଭବ ହେଉଥିବାରୁ କୃତଜ୍ଞତା ସ୍ୱରୂପ କୃଷିଜୀବୀ ସମାଜ ଶସ୍ୟଦାୟିନୀ ଧର୍ନୀଦେବୀଙ୍କଠାରେ ପ୍ରଥମ ଅମଳଯୋଗ୍ୟ ଶସ୍ୟକୁ ଆନୁଷ୍ଠାନିକ ଧର୍ମାଚାର ମାଧ୍ୟମରେ ଅର୍ପଣ ପୂର୍ବକ ଭକ୍ଷଣ କରିବାର ବିଧିବିଧାନରୁ ନୂଆଖାଇ ପାର୍ବଣର ସୃଷ୍ଟି ହୋଇଥିବା ଅନୁମାନ କରାଯାଏ ।


ବିଭିନ୍ନ ଜାତିର ଲୋକଙ୍କ ମଧ୍ୟରେ ନୂଆଖାଇକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ଅଧିକାଂଶ ଜାତିର ଲୋକ କୁରେ ପତ୍ରରେ ନୂଆ ଖାଉଥିବା ବେଳେ କିଛି ଜାତିର ଲୋକ ମହୁଲ ପତ୍ରରେ, ସାରୁପତ୍ର, ସାହାଜ ପତ୍ର ଆଦି ବିଭିନ୍ନ ପତ୍ରରେ ଖାଇଥାନ୍ତି । ସେହିପରି ସ୍ଥଳ ବିଶେଷରେ ନୂଆଖାଇର ତିଥିକୁ ନେଇ ବି ଭିନ୍ନତା ରହିଛି । ପୂର୍ବରୁ ଲୋକେ ନିଜ ଗ୍ରାମର ନିର୍ଣ୍ଣୟ ଅନୁଯାୟୀ ଭାଦ୍ରବ ମାସର ଭିନ୍ନ ଭିନ୍ନ ତିଥିରେ ନୂଆ ଖାଉଥିବା ବେଳେ ଆଜିକାଲି ଅଧିକାଂଶ ପଞ୍ଚମୀ ତିଥିରେ ଖାଉଛନ୍ତି ।


ମହିମା ଧର୍ମାବଲମ୍ବୀମାନେ ଶ୍ରାବଣ ପୂର୍ଣ୍ଣିମାରେ ଓ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ପଥର୍ଲା, ବାହାଦୂରପଦର ଓ ପାଲକାପଡ଼ା ଗ୍ରାମବାସୀ ଭାଦ୍ର ଶୁକ୍ଳ ପ୍ରତିପଦା ତିଥିରେ ନୂଆ ଖାଇଥାନ୍ତି । ଲାଞ୍ଜିଗଡ଼ ବ୍ଲକ କିଡିଙ୍ଗ ଗ୍ରାମର ମଗଧା ଯାଦବ ନାଗ ବଂଶୀୟ ଗୈାନ୍ତିଆ ପରିବାର ଗଣେଶ ଚତୁର୍ଥୀ ସନ୍ଧ୍ୟାରେ ନୂଆ ଖାଇଥାନ୍ତି । ସେହିପରି ଭବାନୀପାଟଣା ସମେତ କଳାହାଣ୍ଡି ଗଡ଼ଜାତର ପୁରାତନ ଜମିଦାରୀ ଅଞ୍ଚଳ ଲାଞ୍ଜିଗଡ଼, ମହୁଲ ପାଟଣା, କର୍ଲାପାଟ, ଜୟପାଟଣା, ମଦନପୁର ରାମପୁର, ଥୁଆମୂଲ ରାମପୁର ଆଦିରେ ଦଶମୀ ତିଥିରେ ନୂଆ ଖିଆଯାଇଥାଏ । ଗ୍ରାମୀଣ ଲୋକେ ନିଜ ହିସାବରେ ନୂଆ ଖାଉଥିବା ବେଳେ ସହରୀ ଲୋକେ ଆଜିକାଲି ସ୍ଥାନୀୟ ଦେବୀପୀଠରେ ଧାର୍ଯ୍ୟ ଲଗ୍ନ ଅନୁଯାୟୀ ନୂଆ ଖାଉଥିବା ଦେଖିବାକୁ ମିଳୁଛି ।


କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ମୁଣ୍ଡିଗୁଡା ଓ ବାଗଡୁଙ୍ଗରୀ ଗାଁର ମଗଧା ଯାଦବ ସଂପ୍ରଦାୟର ବଗର୍ତ୍ତି ବଂଶଜମାନେ ଭାଦ୍ର ଶୁକ୍ଳ ପକ୍ଷ ପଞ୍ଚମୀ ରାତିରେ ନୂଆ ଖାଇଥାନ୍ତି। ଏହାକୁ ନେଇ ଏକ କିମ୍ବଦନ୍ତୀ ରହିଛି। ଅନେକ ଦିନ ତଳର କଥା ନୂଆଖାଇ ଦିନ ବଗର୍ତ୍ତି ବଂଶର ଜଣେ ଭାଇ ଜଙ୍ଗଲକୁ ଗାଇ ଚରାଇ ଯାଇଥିଲେ।ସେ ନୂଆଖାଇବା ଦିନ ମଧ୍ୟାହ୍ନରେ ଘରକୁ ଫେରିଲେ ନାହିଁ। ପରିବାର ବର୍ଗ ତାଙ୍କ ଅନୁପସ୍ଥିତିରେ ନୂଆ ନଖାଇ ଜଗି ରହିଲେ। ସେ ସନ୍ଧ୍ୟାରେ ଫେରିବା ପରେ ସପରିବାର ରାତିରେ ନୂଆ ଖାଇଲେ। ସେହି ଦିନଠାରୁ ମୁଣ୍ଡିଗୁଡା ଓ ବାଗଡୁଙ୍ଗରୀ ଗାଁର ବଗର୍ତ୍ତିମାନେ ଦିନବେଳା ନୂଆ ନଖାଇ ରାତିରେ ଖାଇଥାନ୍ତି।


କଳାହାଣ୍ଡିର ନୂଆଖାଇ ପର୍ବର ଅନ୍ୟଏକ ଆକର୍ଷଣ ହେଉଛି ଜୁଗାର୍ ଭାର୍ । ଗ୍ରାମର ପୂଅଝିଅମାନେ ନିଜନିଜ ଭିତରେ ମିତ, ମାର୍ସାଦ୍, ମକର, ଗଜାମୁଙ୍ଗ, ସମକଟା, ସାଇ, ଫୁଲ, ମଡ଼ା, ଭାଏଲୋକ୍ ଆଦି ବସିଥାନ୍ତି । ଏମୋନେ ନୂଆଖାଇ ଦିନ ଜୁଗାର ଭାର ଦିଆନିଆ ହୁଅନ୍ତି । ଏହି ଜୁଗାରରେ ଥାଏ ଚାଉଳ, ଡାଲି, ପନିପରିବା ସହ ସାବୁନ, ଅତର, ଧୋତି, ଶାଢ଼ୀ ଇତ୍ୟାଦି । ପୁଅ ପାଇଁ ବୋହୂ ଠିକ୍ ହୋଇ ମଦପିଆ କାର୍ଯ୍ୟକ୍ରମ ସରିଯାଇଥିଲେ ଶ୍ୱଶୁର ବୋହୁ ଘରକୁ ଶାଢ଼ୀ, ପିଠା, ଚୁଡ଼ି, ମାଳି ଆଦି ଅନେକ ଜିନିଷ ପଠାଇଥାଏ । ଜୁଗାର୍ ଭାର୍ ମୈତ୍ରୀ ବନ୍ଧନର ଏକ ଅନନ୍ୟ ପରମ୍ପରା ଭାବେ ପରିଗଣିତ ହୋଇଥାଏ । ଗୃହକର୍ତ୍ତାମାନେ ଗୌନ୍ତିଆ, ଜାନୀ, ଝାଙ୍କର, ଗଣା ଆଦିଙ୍କୁ ମଧ୍ୟ ସାଧ୍ୟ ମୁତାବକ ଭାତିଆ ପ୍ରଦାନ କରିଥାନ୍ତି । ଏସବୁ ପରମ୍ପରାରେ ଅନ୍ନର ପ୍ରାଧାନ୍ୟ ରହିଥାଏ ।


