ବର୍ଷଟେ ହେଲା ବନ୍ଦ ପଡିଛି ସର୍ଗିଗୁଡା ଷ୍ଟ୍ରିଟ ଲାଇଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଷ୍ଟ୍ରିଟ ଲାଇଟ ବର୍ଷଟେ ହୋଇଗଲାଣି ବନ୍ଦ ହୋଇ ପଡିଛି । ସର୍ଗିଗୁଡା ଗ୍ରାମ ପଞ୍ଚାୟତର ସର୍ଗିଗୁଡା, ନର୍ଲାରୋଡ, ତୁଳାଗାଁ, ଭଟାଙ୍ଗ, ପଟାଙ୍ଗପଡା, ବେହେରାପଟି ପ୍ରଭୃତି ଗ୍ରାମର କେନ୍ଦ୍ରସ୍ଥଳ ଗୁଡିକରେ ଚାରିମୁହାଁ ଉଚ୍ଚ ହାଇମାକ୍ସ ଏଲଇଡି ସବୁ ଲାଗିଛି । ଏହାବାଦ୍ ଉପରୋକ୍ତ ଗ୍ରାମ ଗୁଡିକର ବସ୍ତି ମଝିରେ ମଧ୍ୟ ସ୍ଥାନେ ସ୍ଥାନେ ଏଲଇଡି ଷ୍ଟ୍ରିଟ ଲାଇଟ ସବୁ ଲାଗିଛି । ହେଲେ ୨୦୧୯ ମସିହାର ଶେଷ ଆଡକୁ ଷ୍ଟ୍ରିଟ୍ ଲାଇଟ ସବୁ ଖରାପ ହୋଇ ଧିରେ ଧିରେ ବନ୍ଦ ହୋଇ ପଡିଥିଲା । ୨୦୨୦ ରେ ତତ୍କାଳୀନ ସରପଞ୍ଚ ନରସିଂହ କୁମାର କିଛି ଷ୍ଟ୍ରିଟ ଲାଇଟ ମରାମତି କରିଥିଲେ ଏବଂ କେତେକ ପୋଷ୍ଟରେ ଆବଶ୍ୟକ ଅନୁଯାୟୀ ନୂଆ ଲାଇଟ ସବୁ ଲଗାଯାଇଥିଲା । ହେଲେ ୨୦୨୧ ମସିହାରୁ ୮୦ ପ୍ରତିଶତ ଷ୍ଟ୍ରିଟ ଲାଇଟ ସବୁ ଖରାପ ହୋଇ ବନ୍ଦ ହୋଇ ପଡିଛି । ବିଶେଷ କରି ସର୍ଗିଗୁଡା ରେଳବାଇ ଗେଟ ଫାଟକରୁ ନର୍ଲାରୋଡ ଯାଏଁ ଦେଢ କି.ମି ଷ୍ଟେସନ ଯିବାର ମୁଖ୍ୟ ରାସ୍ତା କଡେ ପ୍ରାୟତଃ ଷ୍ଟ୍ରିଟ ଲାଇଟ ସବୁ ବର୍ଷଟେ ହେଲା ବନ୍ଦ ହୋଇ ପଡିଛି । ସର୍ଗିଗୁଡା ବସ୍ତି ଭିତରର ଦୁଇଗୋଟି ଷ୍ଟ୍ରିଟ ଲାଇଟ ମଧ୍ୟ ବର୍ଷଟେ ହେଲା ବନ୍ଦ ହୋଇପଡିଛି । ଆଗକୁ ଦୁର୍ଗାପୂଜା ଆସୁଛି । ବହୁ ପ୍ରସିଦ୍ଧ ନର୍ଲାରୋଡ଼ ଦୁର୍ଗା ପୂଜା ଦେଖିବା ପାଇଁ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଆସିବେ । ସର୍ଗିଗୁଡା ରେଳବାଇ ଗେଟ ଫାଟକରୁ ନର୍ଲାରୋଡ ଯାଏଁ ମୁଖ୍ୟ ରାସ୍ତା ଷ୍ଟ୍ରିଟ ଲାଇଟ ନଥିବା ଯୋଗୁଁ ଘନ ଅନ୍ଧକାରରେ ବୁଡି ରହୁଛି । ସ୍ଥାନୀୟ ଲୋକେ ଏବଂ ରେଳ ଷ୍ଟେସନକୁ ଯାଉଥିବା ଯାତ୍ରୀମାନେ ଘନ ଅନ୍ଧକାର ରାସ୍ତା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରୀୟା ରଖିଥିବା ବେଳେ ସର୍ଗିଗୁଡା ସରପଞ୍ଚଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆଙ୍କ ମତାମତ ନେବାରୁ ସେ କହିଛନ୍ତି ନୂଆ ବିଜୁଳି ବତୀ ଲଗେଇବା ପାଇଁ କିମ୍ବା ମରାମତି ପାଇଁ ଗ୍ରାମ ପଞ୍ଚାୟତରେ ଫଣ୍ଡ କିଛି ବି ନାହିଁ । ସବୁ ଖାଲି ହୋଇ ପଡିଛି । ସିଏଫ୍ସି କିମ୍ବା ଏସ୍ଏଫ୍ସି ଫଣ୍ଡରେ ଟଙ୍କା ଥିଲେ ମରାମତି କରି ହୁଅନ୍ତା, ତାହା ମଧ୍ୟ ନାହିଁ । ମେଣ୍ଟେନାନ୍ସ ପାଇଁ କିଛି ଟଙ୍କା ରଖିକି ଖର୍ଚ୍ଚ କରିବା କଥା ତାହା ମଧ୍ୟ ଗ୍ରାମ ପଞ୍ଚାୟତ ଅଫିସରେ ଫଣ୍ଡ ନାହିଁ । ଏବେ ଆମେ ନିର୍ବାଚିତ ହୋଇ ଆସିବା ପରେ ଷ୍ଟ୍ରିଟ ଲାଇଟ, ଗ୍ରାମ ପଞ୍ଚାୟତ ଅଫିସ୍ ବିଲ ଓ ପାନୀୟ ଜଳ ଯୋଗାଣ ବାବଦକୁ ବିଦ୍ୟୁତ ବିଲ ୨ ଲକ୍ଷ ୨୦ ହଜାର ଟଙ୍କା ପଇଠ କଲୁ । ତଥାପି ଦୁର୍ଗାପୂଜା ଆଗରୁ କୋଉଠୁ କିଛି ଫଣ୍ଡ ଯୋଗାଡ କରି ଷ୍ଟ୍ରିଟ ଲାଇଟ ମରାମତି ଓ ଅତି ଜରୁରୀ ସ୍ଥାନରେ ନୂଆ କିଛି ଲାଇଟ ଲଗେଇବାର ବ୍ୟବସ୍ଥା କରିବା ବୋଲି କହିଛନ୍ତି । ଏହାବାଦ୍ ଅଦ୍ୟାବଧି ଗ୍ରାମ ପଞ୍ଚାୟତ ଅଫିସକୁ ସିଏଫ୍ସି ଓ ଏସ୍ଏଫ୍ସି ଫଣ୍ଡ ଆସିନାହିଁ । ଏବେ ନୂଆ ଭାବରେ ସିଏଫ୍ସି ଓ ଏସ୍ଏଫ୍ସି ଫଣ୍ଡ ଆସିଲେ ଷ୍ଟ୍ରିଟ ଲାଇଟ ମରାମତି ବାବଦକୁ ଫଣ୍ଡ ରଖିଦେଇ ବାକି ଅନ୍ୟାନ୍ୟ ଦିଗରେ ଖର୍ଚ୍ଚ କରାଯିବ ବୋଲି ଶ୍ରୀ ବୁଦ୍ଧିଆ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.