ପ୍ରଦୀପ ଡି.ମାଝୀଙ୍କୁ ଦେବଗିରି ନାଟ୍ୟ ସମ୍ମାନ

କଳାହାଣ୍ଡି, ୨୦ା୧୧: ଏବର୍ଷର ମର୍ଯାଦାଜନକ ‘ଦେବଗିରି ନାଟ୍ୟ ସମ୍ମାନ’ ପାଇବେ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ନାଟ୍ୟଭୂଷଣ ପ୍ରଦୀପ ଧଙ୍ଗଡ଼ାମାଝୀ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

୭ ଅଗଷ୍ଟ ୧୯୬୮ରେ ଜନ୍ମିତ ପ୍ରଦୀପ ଜଣେ ନାଟ୍ୟକାର, ମଂଚ ଅଭିନେତା, ନାଟ୍ୟ ନିର୍ଦ୍ଦେଶକ, ସିନେ ନିର୍ଦ୍ଦେଶକ, ନୃତ୍ୟ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଭାବେ ଓଡ଼ିଶା ତଥା ଜାତୀୟ ସ୍ତରରେ ସୁପରିଚିତ । ସେ ଶତାଧିକ ନାଟକର ନିର୍ଦ୍ଦେଶନା, ହଜାରେରୁ ଉଦ୍ଧ୍ୱର୍ ପଥପ୍ରାନ୍ତ ନାଟକ ସହ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ନାଟକ ଉତ୍ସବ ଓ ପ୍ରତିଯୋଗିତାମାନଙ୍କରେ ଅଂଶଗ୍ରହଣ କରି ନିଜର ଏକ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିପାରିଛନ୍ତି । ନାଟ୍ୟାନୁଷ୍ଠାନ ‘କାରୁଣ୍ଡ କଳା ମଂଚ’ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ସେ ବହୁ କଳାକାର ସୃଷ୍ଟି କରିବା ସହ କଳାହାଣ୍ଡି ମାଟିର କଳାସଂସ୍କୃତିକୁ ବିଶ୍ୱ ଦରବାରରେ ପହଂଚାଇବାର ପ୍ରଚେଷ୍ଟା ଜାରି ରଖିଛନ୍ତି ।

ତାଙ୍କ ଚର୍ଚ୍ଚିତ ନାଟକମାନଙ୍କ ମଧ୍ୟରେ ମନ୍ଥନ, ଛେରଛେରା, ବନାଗୁଦା, ଟୋକୀମରା, ଫୁର୍ଲିଝରନ, ଅସୁରଗଡ଼ର କଥା, ହୋ ଅନ୍ନଦାତା, ମେ ପାହୋମ୍, ଝର୍କା ଆଦି ଉଲ୍ଲେଖନୀୟ । ମଂଚ ନାଟକ ସମେତ ଟିଭି ଓ ରେଡ଼ିଓରେ ତାଙ୍କର ଅନେକ ନାଟକ ପ୍ରସାରିତ । ମ୍ୟୁଜିକ୍ ଆଲବମ୍ ସହ କେତେକ ଓଡ଼ିଆ ଓ ହିନ୍ଦୀ ସିରିଏଲର ନିର୍ଦ୍ଦେଶକ ଓ ସହ-ନିର୍ଦ୍ଦେଶକ ଭାବେ ମଧ୍ୟ ସେ ନିଜର ପ୍ରତିଭା ପ୍ରତିପାଦନ କରିପାରିଛନ୍ତି । ନିକଟ ଭବିଷ୍ୟତରେ ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଯୁବଶକ୍ତି’ ମୁକ୍ତିଲାଭ କରିବାକୁ ଯାଉଛି ।

ନଭେମ୍ବର ୨୧ରୁ ୨୩ ତାରିଖ ଯାଏଁ ଆୟୋଜିତ ହେଉଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୬ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.