ଅଲାବୁଲାରେ ଅଭାବନୀୟ ଘଟଣା: ବାରାହା ମରିବା ପରିବର୍ତ୍ତେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଅମୂଲ୍ୟ ଜୀବନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଗ୍ରାମ ପଞ୍ଚାୟତର ଅଲାବୁଲା ଶିବ ମନ୍ଦିର ନିକଟସ୍ଥ ପୋଖରି ପାଖରେ ଘଟିଯାଇଛି ଏକ ଅଘଟଣ । ବାରାହା ଶିକାରୀ ମାନେ ବିଛେଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗତକାଲି ରାତିରେ ଜଣେ ବ୍ୟକ୍ତିର ଜୀବନ ଚାଲି ଯାଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି ହୋଇଥିବା ଖବରରୁ ଜଣାପଡିଛି । ଖବର ନେବାରୁ ଜଣା ପଡିଛି କେଇ ଜଣ ବାରାହା ଶିକାର କରୁଥିବା ସ୍ଥାନୀୟ ବ୍ୟକ୍ତି ୧୧ କେଭି ବିଦ୍ୟୁତ ତାର ବ୍ୟବହାର କରି ଦୀର୍ଘ ଦିନରୁ ବାରାହା ଶିକାର ଧନ୍ଦା ଚଲେଇ ଆସୁଥିବା ସ୍ଥାନୀୟ ଲୋକଙ୍କ କଥାରୁ ଜଣା ପଡିଛି । ଗତ କାଲି ମଧ୍ୟ ସେମାନେ ଅଲାବୁଲା ଶିବ ମନ୍ଦିର ନିକଟସ୍ଥ ପୋଖରି ପାର୍ଶ୍ୱରେ ପୋଖରିକୁ ପାଣି ପିଇବା ପାଇଁ ଆସୁଥିବା ବାରାହା ଶିକାର ନିମନ୍ତେ ୧୧ କେଭି ବିଦ୍ୟୁତ ତାରରେ ହୁକ ପକାଇ ତଳେ ତାର ସବୁ ଛନ୍ଦିଥିଲେ । ବରାହ ତ ଲାଗିଲାନି ହେଲେ ଜଣେ ମଣିଷ ସେଥିରେ ଛନ୍ଦି ହୋଇ ଜୀବନ ଚାଲି ଯାଇଥିବା ଜଣାପଡିଛି । ବରଗଡର ଟମାଟୋ ସପ୍ଲାଇ ଭ୍ୟାନ ଡ୍ରାଇଭର ମାନେ ଛତିକୁଡା ଛକରେ ଚା ପିଇ ମ.ରାମପୁର ଅଭିମୁଖେ ଯାଉଥିବା ବେଳେ ଡ୍ରାଇଭର ଝାଡା ଯିବା ପାଇଁ ଅଲାବୁଲା ନିକଟରେ ଗାଡି ଅଟକାଇ ଉକ୍ତ ପୋଖରୀ ପାଖକୁ ଯାଇଥିଲେ । ତାଙ୍କ ସହ ହେଲପର ମଧ୍ୟ ଯାଇଥିଲେ । ବାରାହା ମାରିବା ପାଇଁ ପୂର୍ବରୁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ଡ୍ରାଇଭର ଘଟଣା ସ୍ଥଳରେ ମରିଯାଇଥିବା ବେଳେ ହେଲପର ଗୁରୁତର ହୋଇ ପଡିଥିଲେ । ମୃତ ଯୁବକ ଜଣକ ମ.ରାମପୁରର ସଞ୍ଜିବ ରଣା ବୋଲି ଜଣାପଡିଛି । ଗାଡି ମାଲିକଙ୍କ ଠାରୁ ଖବର ପାଇ ନର୍ଲା ପୋଲିସ୍ ରାତିରେ ହିଁ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିବା ବେଳେ ହେଲପର ଜଣକ ବଲାଙ୍ଗୀର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବରରୁ ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.