ମେଗା ଲିଫ୍ଟ କେନାଲରୁ ଆସୁନି ପାଣି: ସହକାରୀ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଖପ୍ରାମାଲ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୁଷାପାଲି ପଞ୍ଚାୟତ ଖପ୍ରାମାଲ ଗ୍ରାମର ଚାଷୀଙ୍କ କ୍ଷେତରେ ଇନ୍ଦ୍ରାବତୀ ମେଗା ଉଠାଜଳସେଚନ ପ୍ରକଳ୍ପର ପାଣି ପହଞ୍ଚି ପାରୁନାହିଁ । ଯାହାକୁ ନେଇ ଚାଷୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ବୁଧବାର ମେଗା ଉଠାଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କୋନାଲ ଅନୁଧ୍ୟାନ ପାଇଁ ଆସିଥିବା ବେଳେ ଚାଷୀ ମାନେ ପାଣି ଯୋଗାଇ ଦେବାକୁ ଦାବି କରି ତାଙ୍କୁ ଅଟକ ରଖିଛନ୍ତି । ଅଭିଯୋଗ ଅନୁସାରେ, ଇନ୍ଦ୍ରାବତୀ ମେଗା ଉଠାଜଳସେଚନ ପ୍ରକଳ୍ପରୁ ଦୀର୍ଘ ୨ମାସ ହେଲା ଖପ୍ରାମାଲ ଗ୍ରାମର ଚାଷୀଙ୍କ କ୍ଷେତରେ ପାଣି ଆସୁନାହିଁ । ଏନେଇ ବାରମ୍ବାର ଚାଷୀ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନାହିଁ । ଫଳରେ ପାଣି ଅଭାବରୁ ଖପ୍ରାମାଲ ଗ୍ରାମର ପ୍ରାୟ ୨ଶହ ହେକ୍ଟର ଜମିର ଚାଷ ନଷ୍ଟ ହେବା ଆଶଙ୍କା ରହିଛି । ଏଣେ ଅଚାନକ ବର୍ଷା ଗାଏବ ହେବାରୁ ଚାଷ ଜମି ଫାଟି ଆଁ କଲାଣି । ଏଭଲି ସ୍ଥିତିରେ ଧାର କରଜ କରି ଚାଷ କରିଥିବା ଚାଷି କେମିତି ଋଣ ସୁଝିବେ ସେନେଇ ଚିନ୍ତାରେ । ଏପଟେ ଠିକ୍ ଅମଲ ବେଲକୁ ଇନ୍ଦ୍ରବାତୀ ମେଗା ଉଠା ଜଳସେଚନରୁ ପାଣି ଯୋଗାଣ ହେଉନାହିଁ । ବୁଧବାର କୋନାଲ ଅନୁଧ୍ୟାନ ପାଇଁ ଆସିଥିବାବେଳେ ଇନ୍ଦ୍ରବାତୀ ଉଠା ଜଳ ସେଚନ ସହକାରୀ ଯନ୍ତ୍ରୀ ସନ୍ଦିପ କୁମାର ବାଗ ଓ ଏଲ ଏଣ୍ଟି ଇଞ୍ଜିନିୟର ଏସ୍ ପଲେଇଙ୍କୁ ଖପ୍ରାମାଲ ଗ୍ରାମବାସୀ ଅଟକରଖି ଲିଫ୍ଟ କେନାଲ ମରାମତି ନହେବା ପର୍ଯ୍ୟନ୍ତ ଅଟକ ରଖିବାକୁ ଜିଦି କରିଥିଲେ । ତେବେ ସହକାରୀ ଯନ୍ତ୍ରୀ ତ୍ରୁଟି ଥିବା ମେଗାଲିଫ୍ଟ ପଇଣ୍ଟ ପାଖରେ ବେହେରା ଗ୍ରାମର ଦୁଇ ଜଣ ଚାଷୀଙ୍କ ଧାନ ଚାଷ ଥିବାବେଳେ କ୍ଷତିପୂରଣ ମାଗୁଥିବା ଯୋଗୁଁ ମରାମତି କରିବାରେ ଅସୁବିଧା ହେଉଥିବା ନେଇ ଗାଁ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଅଟକ ରଖିବା ପାଇଁ ଚାଷିମାନେ ଅଡି ବସିଥିଲେ । ପରେ ଘଟଣାର ଖବର ପାଇ କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ ପରୁଆ ଓ ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ଚାଷି ମାନେ ସହକାରୀ ଯନ୍ତ୍ରୀଙ୍କୁ ଛାଡିଥିବା ଜଣାପଡିଛି । ଅନ୍ୟପଟେ ଆସନ୍ତା ଦୁଇ ଦିନ ଭିତରେ କେନାଲ ମରାମତି ନହେଲେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଚାଷି ମାନେ ଚେତାବନୀ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.