ଶିକ୍ଷକ ସମସ୍ୟା ନେଇ ଭଟାଙ୍ଗ ସ୍କୁଲରେ ତାଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଭଟାଙ୍ଗ ସ୍କୁଲରେ ଶିକ୍ଷକ ସମସ୍ୟା ନେଇ ଅଭିଭାବକ ଓ ପରିଚାଳନା କମିଟି ଆଜି ବିଦ୍ୟାଳୟର ମୁଖ୍ୟ ଗେଟରେ ତାଲା ମାରି ଧାରଣାରେ ବସିଥିଲେ । କେବଳ ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟ ବୋଲି ନୁହଁ ସ୍କୁଲର ଛାତ୍ରଛାତ୍ରୀ ମାନେ ମଧ୍ୟ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଭଟାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଞ୍ଚଳର ଏକ ସୁନାମଧନ୍ୟ ବିଦ୍ୟାଳୟ । ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୧୩୦ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୬ଷ୍ଠ ରୁ ଅଷ୍ଟମ ଯାଏଁ ୫୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ୮ ଗୋଟି ଶ୍ରେଣୀର ମୋଟ ୧୮୯ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ରହିଛନ୍ତି ମାତ୍ର ୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ । ୨ ଜଣ ଶିକ୍ଷକ ଓ ୨ ଜଣ ଶିକ୍ଷୟତ୍ରୀ ବିଦ୍ୟାଳରେ ରହିଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକରେ କାମ ଚାଲି ଆସୁଛି । ଷଷ୍ଠ ରୁ ୮ମ ଯାଏଁ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ଗଣିତ ବିଷୟ ପଢାଇବା ପାଇଁ ଶିକ୍ଷକ ନାହାନ୍ତି । ଯାହା ଫଳରେ ଉପରୋକ୍ତ ବିଷୟ ଗୁଡିକ ପଢିବାରେ ଅନେକ ସମସ୍ୟା ହେଉଥିବା କହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଭଟାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ଏଭଳି ଶିକ୍ଷକ ସମସ୍ୟାକୁ ନେଇ ନର୍ଲା ବ୍ଲକ୍ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅଭିଭାବକ ବୃନ୍ଦ ଓ ପରିଚାଳନା କମିଟିର ସଦସ୍ୟ ମାନେ । ଏହି ବିଦ୍ୟାଳୟ ପାଇଁ ଅତିଶିଘ୍ର ଦୁଇ ଜଣ ଶିକ୍ଷକ, ସେଥି ମଧ୍ୟରେ ଜଣେ ବିଜ୍ଞାନ ଶିକ୍ଷକ ନିଶ୍ଚୟ ଦେବାପାଇଁ ଅନୁରୋଧ କରିଥିଲେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି । ଗତ ଦୁଇମାସ ତଳେ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ନର୍ଲା ବ୍ଲକ୍ ଶିକ୍ଷାଧିକାରୀ ତପିମଣି ଜାନୀ ଏହି ବିଦ୍ୟାଳୟ ପାଇଁ ଗତ ୧୬/୮ ରେ ଶିକ୍ଷକ ନିଶ୍ଚୟ ଦିଆଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ । ହେଲେ ପ୍ରତିଶ୍ରୁତିକୁ ମାସେ ପୁରିବାକୁ ଯାଉଥିଲେ ମଧ୍ୟ ପ୍ରତିଶୃତି ପ୍ରତିଶୃତିରେ ରହିଯାଇଥିଲା । ଶେଷରେ କୌଣସି ଉପାୟ ନପାଇ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଓ ଛାତ୍ରଛାତ୍ରୀ ମାନେ ଆଜି ସକାଳ ୧୦ ଘଣ୍ଟା ସମୟରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ମାରି ଫାଟକ ସାମନାରେ ଧାରଣାରେ ବସିଥିଲେ । ଖବର ପାଇ ନର୍ଲା ବ୍ଲକ୍ ଶିକ୍ଷାଧିକାରୀ ତପିମଣି ଜାନୀ, ସହକାରୀ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ ଭଟାଙ୍ଗ ବିଦ୍ୟାଳୟରେ ପହଞ୍ଚି ଆସନ୍ତା କାଲି ଶିକ୍ଷକ ଦିଆଯିବ ବୋଲି ପ୍ରତିଶୃତି ଦେବାପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ଧାରଣାରୁ ନିବୃତ ହୋଇଥିଲେ । ହେଲେ ଦେଖାଯାଉ ନର୍ଲା ଶିକ୍ଷା ବିଭାଗ ଦେଇଥିବା ପ୍ରତିଶୃତି ରକ୍ଷାକରି ଭଟାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଶିକ୍ଷକ ଦେବାର ବ୍ୟବସ୍ଥା କରୁଛନ୍ତି ନା ପ୍ରତିଶୃତି ପୂର୍ବ ଭଳି ପାଣିର ଗାର ସାଜୁଛି ??

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.