ମା ଲଙ୍କେଶ୍ଵରୀଙ୍କ ଖଣ୍ଡାବସା ପର୍ବ ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ ସନ୍ତୋଷ କୁମାର ବାଗ:

  ଜୁନାଗଡ଼ର ଇଷ୍ଟଦେବୀ ମା ଲଙ୍କେଶ୍ଵରୀଙ୍କ ପ୍ରସିଦ୍ଧ ଖଣ୍ଡାବସା ପର୍ବ ଚଳିତ ବର୍ଷ ମହାସମାରୋହରେ ପାଳିତ ହୋଇଛି । କୋରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ପର୍ବ ଫିକା ପଡିଥିବାବେଳେ ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମା ଲଙ୍କେଶ୍ଵରୀଙ୍କ ଖଣ୍ଡାବସା ପର୍ବକୁ କଳାହାଣ୍ଡି ର ପ୍ରଥମ ଦଶହରା ଭାବେ ବିବେଚନା କରାଯାଏ । ଏହି ପର୍ବର ଅନେକ ମହିମା ଓ ପ୍ରସିଦ୍ଧି ରହିଛି ।

ପ୍ରତିବର୍ଷ ଆଶ୍ୱିନ ମାସ ମୂଳାଷ୍ଟମୀରେ ଖଣ୍ଡାବସା ପର୍ବ ପାଳିତ ହୋଇଥାଏ । ଏହି ପର୍ବରେ କଳାହାଣ୍ଡି ସମେତ ପଡୋଶୀ ଜିଲ୍ଲା ଏବଂ ଛତିଶଗଡ଼ରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ସମାଗମ ହୋଇଥାଏ । ସନ୍ଧ୍ୟାରେ ପରମ୍ପିକ ରୀତିରେ ମାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥାଏ । ପ୍ରଥମେ ପତାଖଣ୍ଡ ଦୁଇଟିକୁ ମନ୍ଦିର ପୂଜକଙ୍କ ଦ୍ଵାରା ବାଜବଜଣା ସହ ଶୋଭାଯାତ୍ରାରେ ସ୍ଥାନୀୟ ଡାକବଙ୍ଗଳାକୁ ନିଆଯାଏ ଥାଏ । ଏବର୍ଷ କଳାହାଣ୍ଡି ରାଜପରିବାର ଅନନ୍ତ ପ୍ରତାପ ଦେଓଙ୍କ ଉପସ୍ଥିତିରେ ରାଜସ୍ୱର୍ଣ୍ଣକାର ବାଳକୃଷ୍ଣ ଆଚରି ଦୁଇଟି ଖଣ୍ଡାକୁ ଡାକବଙ୍ଗଳାଠାରେ ମାର୍ଜନା କରିଥିଲେ । ପରେ ପୁଣି ମନ୍ଦିର ମଧ୍ୟକୁ ଖଣ୍ଡା ନିଆଯାଇଥିଲା ।

ମା ଲଙ୍କେଶରୀଙ୍କ ବାମ ଓ ଦକ୍ଷିଣ ପାର୍ଶ୍ୱରେ ଅରୁଆ ଚାଉଳ ଉପରେ ଖଣ୍ଡା ବସାଯାଇ ମଧ୍ୟରାତ୍ରିରେ ପୋଢ଼ ବଳି ଦିଆ ଯାଇଥିଲା । ଖଣ୍ଡାବସା ଠାରୁ ମାଙ୍କୁ ବିଭିନ୍ନ ସୂର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇ ଦଶହରା ପର୍ଯ୍ୟନ୍ତ ସ୍ଵତନ୍ତ୍ର ରୀତିନୀତିରେ ପୂଜା କରାଯିବ । ଏହି ଅବସରରେ ସ୍କୁଲ ଓ କଲେଜସ୍ତରୀୟ ଝୋଟି, ବକୃତା ଘୁମୁରା ପ୍ରତିଯୋଗିତା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଏକ ବନ୍ଧୁତା ପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।ଭବାନୀପାଟଣା ସ୍ପୋର୍ଟସ ହଷ୍ଟେଲ ଓ ଆଇଅରବି ଜାରିଂ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ଭବାନୀପାଟଣା ବିଜୟୀ ହୋଇଛି ।

ଏଥିରେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଜ୍ଜାପନି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ କ୍ୟାପଟେନ ମିଶ୍ର ଓ ସମ୍ମାନୀତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ମୁକେଶ କୁମାର ଅଗ୍ରୱାଲ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ପୂଜାପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । କଳାହାଣ୍ଡି ଏଡିଏମ୍ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଧର୍ମଗଡ ଉପଜିଲ୍ଲପାଳ ପାୱାର ସଚିନ ପ୍ରକାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଡିପିଓ ଧିରଜ କୁମାର ଚୋପଦର୍ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ । ଜୁନାଗଡ଼ ତହସିଲଦାର ଦେବଭ୍ୟାସ ଭୋଇ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଯାତ୍ରାରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଥିବା ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ପ୍ରାକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.