ସେଣ୍ଟ ଜାଭିଅର ହାଇ ସ୍କୁଲ ଦ୍ୱାରା ଶିକ୍ଷକ ପର୍ବ ପାଳନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲାର ଭାକୁରଗୁଡ଼ା ସ୍ଥିତ ସେଣ୍ଟ ଜାଭିଅର ବିଦ୍ୟାଳୟର ଦୁଇଟି ଶାଖାକୁ ନେଇ ଶିକ୍ଷକ ପର୍ବ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଓ ସେଣ୍ଟ ଜାଭିଅର ବିଦ୍ୟାଳୟର ନିର୍ଦ୍ଦେଶକ ଡ଼କ୍ଟର ଜି. ଶ୍ରୀନିବାସ ପଟ୍ଟନାୟକ ତଥା ବିଦ୍ୟାଳୟ ପରିଚାଳକ ଅକ୍ଷୟ ପ୍ରଧାନ , ପ୍ରଧାନ ଅଧ୍ୟକ୍ଷା ନାସ୍ତେଇନ ବେଗମ, ପ୍ରଧାନ ଅଧ୍ୟକ୍ଷ ନିରଞ୍ଜନ ପାତ୍ର, ପ୍ରଧାନ ଶିକ୍ଷକ ରମେଶ ପଟ୍ଟନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହର ସହ ପାଳନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଥମେ ମୁଖ୍ୟ ଅତିଥି , ପ୍ରଧାନ ଅଧ୍ୟକ୍ଷ, ପ୍ରଧାନ ଅଧ୍ୟକ୍ଷା, ବିଦ୍ୟାଳୟ ପରିଚାଳକ ଓ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ବିବେକାନନ୍ଦ ଶର୍ମା ଓ ଜି.ଏସ.ପଟ୍ଟନାୟକ ନିଜ ଅଭିଭାଷଣରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ କର୍ତ୍ତବ୍ୟ ନିଷ୍ଠା, ଦାୟିତ୍ୱବାନ ହୋଇ ଛାତ୍ରଛାତ୍ରୀଙ୍କୁ ଏକ ଶୃଙ୍ଖଳିତ ଜ୍ଞାନ ଦେବା ପାଇଁ ଆହ୍ୱାନ କରି ଉତ୍ସାହିତ କରିଥିଲେ । ଏପରିକି ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ ପ୍ରଦାନ କରାଗଲେ ଦେଶର ଉତ୍ତମ ନାଗରିକ ଭାବେ ପରିଗଣିତ ହୋଇପାରିବେ । ଯଦ୍ୱାରା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଏଥିରେ ମୁଖ୍ୟ ଭୂମିକା ରହିଛି ବୋଲି ଉଦବୋଧନ ଦେଇଥିଲେ । ଅତିଥି ଦ୍ୱୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଅଧ୍ୟକ୍ଷା ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ସମସ୍ତଙ୍କ ମନୋରଞ୍ଜନ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉଦ୍ଦେଶ୍ୟରେ ଡ଼କ୍ଟର ଜି. ଏସ. ପଟ୍ଟନାୟକ ମଧ୍ୟ ଏକ ସୁନ୍ଦର ସଂଗୀତ ପରିବେଷଣ କରିଥିଲେ । ଏହା ସହ ମୁଖ୍ୟ ଅତିଥିଙ୍କ ଆଗ୍ରହରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଏକ ସଂଗୀତ ତାଳରେ ନୃତ୍ୟ ଦ୍ୱାରା ମନୋରଞ୍ଜନ କରାଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଧନ୍ୟବାଦ ଜ୍ଞାପନ ପରେ ଜାତୀୟ ସଂଗୀତ ଦ୍ୱାରା କାର୍ଯ୍ୟକ୍ରମ ସମାପନ କରା ଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.