ସାହିତ୍ୟିକ କବି ବନ୍ଧୁ ପରିବାରରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ପକ୍ଷରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଓ ତେଲେଙ୍ଗାନାର ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ରଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଏହା ଆୟୋଜିତ ହୋଇଥିଲା । ପ୍ରାରମ୍ଭରେ ବିଶ୍ବେଶ୍ବର ମାଝୀ ଓମକାର ନାଦଧ୍ବନି କରିଥିବାବେଳେ ମୁଖ୍ୟ ସମ୍ପାଦିକା ପ୍ରଣତି ମହାପାତ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ପ୍ରବାଚକଙ୍କ ପରିଚୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ବରର ବିଶିଷ୍ଟ ଆଲୋଚକ ପଣ୍ଡିତ ମୁକୁନ୍ଦ ମହାରାଜ ଯୋଗଦେଇ ଅଷ୍ଟମ ଅଧ୍ୟାୟ ଅକ୍ଷର ବ୍ରହ୍ମ ଯୋଗର ଦଶଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା କରିଥିଲେ ।

ଯେଉଁ ପୁରୁଷ ସକଳ ଇନ୍ଦ୍ରିୟ ରୂପକ ଦ୍ବାରକୁ ରୁଦ୍ଧ କରି, ମନକୁ ହୃଦୟରେ ନିରୁଦ୍ଧ କରି ପ୍ରାଣକୁ ଭୃଦ୍ବୟର ମଧ୍ୟରେ ରଖି ଯୋଗସମାଧିସ୍ଥ ହୋଇ “ଓମ୍” – ଏହି ବ୍ରହ୍ମବାଚକ ଏକାକ୍ଷରକୁ ଉଚ୍ଚାରଣ କରୁ କରୁ ତଥା ମୋର ସ୍ବରୁପ ସ୍ମରଣ କରୁ କରୁ ଦେହତ୍ୟାଗ କରି ପରଲୋକ ଗମନ କରନ୍ତି, ସେ ପରମ ଗତି ଲାଭ କରନ୍ତି । ହେ ପାର୍ଥ ! ଯେଉଁ ଲୋକ ଅନନ୍ୟ ଚିତ୍ତରେ ନିରନ୍ତର ମୋତେ ସ୍ମରଣ କରେ, ସେହି ନିତ୍ୟଯୁକ୍ତ ଯୋଗୀ ମୋତେ ସହଜରେ ପ୍ରାପ୍ତ ହୁଅନ୍ତି ବୋଲି ପଣ୍ଡିତ ମୁକୁନ୍ଦ ମହାରାଜ ସୁନ୍ଦର ଭାବରେ ଶ୍ଲୋକର ଅର୍ଥ ବ୍ୟାଖ୍ୟା ମାଧ୍ୟମରେ ଉପସ୍ଥାପନ କରିଥିଲେ ।

ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୦ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇଥିଲେ । ଶେଷରେ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଅର୍ପଣ ଓ ସ୍ନେହ ମିଶ୍ର ଶାନ୍ତିପାଠ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.