ପିଏମ୍ ଶ୍ରୀ ସ୍କୁଲ ହେବ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ –ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ (ପିଏମଶ୍ରୀ) ଯୋଜନାକୁ ମଞ୍ଜୁର ଦିଆଯାଇଛି । ଏହି ଯୋଜନାରେ ସମଗ୍ର ଭାରତବର୍ଷରେ ବିକଶିତ ଓ ନବୀକରଣ ହେବାକୁ ଥିବା ପିଏମ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବରେ ବିବେଚିତ ହେବ ବୋଲି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଗୁରୁ ଦିବସ ଅବସରରେ ପିଏମ ଶ୍ରୀ ଯୋଜନାର ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ଆଜି ସେହି ଦିଗରେ ବୃହତ ପଦକ୍ଷେପ ସ୍ୱରୂପ ଦେଶରେ ଏକ ନୂଆ ମଡେଲ ଆଣିବା ପାଇଁ ପିଏମ ଶ୍ରୀ ଯୋଜନାକୁ କ୍ୟାବିନେଟ ଅନୁମୋଦନ ମିଳିଛି । ୨୦୨୨-୨୩ ରୁ ୨୦୨୬-୨୦୨୭ ପର୍ଯ୍ୟନ୍ତ ଆଗାମୀ ୫ ବର୍ଷ ମଧ୍ୟରେ ୨୭, ୩୬୦ କୋଟି ଟଙ୍କା ବ୍ୟୟରେ ଦେଶର ୧୪, ୫୯୭ ସ୍କୁଲର ବିକାଶ କରାଯିବା ସହ ଗୁଣାତ୍ମକ ମାନ ବୃଦ୍ଧି କରାଯିବ । ପ୍ରତି ବ୍ଲକରେ ସର୍ବାଧିକ ୨ଟି ପିଏମ ଶ୍ରୀ ସ୍କୁଲ ବିକଶିତ କରାଯିବ । ଚ୍ୟାଲେଞ୍ଜ ପଦ୍ଧତିରେ ସ୍କୁଲର ଚୟନ କରାଯିବ । ସ୍କୁଲ ଚୟନ ପାଇଁ ଏକ ପୋର୍ଟାଲ ଖୋଲାଯିବ । ରାଜ୍ୟ ସରକାର କିମ୍ବା ରାଜ୍ୟର ଅନୁମତିରେ ସ୍କୁଲ ଗୁଡ଼ିକ ଏଥିପାଇଁ ଆବେଦନ କରିପାରିବେ । ସ୍କୁଲ ଚୟନ ପାଇଁ ୬୦ରୁ ଅଧିକ ମାପଦଣ୍ଡ ପ୍ରସ୍ତୁତ କରାଯାଇଛି । ସ୍କୁଲର ପକ୍କା ଘର, ବିଜୁଳି ସଂଯୋଗ ସହ ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ, ପିଇବା ପାଣି, ପ୍ଲେ ଗ୍ରାଉଣ୍ଡ, ଦିବ୍ୟାଙ୍ଗଙ୍କ ବ୍ୟବସ୍ଥା ସହ ଅନ୍ୟାନ୍ୟ ଭିତ୍ତିଭୂମିକୁ ତଦାରଖ କରାଯିବ ।

ଦେଶରେ ଜାତୀୟ ଶିକ୍ଷା ନୀତି-୨୦୨୦ର କ୍ରିୟାନ୍ୱୟନ ବେଳେ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଗୁଣାତ୍ମକ ଶିକ୍ଷାର ପ୍ରତିଶ୍ରୁତିକୁ ପାଳନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ମର୍ମରେ ପିଏମ ସ୍କୁଲର ମୂଳ ଉଦ୍ଦେଶ୍ୟ ଗୁଣାତ୍ମକ ମାନ ବୃଦ୍ଧି କରିବା । ବିଶ୍ୱର ଆବଶ୍ୟକତାକୁ ଧ୍ୟାନରେ ରଖି ଗ୍ରୀନ ସ୍କୁଲ କଳ୍ପନାରେ ପିଏମ ଶ୍ରୀ ସ୍କୁଲକୁ ନିର୍ମାଣ କରାଯିବ । ସ୍କୁଲରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଟେକ୍ନୋଲୋଜି ଆଧାରିତ ହେବ । ଆଇସିଟି, ଡ଼ିଜିଟାଲ ଲ୍ୟାବ, ଡିଜିଟାଲ ଲାଇବ୍ରେରୀ, ଡିଜିଟାଲ ଲର୍ଣ୍ଣିଂ ଟୁଲ୍ସ ବ୍ୟବସ୍ଥା ରହିବ । କେନ୍ଦ୍ର ସରକାର ଭର୍ଚ୍ଚୁଆଲ ଲ୍ୟାବର କଳ୍ପନା କରିଥିବା ବେଳେ ୩ଡି ଲ୍ୟାବର ମଧ୍ୟ ବ୍ୟବସ୍ଥା କରାଯିବାର ଯୋଜନା ରହିଛି । ସେହିପରି ଧନ୍ଦାମୂଳକ ଶିକ୍ଷା, ଉଦ୍ୟମିତା ଶିକ୍ଷା ସ୍କୁଲ ପାଠ୍ୟକ୍ରମର ଅଂଶବିଶେଷ ହେବ । କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯିବ । ପୃଷ୍ଟିକର ବଗିଚା, ବର୍ଜ୍ୟ ପରିଚାଳନା, ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ, ଜଳ ସଂରକ୍ଷଣ, ପାରମ୍ପରିକ ପଦ୍ଧତିରେ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ହାକାଥନ ଏବଂ ଏକ ସୁସ୍ଥକର ଜୀବନଶୈଳି ଆପଣାଇବା ସଚେତନ କରାଯିବ । ୧୦ ଦିନ ଧରି ବ୍ୟାଗଲେସ୍ ଏକ୍ସପରିମେଣ୍ଟ ଆରମ୍ଭ ହେବ । ଭାଷା ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ । ଏଭଳି ଏକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ, ଯେଭଳି ଛାତ୍ରଛାତ୍ରୀମାନେ ଦ୍ୱାଦଶ ପାସ ଉତ୍ତୀର୍ଣ୍ଣ ହେଲା ପରେ ବିଭିନ୍ନ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ ହୋଇପାରୁଥିବେ । ଏହି ସ୍କୁଲ ଦ୍ୱାରା ପାଖାପାଖି ୨୦ ଲକ୍ଷ ବିଦ୍ୟାର୍ଥୀ ଲାଭବାନ ହେବେ । ପିଏମ ଶ୍ରୀ ସ୍କୁଲ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟକୁ ପୂରଣ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ବର୍ତ୍ତମାନ ସମୟରେ ଭାରତ ସରକାର ‘ବିଦ୍ୟା ସମୀକ୍ଷା କେନ୍ଦ୍ର’ର ଏକ ଉତ୍ତମ କଳ୍ପନା ଦେଶ ସାମ୍ନାରେ ରଖିଛନ୍ତି । ଏହା ଅଧୀନରେ ସ୍କୁଲର ପ୍ରଶାସନିକ ବିଭାଗକୁ ପାରଦର୍ଶୀ କରିବା ପାଇଁ, ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ପ୍ରଦର୍ଶନକୁ ଏହି ଶିକ୍ଷା କେନ୍ଦ୍ର ଦ୍ୱାରା ଟ୍ରାକିଂ କରାଯିବ । ଯେଉଁଥିରେ ଉକ୍ତ ସ୍କୁଲର ଜୈନେକ ଛାତ୍ରଛାତ୍ରୀଙ୍କ ଯେ କୌଣସି ବିଷୟକୁ ଟ୍ରାକ୍ କରାଯାଇପାରି । ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ଓ କାଉନସେଲିଂ ହେବା ଦ୍ୱାରା ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ସବୁ ବିଷୟରେ ଥିବା ସଠିକ୍ ଜ୍ଞାନ ଓ ଦୁର୍ବଳତାକୁ ତଦାରଖ କରିପାରିବେ । ଚଳିତ ବର୍ଷ ପିଏମ ଶ୍ରୀ ସ୍କୁଲରେ ଦେଶବ୍ୟାପୀ ପାଇଲଟ ମୋଡରେ ଏହି ପୋର୍ଟାଲର ବ୍ୟବସ୍ଥା କରାଯିବ ।

ଦେଶରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ପଇସା ସିଧାସଳଖ ଡିବିଟି ମାଧ୍ୟମରେ ସ୍କୁଲକୁ ହସ୍ତାନ୍ତର କରାଯିବ । ପ୍ରଧାନମନ୍ତ୍ରୀ ପାରଦର୍ଶୀତାକୁ ଗୁରୁତ୍ୱ ଦେଉଥିବା ବେଳେ ଅନୁଦାନ ସିଧାସଳଖ ସ୍କୁଲର ବ୍ୟାଙ୍କ୍ ଆକାଉଣ୍ଟକୁ ଯିବ । ବିଦ୍ୟାଳୟର ପ୍ରିନ୍ସପାଲ, ମ୍ୟାନେଜମେଣ୍ଟ କମିଟି, ଶିକ୍ଷକମାନେ ଏଥିରେ ଯୋଡ଼ି