ଜିଲ୍ଲାସ୍ତରୀୟ ବିଶ୍ଵ ରୋଗୀ ସୁରକ୍ଷା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ବିଶ୍ଵ ରୋଗୀ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ତାଲିମ କେନ୍ଦ୍ରରେ ଆୟୋଜିତ ଉକ୍ତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତି ସ୍ଵାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ରୋଗୀ ସୁରକ୍ଷା ସବୁଠୁ ଗୁରୁତ୍ଵପୂର୍ଣ୍ଣ ବୋଲି ଉଲ୍ଲେଖ କରିବା ସହ ଉପସ୍ଥିତ ସ୍ଵାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ରୋଗୀ ସୁରକ୍ଷା ଶପଥ ପାଠ କରାଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ ରୋଗୀ ସୁରକ୍ଷାର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୨ ତାରିଖରୁ ୧୭ ତାରିଖ ଯାଏଁ ପାଳିତ ହେଉଥିବା ବିଶ୍ଵ ରୋଗୀ ସୁରକ୍ଷା ସପ୍ତାହ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ, ଶୈଳ୍ୟ, ଶିଶୁ, ସ୍ତ୍ରୀ ଓ ପ୍ରସୂତି ଆଦି ବିଭାଗରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଇଆସୁଛି । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ ଅଧିକାରୀ ଡାକ୍ତର ପଦ୍ମହଂସା ଦୋରା ପ୍ରମୁଖ ଉପସ୍ଥିତ ଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସକ, ଡିପିଏମ ବିଶ୍ଵମ୍ବର ବେହେରା, ଜିଲ୍ଲା ହିସାବ ରକ୍ଷକ ସରୋଜ ପଣ୍ଡାଙ୍କ ସମେତ ସ୍ଵାସ୍ଥ୍ୟ କର୍ମଚାରୀ, ସ୍ଵାସ୍ଥ୍ୟ ମିଶନର ପରିଚାଳକ, ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡାକ୍ତରଖାନା ପରିଚାଳିକା ଦେବସ୍ମିତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.