ପ୍ରାଚୀନ ପରମ୍ପରା ଅନୁକ୍ରମେ ଗ୍ରାମର ଧର୍ନୀ ପୀଠରେ ନୂତନ ଗୈାନ୍ତିଆ ଶସ୍ୟ ଅର୍ପଣ କରିଥାନ୍ତି । ଯାହାକୁ ଖେଡସୁଆ ବୋଲି କୁହାଯାଇଥାଏ । ଏହା ପୂର୍ବରୁ ଗାଁରେ ରୁଗାବଲା ଓ ପନାପାଏନ ଢଳା କାର୍ଯ୍ୟକ୍ରମ ଗଣା, ଝାଙ୍କର ଓ ଦିଶାରୀଙ୍କ ଦ୍ବାରା ସଂପନ୍ନ ହୋଇଥାଏ । ଖେଡସୁଆ ଦିନ ଧର୍ନୀ ଦେବୀଙ୍କ ପାଖରେ ଛେଟକା ଧାନ ବା ସରିଆ ଧାନ ଲାଗି ହୋଇଥାଏ । ଏହାପରେ ଧରଣୀ ପୀଠରେ କୁକୁଡା ବଳି ଦିଆଯାଇ ମଦ୍ୟ ଅର୍ପଣ କରାଯାଏ । ଅଭିଚାର ତନ୍ତ୍ର ଧାରାରେ ଧର୍ନୀ ଦେବୀଙ୍କ ପୀଠରେ ଗ୍ରାମର ସମସ୍ତ ଦେବାଦେବୀଙ୍କୁ ଆବାହନ କରା ଯାଇଥାଏ । ଆଦିମ ସମାଜ ଅନ୍ନକୁ ବ୍ରହ୍ମ ଜ୍ଞାନ କରୁଥିବାରୁ ପୃଥିବୀ ଦେବୀ ବା ଧର୍ନୀ ଦେବୀଙ୍କ ଠାରେ ପ୍ରଥମ ଉତ୍ପନ୍ନ ଶସ୍ୟ ଅର୍ପଣ କରିଥାଏ ।

ଧର୍ନୀ ପୀଠରେ କେବଳ ନୂତନ ଧାନ ଅର୍ପଣ କରାଯାଏ ତା’ ନୁହେଁ ଦେବୀଙ୍କ ଠାରେ ଫାଲଗୁନ ମାସରେ ଆମ୍ବ, କେନ୍ଦୁ, ଚାର ଆଦି ଅର୍ପଣ ପରେ ଗ୍ରାମବାସୀମାନେ ନିଜ ନିଜ ସୁବିଧା ଅନୁସାରେ କୂଳାଚାର ରିତିରେ ‘ଆମ୍ ନୂଆ’ ଖାଇଥାନ୍ତି । ସେହିପରି ହରଡ (କାନ୍ଦୁଲ)କୁ ମଧ୍ୟ ସ୍ବତନ୍ତ୍ର ପୂଜା ମାଧ୍ଯମରେ ଡଙ୍ଗର ଦେବତା ଓ ଅନ୍ୟାନ୍ୟ ଦେବାଦେବୀଙ୍କୁ ଅର୍ପଣ କରି ଖିଆ ଯାଇଥାଏ । ତେବେ ଆମ୍ ନୂଆ, କେନ୍ଦୁ ନୂଆ, ଡୁମେର ନୂଆ, କାନ୍ଦୁଲ ନୂଆ ଠାରୁ ଭାଦ୍ରାବ ମାସରେ ଛେଟକା ଧାନରେ ଖିଆ ଯାଉଥିବା ନୂଆ ଅନ୍ନ ତତ୍ତ୍ଵ ଉପରେ ପର୍ଯ୍ୟାବେଷିତ ହୋଇଥିବାରୁ ତା’ର ମହତ୍ତ୍ଵ ବୃଦ୍ଧି ପାଇଛି ।