ହେବେ । ପ୍ରଧାନମନ୍ତ୍ରୀ ପାର୍ଟିସିପେଟାରୀ ଗଭର୍ଣ୍ଣାସ ଆଣିବା କଳ୍ପନାରେ ପିଏମ ଶ୍ରୀ ସ୍କୁଲକୁ ଆସୁଥିବା ପାଣ୍ଠିର ୪୦ ପ୍ରତିଶତ ସ୍ଥାନୀୟ କମିଟି, ସ୍କୁଲ ପ୍ରିନ୍ସିପାଲ ଓ ଅଭିଭାବକଙ୍କ ଦାୟିତ୍ୱରେ ରହିବ । ସରକାର କିମ୍ବା ପ୍ରଶାସନ ନୁହେଁ ସ୍କୁଲ ପାଇଁ କ’ଣ ଆବଶ୍ୟକତା ରହିଛି କିମ୍ବା କିଭଳି ପାଠ୍ୟକ୍ରମରେ ସେହି ଅର୍ଥର ସଦୁପଯୋଗ ହୋଇପାରିବ, ଏଭଳି ସ୍ୱାଧୀନତା ଦିଆଯାଇଛି । ଏହାବ୍ୟତିତ ସ୍କିଲ ସେକ୍ଟର କାଉନସିଲ ଏବଂ ସ୍ଥାନୀୟ ଶିଳ୍ପସଂସ୍ଥା ସହ ସମ୍ପର୍କ ସ୍ଥାପନ କରାଯାଇ ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ କରିବାର ସୁଯୋଗ ପ୍ରଦାନ କରିବା ଦିଗରେ ଧ୍ୟାନ ଦିଆଯିବ । ଶିକ୍ଷା ଗ୍ରହଣର ପ୍ରଦର୍ଶନକୁ ଆକଳନ କରିବା ପାଇଁ ସ୍କୁଲ କ୍ୱାଲିଟି ଆସେସମେଣ୍ଟ ଫ୍ରେମଓ୍ୱାର୍କ ପ୍ରସ୍ତୁତ କରାଯାଉଛି ।

ଦେଶରେ ପ୍ରଥମ ଥର ଡ଼ିବିଟି, ଲାଷ୍ଟ ମାଇଲ ଟ୍ରାକିଂ ଓ ଫ୍ଲେକ୍ସିବିଲିଟି ଏକବିଂଶ ଶତାବ୍ଦୀର ସ୍କୁଲ ଗଭର୍ଣ୍ଣାସର ବହୁତ ବଡ଼ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସାରା ଦେଶରେ ଏହି ଯୋଜନାକୁ କ୍ରିୟାନ୍ୱୟନ ପୂର୍ବରୁ ମାରାଥନ ପର୍ଯ୍ୟାୟରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ବିଗତ ଗୋଟିଏ ବର୍ଷ ବିଚାର ବିମର୍ଷ ହୋଇଛି । ରାଷ୍ଟ୍ରୀୟ ଶିକ୍ଷା ନୀତି ଅଧୀନରେ ଏହି ଉପହାରକୁ ସମଗ୍ର ଦେଶର ସ୍କୁଲ ବିଦ୍ୟାର୍ଥୀଙ୍କୁ ସମର୍ପିତ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଦୁଇ ବର୍ଷ ହେବ ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ କରାଯାଇଛି । ରାଷ୍ଟ୍ରୀୟ ଶିକ୍ଷା ନୀତିରେ ପ୍ରମୁଖ ବିନ୍ଦୁ ଗୁଡ଼ିକ ହେଲା ଏକବିଂଶ ଶତାବ୍ଦୀରେ ନୂଆପିଢି ରାଷ୍ଟ୍ରୀୟ ଶିକ୍ଷା ନୀତି ତିଆରି କରିବ । ବୈଶ୍ୱିକ ନାଗରିକ ତିଆରି କରିବ । ଭାରତୀୟ ଭାଷା, ଭାରତୀୟ ପଦ୍ଧତି ଆଧାରିତ ଏନଇପିର ପ୍ରମୁଖ ଅଂଶ । ଏହାକୁ କ୍ରିୟାନ୍ୱୟନ କରିବା ପାଇଁ ପାଠ୍ୟକ୍ରମ ଠାରୁ ଆରମ୍ଭ କରି ସ୍କୁଲର ଢାଞ୍ଚାରେ ପରିବର୍ତ୍ତନ କରାଯାଉଛି । ସମଗ୍ର ଶିକ୍ଷା ଅଭିଯାନ, ପିଏମ ପୋଷଣ ଅଭିଯାନ ଏଭଳି ମହତ୍ୱକାଂକ୍ଷୀ ଯୋଜନା ସରକାରଙ୍କ ଅଧୀନରେ କାର୍ଯ୍ୟକାରୀ କରାଯାଉଛି । ଏନଇପିରେ ଦେଶରେ ପ୍ରଥମ ଥର ପାଇଁ ସରକାରୀ ସ୍କୁଲରେ ପ୍ଲେ ସ୍କୁଲର କଳ୍ପନା କରାଯାଇଛି, ଯାହା କ୍ରୀଡ଼ା ପ୍ରତି ପ୍ରୋତ୍ସାହନ ସହ ପିଲାଙ୍କୁ ନୂଆ ଉର୍ଜା ଦେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରେସମିଟରେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.