ଲୋନ୍ ଯୋଗେଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ: ପୋଲିସ ହାବୁଡ଼ରେ ଅଭିଯୁକ୍ତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଲୋକଙ୍କୁ ଲୋନ ସହ ଆକର୍ଷଣୀୟ ସବସିଡିର ପ୍ରଲୋଭନ ଦେଖେଇ ଠକି ଚାଲିଥିବା ଜଣେ ବ୍ୟକ୍ତି ପୋଲିସ ହାବୁଡ଼ରେ ପଡିଛି । ଅଭିଯୁକ୍ତ ଖୋର୍ଦ୍ଧା ଅଞ୍ଚଳର ଦେବେନ୍ଦ୍ର କୁମାର ପାଣି ବୋଲି ଜଣାପଡିଛି । ସେ ନିଜକୁ ୟସ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ବୋଲି ପରିଚୟ ଦେଇ ଆଜକୁ ଛଅ ମାସ ହେବ ଲୋକଙ୍କୁ ଠକୁଥିବା ନେଇ କୋକସରା ଥାନାରେ ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇଥିବା କଳାହାଣ୍ଡି ଜିଲ୍ଲା କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ଲୋକେ ଏହି ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଦେବେନ୍ଦ୍ର ଲୋକମାନଙ୍କୁ ଦୁଇ ଲକ୍ଷ ଟଙ୍କା ଲୋନ ଦିଆଯିବ ଓ ଏଥିରୁ ୬୦ ହଜାର ସବସିଡ଼ି ଓ ଅନ୍ୟାନ୍ୟ ସୁବିଧା ପାଇବେ ବୋଲି କହି ସେମାନଙ୍କୁ ଠାରୁ ଆଗୁଆ ଟଙ୍କା ନେଇ ଠକି ଚାଲିଥିଲା । ତେବେ ଲୋନ କରେଇ ଦେବା ନାଁରେ ଶହ ଶହ ଲୋକଙ୍କ ଠାରୁ ଟଙ୍କା ଠକି ନେଇଛି । ସମୟ ଗଡି ଚାଲିବା ସହ ଲୋକେ ବାରମ୍ବାର ଯୋଗାଯୋଗ କରୁଥିଲେ ମଧ୍ୟ ସେ ଧରା ଛୁଆଁ ଦେଉନଥିଲା କି ଲୋନ ମଧ୍ୟ କରେଇ ଦେଉନଥିଲା । ଏହି ସମସ୍ୟା ବିଷୟରେ କିଛି ସଚେତନ ବ୍ୟକ୍ତି ଜାଣିବା ପରେ କିଛି ନୂଆ ଗ୍ରାହକ ଯୋଗାଇଦେବେ କହି କୈାଶଳ କରି ଡାକି ପ୍ରଥମେ କୋଉଡୋଳା ଠାରେ ଧରିବାର ପ୍ରୟାସ କରିଥିଲେ । ହେଲେ ସେଠାରୁ ଉକ୍ତ ବ୍ୟକ୍ତି ଜଣକ ଚମ୍ପଟ ମାରି ପଳେଇ ଯାଉଥିବା ସମୟରେ କୋକସରା ପୋଲିସ ସୂଚନା ପାଇ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା । ବହୁ ଲୋକଙ୍କ ଠାରୁ ଦେବେନ୍ଦ୍ର ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ସୂଚନା ମିଳୁଛି । ଏପଟେ ଅଭିଯୋଗକାରୀ ମାନେ ଟଙ୍କା ଫେରିପାଇବା ପାଇଁ ଦାବି କରିଛନ୍ତି । କୋକସରା ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରୀ ରଖିଛି, ତଦନ୍ତ ପରେ ସବୁ ଜଣା ପଡିବ ବୋଲି ଥାନାଧିକାରୀ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.