କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ: ସମସ୍ତଙ୍କୁ ହସାଉଥିବା ମଣିଷଟି ଏବେ ସମସ୍ତ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଛି

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଦୀର୍ଘ ୪୧ ଦିନର ସଙ୍ଘର୍ଷ ପରେ ଆଜି ଆଖିବୁଜିଲେ ପ୍ରଖ୍ୟାତ ହାସ୍ୟଭିନେତା ରାଜୁ ଶ୍ରୀବାସ୍ତବ । ୫୮ ବର୍ଷ ବୟସରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ଅଗଷ୍ଟ ୧୦ ତାରିଖରେ ବ୍ୟାୟାମ କରୁଥିବା ବେଳେ ହଠାତ୍‌ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ ରାଜୁ । ଏହାପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେହି ଦିନ ହିଁ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା । କିନ୍ତୁ ତାଙ୍କ ଚେତା ଫେରିନଥିଲା । ସେ କୋମାକୁ ଚାଲି ଯାଇଥିଲେ ଓ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା ।କିଛି ଦିନ ପୂର୍ବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ନେଇ ଡାକ୍ତରମାନେ ସୂଚନା ଦେଇଥିଲେ । ହେଲେ ପୁଣି ଥରେ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରକୁ ଭର୍ତ୍ତି କରାଯାଇଥିଲା । ଅବସ୍ଥାରେ କୌଣସି ଉନ୍ନତି ଆସୁନଥିଲା । ଏମିତିକି ତାଙ୍କ ଚେତା ଫେରୁନଥିଲା । ତାଙ୍କ ହୃଦସ୍ପନ୍ଦନ ଏବଂ ବିପି ମଧ୍ୟ କଣ୍ଟ୍ରୋଲରେ ରହୁନଥିଲା। ତାଙ୍କୁ ବାରମ୍ବାର ଜ୍ୱର ହେଉଥିଲା । ତେଣୁ ଇନ୍‌ଫେକସନ୍‌ ଭୟରେ ରାଜୁଙ୍କୁ ଭେଟିବାକୁ ପରିବାର ଲୋକଙ୍କୁ ମଧ୍ୟ ଡାକ୍ତରମାନେ ଅନୁମତି ଦେଇନଥିଲେ । ୪୧ ଦିନ ଧରି ଭେଣ୍ଟିଲେଟର୍‌ରେ ରହିବା ପରେ ବି ରାଜୁଙ୍କ ଚେତା ଫେରୁନଥିଲା । ଏହାକୁ ନେଇ ଚିନ୍ତିିତ ଥିଲେ ଡାକ୍ତର । ଶେଷରେ ଆଜି ସେ ନିଜ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ସମସ୍ତଙ୍କୁ ହସାଉଥିବା ମଣିଷଟି ଏବେ ସମସ୍ତ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଛି । ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.