ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ ନର୍ଲା ଶାଖାର ପ୍ରସ୍ତୁତି ବୈଠକ

କନକ ନିଆଲଙ୍କୁ ନ୍ୟାୟ ପ୍ରଦାନ ଦାବି ନେଇ ସେପ୍ଟେମ୍ବର ୧୫ ରେ ଭବାନୀପାଟଣା ଠାରେ ରାଜ୍ୟ ସ୍ତରୀୟ ଜନ ସାମାବେଶ, ରେଲି ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୋଲାମୁଣ୍ଡା ବ୍ଲକ୍ ଘୋଟିଆ ଗାଁର ଦଶମ ଶ୍ରେଣୀ ଛାତ୍ରୀ କନକ ନିଆଲଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀ ନେଇ ଆସନ୍ତା ସେପ୍ଟେମ୍ବର ୧୫ ରେ ଭାବନୀପାଟଣା କଲେଜ ଛକ ଠାରୁ ଏସ୍.ପି. ଅଫିସ ପର୍ଯ୍ୟନ୍ତ ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ ତରଫରୁ ରାଜ୍ୟ ସ୍ତରୀୟ ରେଲି କରାଯିବା ସାଙ୍ଗକୁ ଏକ ବଡଧରଣର ଜନ ସମାବେଶ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏନେଇ ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନର ନର୍ଲା ଶାଖା ସଭାପତି ରଘୁନାଥ ଦୀପଙ୍କ ସଭାପତିତ୍ୱରେ ନର୍ଲା ବ୍ଲକ୍ ଅଧିନସ୍ଥ ଅସୁରଗଡ ଆମ୍ବତୋଟା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ଧନଞ୍ଜୟ ଦୀପ, ଜିଲ୍ଲା ଉପଦେଷ୍ଟା କମିଟିର ବରିଷ୍ଠ ସଦସ୍ୟ ସୁବାସ ନାଗ ଯୋଗଦାନ କରି ମାର୍ଗ ଦର୍ଶନ ଦେଇଥିଲେ । ସଭା ପ୍ରାରମ୍ଭରେ ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସ୍ବର୍ଗତ ତ୍ରିନାଥ ନାଏକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ନର୍ଲା ଶାଖା ସଭାପତି ରଘୁନାଥ ଦୀପ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ବୈଠକର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ସେପ୍ଟେମ୍ବର ୧୫ରେ ହେବାକୁ ରହିଥିବା ରେଲି ଓ ଜନ ସମାବେଶ ପାଇଁ ନର୍ଲାରୁ ୩୦୦୦ ଲୋକ କିପରି ଯିବେ ସେ ନେଇ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ସରିଆଁ ସରପଞ୍ଚ ଓମ୍ ପ୍ରକାଶ ଛତ୍ରିଆ, ନର୍ଲା ସରପଞ୍ଚ ତନୁଜା ହରପାଲ, ଗିଗିନା ସରପଞ୍ଚ ସୁଧାମୟୀ କୁମାର, ବଡଧାରପୁର ଗ୍ରାମ ପଞ୍ଚାୟତର ପର୍ଶୁରାମ ହରପାଲ, ବଡଧାରପୁର ସମିତି ସଦସ୍ୟ ବିଜୟ ହରପାଲ, ସମାଜସେବୀ ନରୋତ୍ତମ କରୁଆଁ, ପଦ୍ମଲୋଚନ ସେନାପତି, ସାଧୁ ପୂର୍ଣ୍ଣାନନ୍ଦ ବାବା ତଥା ନର୍ଲା ବ୍ଲକ୍ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଯୋଗଦାନ କରିବା ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.