ନବରଙ୍ଗପୁରଠାରେ ସମ୍ମାନିତ ହେଲେ କଳାହାଣ୍ଡି ଜିଲ୍ଲାର ଦୁଇଜଣ ଶିକ୍ଷକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନିଜର ଅସାଧାରଣ ଦକ୍ଷତା, ଛାତ୍ର ବତ୍ସଳତା ସହିତ ଶିକ୍ଷାନୁଷ୍ଠାନ ପରିଚାଳନାର କୁଶଳତାକୁ ଆଖି ଆଗରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସ୍କୁଲ ସମୂହ ତରଫରୁ ନବରଙ୍ଗପୁରଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ସାତଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି ।

ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ କଳାହାଣ୍ଡି, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାର ସ୍କୁଲ ସମୂହକୁ ନେଇ କଳାହାଣ୍ଡି ଶିକ୍ଷା ଜୋନ ଗଠିତ ହୋଇଥିବାବେଳେ ନବରଙ୍ଗପୁର ମିଶନଶକ୍ତି ସମ୍ମିଳନୀ କକ୍ଷଠାରେ ଜୋନସ୍ତରୀୟ ଶିକ୍ଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଶିକ୍ଷା ଜିଲ୍ଲା ମଣ୍ଡଳାଧୀଶ କମଳାକାନ୍ତ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ କମଳଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରେଷ୍ଠ ବିବେଚିତ ସାତଜଣ ଶିକ୍ଷକଙ୍କୁ ସମ୍ମାନିତ କରିଥିଲେ ।

ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମଧୁପୁରସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ବେଦବ୍ୟାସ ପ୍ରଧାନ ଓ ଥୁଆମୂଳ ରାମପୁର ବ୍ଲକ ବିଷମଗିରି ସ୍କୁଲର ଶିକ୍ଷକ ରାଜକୁମାର ଶୈଳଙ୍କୁ ସମ୍ମାନିତ କରାଯାଇଥିଲା । ସୂଚନାଯୋଗ୍ୟ, ସାରା ରାଜ୍ୟରେ ଏକ ଆଦର୍ଶ ସ୍କୁଲର ମାନ୍ୟତା ପାଇଥିବା ମଧୁପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀ ପ୍ରଧାନ ଶିକ୍ଷକତା କରିବା ସହିତ ଜଣେ ଉଚ୍ଚକୋଟୀର କବି, ଲେଖକ, ପ୍ରାବନ୍ଧିକ, ସୁବକ୍ତା ଭାବେ ଖ୍ୟାତି ଅର୍ଜନ କରିଛନ୍ତି ।

ମଧୁପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀମାନେ ପ୍ରତିବର୍ଷ ଲଗାତାର ଶତ ପ୍ରତିଶତ ସଫଳତା ପାଇବା ହେଉ କିମ୍ବା ବିଦ୍ୟାଳୟର ଛାତ୍ରୀମାନେ କ୍ରୀଡା ସମେତ ଅନ୍ୟାନ୍ୟ ବିଭାଗରେ ରାଜ୍ୟସ୍ତରୀୟ ସଫଳତା ଅର୍ଜନ କରିବା ପଛରେ ଶ୍ରୀ ପ୍ରଧାନଙ୍କ କର୍ତ୍ତବ୍ୟ ନିଷ୍ଠା ଓ ଦାୟିତ୍ୱବୋଧ ପ୍ରତିଫଳିତ ହୋଇଥାଏ । ନବରଙ୍ଗପୁରଠାରେ ଶ୍ରୀ ପ୍ରଧାନ ସମ୍ବର୍ଦ୍ଧିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବାବେଳେ ଅଭିଭାବକଙ୍କ ସମେତ ଅଞ୍ଚଳବାସୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.