ଇନ୍ଦ୍ରାବତୀ ଉଠାଜଳ ସେଚନ ନିର୍ବାହୀ ଯନ୍ତ୍ରୀ କୁସୁମଖୁଣ୍ଟିଙ୍କ କାର୍ଯ୍ୟାଳୟରେ ଚାଷୀଙ୍କ ଧାରଣା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଧର୍ମଗଡ଼ ଉପଖଣ୍ଡ ଅଞ୍ଚଳ କୋକସରା ବ୍ଲକ ଓ ଦଣ୍ଡପାଟ ଅଞ୍ଚଳର ଚାଷୀ ମାନେ ଆଶ୍ବସ୍ତି ଅନୁଭବ କରୁଥିଲେ କି ଖରିପ ଫସଲକୁ ମରୁଡି ଦାଉରୁ ରକ୍ଷା ପାଇପାରିବେ । ପ୍ରାୟ ୨୫ ହଜାର ୨ ସହ ୭୫ ହେକ୍ଟର ଜମିକୁ ପାଣି ମାଡିବା ପାଇଁ ବିଭାଗ ପକ୍ଷରୁ ଲକ୍ଷ୍ୟ ରହିଥିଲା । କିନ୍ତୁ ଇନ୍ଦ୍ରାବତୀ ଉଠାଜଳସେଚନ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର ବେପରୁଆ ମନୋଭାବ ଯୋଗୁଁ ପାଣିନ ପାଇ ଚାଷୀଙ୍କ ଶହ ଶହ ହେକ୍ଟର ଜମି ଫାଟି ଆଁ କଲାଣି । ମେଗାଲିଫ୍ଟ ପାଇପ ନିମ୍ନମାନର ଓ ଆକାମୀ ଯୋଗୁଁ ଚାଷୀମାନେ ପାଣି ପାଇପାରୁନଥିବା ଅଭିଯୋଗ କରି ସୋମବାର ଦଣ୍ଡପାଟ ଅଞ୍ଚଳର ଚାଷୀମାନେ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇ ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ କୀଟନାଶକ ପିଇ ଆତ୍ମହତ୍ୟା କରି ଜୀବନ ହାରିବେ ବୋଲି ଚେତାବନୀ ଦେଇଛନ୍ତି ।

ବାଙ୍କୀମୁଣ୍ଡା, ଦଲସର୍ଗି, ଖପ୍ରାମାଲ ଏହି ତିନୋଟି ଗ୍ରାମର ଚାଷୀ ମୋହନ ତିୱାରୀ, ପ୍ରଶାନ୍ତ ତିୱାରୀ, କିଶୋର ଧାରୁଆ, ମାନସିଂ ଭରତିଆ, ରୁଦ୍ର ପୁଝାରି, ହର୍ଦ୍ଦୁ ସିଂ ଗୋପାଳ, ନେମାଲ ମାଝୀ, ଭୁପେଶ ତିୱାରୀ, ବଳଭଦ୍ର ଗୋପାଳ, ଶୁକଚନ୍ଦ୍ର ଗୋପାଳ, ଯୁଗେଶ୍ୱର ପୁଝାରି, ଜଗମୋହନ ମାଝୀ ସମେତ ଅନ୍ୟ ଚାଷୀମାନେ ଆଜି ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଏନେଇ ଉଠା ଜଳସେଚନର ସହକାରୀ ଯନ୍ତ୍ରୀ ସନ୍ଦୀପ କୁମାର ବାଗଙ୍କ ପ୍ରତିକ୍ରିୟା ନେବାରୁ ଚାଷୀଙ୍କ ଅଭିଯୋଗ ଅନୁସାରେ ପାଇପ ଲାଇନ କାମ ଜାରି ରହିଛି । କିଛି ଆଉଟଲେଟରେ ତ୍ରୁଟି କାରଣରୁ ଜଳସେଚନରେ ଅସୁବିଧା ଦେଖାଦେଇଛି । ଶୀଘ୍ର ମରାମତି କରି ଚାଷୀଙ୍କୁ ଜଳଯୋଗାଣ କରାଯିବ ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.