ରାଜ୍ୟପାଳଙ୍କ ଦ୍ଵାରା ଦ୍ବିତୀଚନ୍ଦ୍ର ସାହୁଙ୍କ ଗଳ୍ପ ପୁସ୍ତକ ‘କିଞ୍ଚିତ’ ପାଠକାର୍ପିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବହୁଳ ପଠିତ ସ୍ତମ୍ଭକାର ତଥା ଗାଳ୍ପିକ ଦ୍ବିତୀ ଚନ୍ଦ୍ର ସାହୁଙ୍କ ଗଳ୍ପ ପୁସ୍ତକ ‘କିଞ୍ଚିତ’କୁ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପାଠକାର୍ପଣ କରିଛନ୍ତି । ଆଜି ଦିନିକିଆ ରାୟଗଡ ଗସ୍ତକ୍ରମରେ ଆସିଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାୟଗଡ ସର୍କିଟ ହାଉସରେ ଶ୍ରୀ ସାହୁଙ୍କ ପୁସ୍ତକକୁ ଉନ୍ମୋଚନ କରି ଶ୍ରୀ ସାହୁଙ୍କ ନିଷ୍ଠାପର ସାହିତ୍ୟ ସାଧନାକୁ ପ୍ରଶଂସା କରିଥିଲେ । ପୁସ୍ତକ ସମ୍ପର୍କରେ ଶ୍ରୀ ସାହୁ ବିଶଦ ଭାବେ ବୁଝାଇଥିଲେ । ଏଇ ଉନ୍ମୋଚନ ପର୍ବରେ ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ତଥା ପ୍ରସିଦ୍ଧ କବି ରକ୍ଷକ ନାୟକ, ଶିକ୍ଷାବିତ ତଥା ସ୍ତମ୍ଭକାର ଡ଼ ଦୁଷ୍ମନ୍ତ କୁମାର ମହାନ୍ତି, କବିୟତ୍ରୀ ତଥା ଅବସର ପ୍ରାପ୍ତ ପ୍ରାଧ୍ୟାପିକା କୃଷ୍ଣପ୍ରିୟା ସାହାଣୀ, କୋଲନରା ବିପିଏମ କଳ୍ପନା ମିଶ୍ର , କୀର୍ତ୍ତିକଳ୍ପା ସାହୁ, ଚନ୍ଦ୍ରାଦିତ୍ୟ ସାହୁ ଓ ନିର୍ବାଣ ସାହୁ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ତଥା ପ୍ରସିଦ୍ଧ କବି ରକ୍ଷକ ନାୟକ ଗାଳ୍ପିକ ଦ୍ବିତୀ ଚନ୍ଦ୍ରଙ୍କ ସାହିତ୍ୟ ସାଧନା ସମ୍ପର୍କରେ ଅବଗତ କରାଇଥିଲେ । ବିଶେଷକରି ଜନଜାତି ଗବେଷଣାରେ ଶ୍ରୀ ସାହୁଙ୍କ ପରିପକ୍ବତା ସମ୍ପର୍କରେ ଜାଣିବା ପରେ ରାୟଗଡ଼ା ଜିଲ୍ଲାର ଜନଜାତିଙ୍କ ସମ୍ପର୍କରେ ଅଧିକ ଜାଣିବାକୁ ରାଜ୍ୟପାଳ ଆଗ୍ରହ ପ୍ରକଟ କରିଥିଲେ । ନାଲକୋ ଅନୁଗୁଳର ଅଧିକାରୀ ସୁକାନ୍ତ କୁମାର ନାୟକଙ୍କ ସହଯୋଗରେ ଭୁବନେଶ୍ଵରସ୍ଥ ତୀର ତରଙ୍ଗ ପ୍ରକାଶନୀ ଦ୍ଵାରା ପ୍ରକାଶିତ ଅଳ୍ପଗଳ୍ପ ସଙ୍କଳନ କିଞ୍ଚିତରେ ମୋଟ ୫୬ଟି ଅଳ୍ପଗଳ୍ପ ସଂକଳିତ ହୋଇଛି । ସମସ୍ତ ଗପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ବିପୁଳ ପାଠକୀୟତା ଲାଭ କରିଛି । ପାଠକାର୍ପିତ ସଂକଳନ କିଞ୍ଚିତ ପାଠକୀୟ ଶ୍ରଦ୍ଧା ଲାଭ କରୁ ବୋଲି ମହାମହିମ ରାଜ୍ୟପାଳ ଶୁଭକାମନା ଜଣାଇଥିଲେ । ଏଥିପାଇଁ ଉପସ୍ଥିତ ଥିବା ଶିକ୍ଷାବିତ ଡ଼ ମହାନ୍ତି ରାଜ୍ୟପାଳଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । ଗାଳ୍ପିକ ଶ୍ରୀ ସାହୁ ଅଦ୍ୟାବଧି ୧୪ଟି ପୁସ୍ତକ ରଚନା କରିଥିବାବେଳେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ରାୟଗଡ଼ା ଜିଲ୍ଲାର ପିତାମହଲ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ସେ କର୍ମରତ । ଦ୍ବିତୀଚନ୍ଦ୍ର ଓଡ଼ିଆ ସାହିତ୍ୟ ଜଗତର ଜଣେ ସୁପରିଚିତ ଚେହେରା ଭାବେ ପରିଚିତ । ପୁସ୍ତକାର୍ପଣ ଅବସରରେ ବିଭିନ୍ନ ମହଲରୁ ଶ୍ରୀ ସାହୁଙ୍କୁ ଶୁଭେଛା ଜ୍ଞାପନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.