ମେଳାଣି ନେଲେ ଦୁର୍ଗତିନାଶିନୀ: ରୁପ୍ରାରୋଡରେ ମା’ ଦୁର୍ଗାଙ୍କ ବିସର୍ଜନ ପର୍ବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସନାତନ ସଂସ୍କୃତିରେ ପ୍ରତ୍ୟକ ପୂଜା ଆରମ୍ଭରେ ଦେବୀ/ଦେବତାଙ୍କୁ ଆବାହନ ଓ ଶେଷରେ ବିସର୍ଜନ କରାଯାଇଥାଏ । ସେହି କ୍ରମରେ ଦେବୀ ଆବାହନ ପରେ ୯ ଦିନ ଭକ୍ତଙ୍କ ଦ୍ବାରା ଆରାଧିତ ହେବାପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ବିସର୍ଜିତ ହୋଇଛନ୍ତି । ଆଶ୍ଵିନ ମାସରେ କାଶତଣ୍ଡି ଫୁଲ ଦେବୀ ଦୁର୍ଗାଙ୍କୁ ସ୍ବାଗତ କରିଥିବା ବେଳେ ଝରା କାଶତଣ୍ଡିର ଆଢୁଆଳରେ ଜଳରାଶି ମଧ୍ୟ ଦେଇ ବିଦାୟ ନେଇଛନ୍ତି ଜଗତଜନନୀ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଠାରେ ପାରମ୍ପରିକ ରିତି ନିତି ଅନୁସାରେ ମା ଦୁର୍ଗାଙ୍କ ପୂଜା ହେବାପରେ ଭସାଣି ପର୍ବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ରୁପ୍ରାରୋଡ ଦୁର୍ଗା ପୂଜା ୬୩ ବର୍ଷରେ ପଦାର୍ପଣ କରିଥିଲା । ଜଗତମାତାଙ୍କ ଦର୍ଶନ ପାଇଁ ପ୍ରତ୍ୟହ ଲାଗି ରହିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ୯ ଦିନ ଧରି ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ଆରଧନା କରାଯିବା ପରେ ଦଶହରା ଦିନ ପଡିଥିଲା ପୂର୍ଣ୍ଣାହୂତି । ଏହାପରେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ଓ ଆଧୁନିକ ବ୍ୟାଣ୍ଡ ବଜା ସହ ଶତାଧିକ ଭକ୍ତ ସାମିଲ ହୋଇ ମା’ଙ୍କୁ ମେଳାଣି ଦେଇଥିଲେ । ସ୍ଥାନେ ସ୍ଥାନେ ଗାଁର ମହିଳା ମାନେ ହାତରେ ଭୋଗ ଏବଂ ଆଳତି ଥାଳି ଧରି ଦୁର୍ଗତିନାଶିନୀ ଦେବୀ ଦୁର୍ଗାଙ୍କୁ ବନ୍ଦାପନା କରିଥିଲେ । ଭଷାଣୀ ସମୟରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ପୂଜା କର୍ତ୍ତା ରଞ୍ଜନ କୁମାର ମହାନ୍ତି, ପୂଜା ପରିଚାଳନା କମିଟି ସଭାପତି ମୋହନ କୁମାର କମାନିଙ୍କ ସମେତ ଦୁର୍ଗା ପୂଜା କମିଟିର କାର୍ଯ୍ୟକର୍ତ୍ତା ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.