ମିଳୁନାହିଁ ଆବାସ ଗୃହ: ଭଙ୍ଗା ଦଦରା ଘରେ ୪ ଝିଅ ସହ ବିତୁଛି ବିଧବା ମହିଳାଙ୍କ ଦିନ

ଓଡି଼ଆ ବାର୍ତ୍ତା / ନବରଙ୍ଗପୁର (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଲାଙ୍ଗପଡା ଗାଁର ଗୋମତି ସୁନା । ବୟସ ୬୦ । ସ୍ୱାମୀଙ୍କ ମୃତ୍ୟୁ ପରଠୁ ୪ ଝିଅଙ୍କ ଦାୟିତ୍ୱ ତାଙ୍କରି ଉପରେ । ଜମିବାଡି ବିଶେଷ କିଛି ନାହିଁ । ଏମିତିକି ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ । ପୁରୁଣାକାଳିଆ ଭଙ୍ଗା ଦଦରା ଖପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୫ ପ୍ରାଣୀ । ବାରମ୍ବାର ଆବେଦନ ପରେ ବି ଗୋମତିଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ । ବର୍ଷା ହେଲେ ଘର ଭିତରେ ପାଣିର ସୁଅ ଛୁଟୁଛି । ଅନେକ ରାତି ଉଜାଗର ରହିବାକୁ ପଡୁଛି । ତଥାପି ବ୍ଲକ ପ୍ରଶାସନର ନିଦ ଭାଙ୍ଗିନି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗୋମତି ଓ ତାଙ୍କ ୪ ଝିଅ । ଅନେକ ବର୍ଷ ତଳୁ ସ୍ଵାମୀ ସୁଦନ ସୁନାଙ୍କୁ ହରାଇଛନ୍ତି ଗୋମତି । ସୁଦନ ବଞ୍ଚିଥିବାବେଳେ କୁଲି ମଜୁରି ଲାଗି ପରିବାର ଚଳାଉଥିଲେ । ୭ଟି ଝିଅଙ୍କୁ ନେଇ ସେମାନଙ୍କ ସଂସାର । ଏହାରି ଭିତରେ ୩ ଝିଅଙ୍କ ବିବାହ ହୋଇସାରିଛି । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଝିଅମାନଙ୍କୁ ଭଲ ପାଠ ଦି ଅକ୍ଷର ପଢାଇ ପାରିନାହାନ୍ତି ଗୋମତି । ଏବେ ନାବାଳିକା ଝିଅ ହାରାମଣୀ ଗାଁ ସ୍କୁଲରେ ପଢୁଛି । ସରକାରୀ ସହାୟତା ବାବଦରେ ୨୫ କେଜି ଚାଉଳ ବଦଳରେ ମିଳୁଛି ୨୦ କେଜି । ଗୋମତିଙ୍କୁ ବିଧବା ଭତ୍ତା ଓ ତାଙ୍କର ଜଣେ ଦିବ୍ୟାଙ୍ଗ ଝିଅକୁ ଭତ୍ତା ମିଳୁଛି । ସେତିକିରେ କଷ୍ଟେମଷ୍ଟେ ସେମାନେ ଚଳୁଛନ୍ତି । ସବୁଠୁ ବଡ ସମସ୍ୟା ସାଜିଛି ଭଙ୍ଗାଘର । ବର୍ଷା ହେଲେ ରାତି ବିତାଇବା ଅସମ୍ଭବ ହୋଇପଡୁଛି । ଖପର ଗୁଡିକ ଭାଙ୍ଗିଯାଇଥିବା ବେଳେ ମରାମତି ପାଇଁ ଅର୍ଥ ନାହିଁ । ଆବାସ ଗୃହଟିଏ ପାଇଁ ବହୁବାର ପଞ୍ଚାୟତ ଓ ବ୍ଳକ କାର୍ଯ୍ୟାଳୟକୁ ଯାଇ ଗୁହାରି କରିଥିବା କହିଛନ୍ତି ଗୋମତି । ଏମିତିକି ପଲ୍ଲୀ ସଭା ଓ ଗ୍ରାମସଭାରେ ବହୁବାର ଆବେଦନ କରିଛନ୍ତି । କିନ୍ତୁ କେହି ତାଙ୍କର ଦୁଃଖ ଶୁଣି ନାହାନ୍ତି । ଏବେ କାନ୍ଧରେ ୪ ଝିଅଙ୍କ ଦାୟିତ୍ଵ । ଏହାକୁ ପ୍ରଶାସନ ଗମ୍ଭୀରତାର ସହ ବିଚାରକୁ ନେଇ ତୁରନ୍ତ ଆବାସ ଯୋଜନାରେ ସାମିଲ କରିବାକୁ ନିବେଦନ କରିଛନ୍ତି ଗୋମତି । ଏ ସମ୍ପର୍କରେ ବିଡିଓ ଧର୍ମରାଜ ମାଝୀଙ୍କୁ ପଚାରିବାରୁ ସେ କହିଛନ୍ତି, ଜମାଦାରପଡା ପିଇଓଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେବେ । ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.