ପାଣିନୀ କଳାହାଣ୍ଡି ଅଞ୍ଚଳକୁ ଇନ୍ଦ୍ରବନ ଭାବେ ବର୍ଣ୍ଣନା କରିଛନ୍ତି । ସେ ତାଙ୍କ ଅଷ୍ଟାଧ୍ୟାୟୀରେ ଷଷ୍ଠୀକା ଧାନର ଉଲ୍ଲେଖ କରିଛନ୍ତି । ୬୦ ଦିନରେ ଯେଉଁ ଧାନ ଅମଳ ହୋଇଥାଏ ତାହା ଷଷ୍ଠୀକା । ଛେଟକା ଧାନ ହେଉଛି ପାଣିନୀଙ୍କ ବର୍ଣ୍ଣିତ ଷଷ୍ଠୀକା ଧାନ । ପାଣିନୀଙ୍କ ବହୁ ପୂର୍ବରୁ କଳାହାଣ୍ଡି ଅଞ୍ଚଳରେ ଛେଟକା ଧାନ ଉତ୍ପନ୍ନ ହେଉଥିଲା । ଧର୍ନୀ ଦେବୀଙ୍କ ପାଖରେ ନୂଆ ଲାଗି ହେବାପରେ ଗୃହ ମାନଙ୍କରେ ପିଦରରେ ଇଷ୍ଟ ଦେବାଦେବୀ ଓ ପିତୃପୁରୁଷଙ୍କୁ ନୂତନ ଶସ୍ୟ ଅର୍ପଣ କରି ନୂଆ ଖାଇଥାନ୍ତି ପରିବାର ବର୍ଗ । ନୂଆଖାଇବା ପରେ ସମସ୍ତେ ବଡ଼ମାନଙ୍କୁ ମୁଣ୍ଡିଆ ମାରନ୍ତି ।

ପରିବାରର ଛୋଟ ଛୋଟ ଶିଶୁମାନଙ୍କୁ ଏକାଠି ବସାଇ ସେମାନଙ୍କୁ ଘରର ପୁରୁଷ ଓ ମହିଳାମାନେ ଚାଉଳ, ଫୁଲ, ଚନ୍ଦନ ଦେଇ ବନ୍ଦାଇଥାନ୍ତି ଓ ଗୋରସରେ ପାଦ ପ୍ରକ୍ଷାଳନ କରିଥାନ୍ତି । ଏହାପରେ ସମସ୍ତେ ଏକାଠି ବସି ଘରେ ପ୍ରସ୍ତୁତ ହୋଇଥିବା ନାନା ପ୍ରକାର ବ୍ୟଞ୍ଜନ ଭୋଜନ କରି ବାହାରକୁ ବାହାରି ପାଖ ପଡ଼ୋଶୀମାନଙ୍କୁ ଜୁହାର୍ ଭେଟ୍ କରିଥାନ୍ତି । ଏପରି ଭାବେ ପ୍ରାଚୀନ କାଳରୁ ଅନ୍ନର ପ୍ରକୃତ ତତ୍ତ୍ବକୁ ବୁଝି ପାରିଥିଲେ ଏହି ମାଟିର ମଣିଷ । ତେଣୁ ସେମାନେ ପିତୃପୁରୁଷଙ୍କ ପୂଜାର୍ଚ୍ଚନା ସହ ପିତୃ ତତ୍ତ୍ଵରୁ ଉଦ୍ଭବ ଧାର୍ମିକ ଭାବନା ଅନୁସାରେ ନୂଆଖାଇ ପରି ଏକ ମହାପାର୍ବଣ ପାଳନ କରି ଆସୁଛନ୍ତି ।

✍🏼ସୁନୀଲ କୁମାର ଧଙ୍ଗଡାମାଝୀ


ସଂପାଦକ, ଓଡ଼ିଆ ବାର୍ତ୍ତା 
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.