ବୈଷ୍ଣବ ମାଝୀ ପାଇବେ ଦେବଗିରି କୃଷି ସମ୍ମାନ

କଳାହାଣ୍ଡି, ୨୦ା୧୧: କୃଷି ଓ କୃଷକର ସମ୍ମାନ ପାଇଁ ଦିଆଯାଉଥିବା ଏବର୍ଷର ମର୍ଯାଦାଜନକ ‘ଦେବଗିରି କୃଷି ସମ୍ମାନ’ ପାଇବେ ସଫଳ ଚାଷୀ ବୈଷ୍ଣବ ମାଝୀ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

କଳାହାଣ୍ଡି ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଚାନ୍ଦୋପଲା ଗ୍ରାମରେ ୫ ମେ’ ୧୯୮୦ରେ ଜନ୍ମିତ ଶ୍ରୀ ମାଝୀ ବ୍ୟକ୍ତିଗତ ଉଦ୍ୟମରେ ଉଭୟ ରବି ଓ ଖରିଫ୍ ଋତୁରେ ଚିନାବାଦାମ, କପା, ଧାନ, ପିଆଜ, ଆଖୁ, ମାଛ, ପନିପରିବା, ଫୁଲ ଆଦି ଚାଷ କରୁଛନ୍ତି । ରାସାୟନିକ ସାର ଓ କୀଟନାଶକର ସ୍ୱଳ୍ପ ପ୍ରୟୋଗ ତଥା ପ୍ରାକୃତିକ ଉପାୟରେ କମ୍ ଜମିରେ ଅଧିକ ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି ।

ସଂପ୍ରତି ସେ ଗୋଟିଏ ଜମିରେ ବର୍ଷକୁ ତିନିଥର ଫସଲ ଅମଳ କରୁଥିବା ବେଳେ ଆଗକୁ ଚାରିଥର ଅମଳ ଲକ୍ଷ୍ୟ ରଖିଛନ୍ତି । ବୃକ୍ଷରୋପଣ ଓ ବନୀକରଣ ତଥା ଅଞ୍ଚଳର ଯୁବଗୋଷ୍ଠୀକୁ କୃଷି ପ୍ରତି ଆକୃଷ୍ଟ କରିବାରେ ତାଙ୍କ ଉଦ୍ୟମ ପ୍ରଶଂସନୀୟ ।

ଛାତ୍ର ରାଜନୀତିରେ ସକ୍ରିୟ ରହି ଶ୍ରୀ ମାଝୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ଉପ-ସଭାପତି ରହିବା ସହ ସାପ୍ତାହିକ ‘ଅର୍ଜି’ର ପ୍ରସାର ପରିଚାଳକ ତଥା ସମ୍ବାଦଦାତା ଭାବେ କାର୍ଯ୍ୟ କରିଛନ୍ତି । କବିତା, ଗଳ୍ପ, ପ୍ରବନ୍ଧ ଲେଖିବାରେ ରୁଚି ରଖୁଥିବା ବୈଷ୍ଣବ ସଂପ୍ରତି ସଦର ବ୍ଲକ୍ ଅନ୍ତର୍ଗତ ଟିଟିଝୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ।

 

ନଭେମ୍ବର ୨୧ରୁ ୨୩ ତାରିଖ ଯାଏଁ ଆୟୋଜିତ ହେଉଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୬ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.