କ୍ରିକେଟର ସୂର୍ଯ୍ୟକୁମାର ଯାଦବ: ନଟରାଜରୁ ହେଲିକପ୍ଟର ଶଟ….ସବୁ କିଛି ରହିଛି ତାଙ୍କ ପାଖରେ

୩୧ ବର୍ଷୀୟ ସୂର୍ଯ୍ୟକୁମାର ଯାଦବ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ବେଶୀ ଦିନ ହୋଇ ନ ଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ବଳରେ ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି । ୟୁପିର ଗାଜୀପୁରରେ ଜନ୍ମିତ ସୂର୍ଯ୍ୟକୁମାର ବିଭିନ୍ନ ପ୍ରକାରର ଶଟ ଖେଳିବା ଦକ୍ଷତା ଟିମ ଇଣ୍ଡିଆ ପାଇଁ ବରଦାନ ସାଜିଛି । ଖୁବ କମ ଦିନରେ ପ୍ରଶଂସକମାନେ ତାଙ୍କୁ ଜୁନିୟର ଏବି ବା ବେବୀ ଏବି ନାମରେ ନାମିତ କରି ଦେଇଛନ୍ତି । ନଟରାଜରୁ ଆରମ୍ଭ କରି ହଲିକପ୍ଟର ଶଟ ସବୁ କିଛି ସେ ମାରି ପାରୁଛନ୍ତି । ଇଂଲଣ୍ଡ ବିପକ୍ଷ ଟି୨୦ରେ ଜୋଫ୍ରା ଆର୍ଚ୍ଚର ୧୪୦ ସ୍ପିଡରେ ବୋଲିଂ କରୁଥିଲେ । ସୂର୍ଯ୍ୟ ପାଦ ଉପରକୁ ଉଠାଇ ଫାଇନ ଲେଗ ଅଂଚଳରେ ଚମତ୍କାର ଛକା ମାରିଥିଲେ । ଏହି ନଟରାଜ ଶଟ ଖେଳିବା ଏତେଟା ସହଜ ହୋଇ ନ ଥାଏ । ୩୧ ବଲରେ ୫୭ ରନ କରି ସେ ଭାରତକୁ ସହଜରେ ବିଜୟୀ କରାଇଥିଲେ ।

ଏବି ଡିଭିଲର୍ସଙ୍କ ପରେ ଭାରତକୁ ୩୬୦ ଡିଗ୍ରୀ ଶଟ ଖେଳି ପାରୁଥିବା ଏହି ବ୍ୟାଟ୍ସମ୍ୟାନ ମିଳିଥିବାରୁ ଟି୨୦ ବିଶ୍ୱକପ ଜିତିବା ଆଶା ଉଜ୍ଜୀବୀତ ହୋଇଛି । ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ରେ ସେ ଏନରିକ ନୋର୍ତୟାଙ୍କୁ ଲେଗ ସାଇଡରେ ଛକା ମାରିଥିଲେ । ଏନରିକ ମଧ୍ୟ ମ୍ୟାଚ ପରେ କହିଛନ୍ତି ମୁଁ କେବେ ହେଲେ ସୂର୍ଯକୁମାରଙ୍କ ସ୍କ୍ୱାୟର ଲେଗ ଫ୍ଲିକ ଶଟକୁ ଭୁଲିପାରିବି ନାହିଁ । ଏକପ୍ରକାର ଅସମ୍ଭବ ଶଟକୁ ସେ ସମ୍ଭବ କରିପାରିଛନ୍ତି । ସେହିପରି ଅଲଜାରୀ ଜୋରେଫଙ୍କ ବଲରେ ନିଜ ଅଂଟାକୁ ୯୦ ଡିଗ୍ରୀ ପର୍ଯ୍ୟନ୍ତ ଭାଙ୍ଗି ଅପରକଟ ଶଟ ଖେଳିଥିଲେ । ଏହା ଥାର୍ଡ ମ୍ୟାନ ବାଉଣ୍ଡରୀରେ ଚୌକା ହୋଇଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଆଦମ ଜାମ୍ପାଙ୍କ ବଲରେ ସେ ସମ୍ପୂର୍ଣ୍ଣ ଭାବେ ଏମଏସ ଧୋନୀଙ୍କ ଶୈଳୀରେ ହେଲିକପ୍ଟର ଶଟ ମାରି ସମସ୍ତଙ୍କ ମନ ଜିତି ନେଇଥିଲେ ।

କମ ବଲରେ ଦ୍ରୁତ ୧୦୦୦ ରନ କରି ସେ ବିଶ୍ୱରେକର୍ଡ ମଧ୍ୟ ସ୍ଥାପନ କରି ସାରିଛନ୍ତି । ସୂର୍ଯ୍ୟଙ୍କ ଚମକ ଫିକା ପଡୁନି….ଏହା ଆହୁରି ପ୍ରଖର ହେଉଛି । ଯାହା ଲାଗୁଛି ଆଗାମୀ ଦିନରେ ପ୍ରତିଦ୍ୱନ୍ଦ୍ୱୀ ଦଳର ବୋଲର ଏହି ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାକୁ ଡରିବେ । ପିଲାବେଳୁ ବ୍ୟାଡମିଂଟନ ପ୍ରତି ରୁଚି ରଖିଥିବା ସୂର୍ଯ୍ୟକୁମାର ହଠାତ କ୍ରିକେଟ ପ୍ରତି ଆକର୍ଷତ ହୋଇଥିଲେ । ୨୦୧୦-୧୧ରେ ସେ ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫି ଖେଳିଥିଲେ । ଏହା ପରେ ୨୦୧୯ରେ ଦେଓଧର ଟ୍ରଫିରେ ଇଣ୍ଡିଆ ସି ଟିମରେ ସ୍ଥାନ ପାଇଥିଲେ । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୨୦୧୨ରେ ଦଳରେ ନେଇଥିଲା । ଏହା ପରେ ସେ ୨୦୧୪ରେ କୋଲକାତା ଟିମ ପକ୍ଷରୁ ଖେଳିଥିଲେ । ମୁମ୍ବାଇ ବିପକ୍ଷରେ ୨୦ ବଲରୁ ୪୬ ରନ କରି ସେ ଚର୍ଚ୍ଚାକୁ ଆସିଥିଲେ । ୨୦୧୮ରେ ମୁମ୍ବାଇ ଭୁଲ ନ କରି ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ସୂର୍ଯ୍ୟକୁମାରଙ୍କୁ ଟିମରେ ସାମିଲ କରିଥିଲା । ୨୦୨୧ରେ ତାଙ୍କୁ ୮କୋଟିରେ ମୁମ୍ବାଇ ଦଳରେ ବଜାୟ ରଖିଲା । ଫେବୃୟାରୀ ୨୦୨୧ରେ ଟି୨୦ରେ ସୂର୍ଯ୍ୟକୁମାର ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ତାହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.