ବହିଠାରୁ ବଳି ବନ୍ଧୁ ନାହିଁ : ସୁଧୀର କୁମାର ଧଙ୍ଗଡ଼ାମାଝୀ

ଆଜି ବିଶ୍ୱ ପୁସ୍ତକ ଦିବସ

“କେହି ବି ବନ୍ଧୁ ବହି ଭଳି ବିଶ୍ୱସ୍ତ ନୁହନ୍ତି ।”
                                       -ଅର୍ନେଷ୍ଟ୍ ହେମିଂୱେ

ବହି ମନୁଷ୍ୟର ପ୍ରକୃତ ବନ୍ଧୁ । ଏହା ଆମଠାରେ ଅଧ୍ୟୟନ ପ୍ରବୃତ୍ତି ଜାଗ୍ରତ କରି ଜିଜ୍ଞାସୁ ଓ ସଂସ୍କାରବାନ୍ କରାଇବା ସହ ଆମର ଜ୍ଞାନ, ତର୍କଶକ୍ତି ଓ ବୌଦ୍ଧିକ କ୍ଷମତା ବଢ଼ାଇଥାଏ । ବହି ଜ୍ଞାନର ଭଣ୍ଡାର । ଏଥିରୁ ଆମେ ଜ୍ଞାନ ସହ କଳାସଂସ୍କୃତି, ଜନଜୀବନ ଓ ସଭ୍ୟତା ସଂପର୍କରେ ଜାଣିବାକୁ ପାଇଥାଉ । ଏହା ଜ୍ଞାନ ତଥା ନୈତିକତାର ସନ୍ଦେଶବାହକ । ପୁସ୍ତକରୁ ଉଚିତ୍ ଶିକ୍ଷା ଗ୍ରହଣ କରି ଜୀବନକୁ ସଫଳ ଭାବେ ଗଢ଼ି ତୋଳାଯାଇପାରେ । କେବଳ ଛାତ୍ରଛାତ୍ରୀ ନୁହନ୍ତି, ବରଂ ପ୍ରତ୍ୟେକ ମନୁଷ୍ୟ ଭଲ ବହି ପଢ଼ି ଲାଭ ଉଠାଇପାରିବେ । ଏହା ବିକାଶର ମାର୍ଗ ପ୍ରଶସ୍ତ କରିବା ସହ ଭିନ୍ନଭିନ୍ନ ସଂସ୍କୃତି ମଧ୍ୟରେ ବାତାୟନ ଭଳି କାର୍ଯ୍ୟ କରିଥାଏ । ବିଶ୍ୱର ଅନ୍ୟାନ୍ୟ ସଭ୍ୟତା ଓ ସମାଜ ସଂପର୍କରେ ଜାଣିବା ଓ ସେମାନଙ୍କୁ ନିଜ ସଂପର୍କରେ ଜଣାଇବାର ଏକ ଶକ୍ତିଶାଳୀ ମାଧ୍ୟମ ହେଉଛି ବହି ।

ପିଲାଦିନେ ବିଦ୍ୟାଳୟରୁ ଆରମ୍ଭ ହୋଇଥିବା ପଢ଼ା ଜୀବନର ଶେଷ ପର୍ଯ୍ୟନ୍ତ ଚାଲିଥାଏ । ଥମାସ୍ ଜେଫର୍ସନ୍ ତ ବହିମାନଙ୍କ ବିନା ବଞ୍ଚିପାରିବିନି ବୋଲି କହିଥିଲେ । ଜେନ୍ ଅଷ୍ଟେନ୍’ଙ୍କ ମତରେ, ପଢ଼ିବା ଭଳି ଆଉ କୌଣସି ଆନନ୍ଦ ନାହିଁ । ତେବେ ଦୁଃଖର କଥା ହେଉଛି, ଆଜିକାଲି ପଢ଼ିବାର ପ୍ରବୃତ୍ତି ଲୋକମାନଙ୍କଠାରେ କମିବାରେ ଲାଗିଛି । ଲୋକେ ବହିଠାରୁ ଦୂରେଇ ଯାଇ ଟିଭି, ଇଣ୍ଟର୍ନେଟ୍, ମୋବାଇଲ୍, ଭିଡିଓ ଗେମ୍, ସୋସିଆଲ୍ ନେଟୱାର୍କିଂ ସାଇଟ୍ ଓ ଚାଟିଂରେ ମାତୁଛନ୍ତି । ସବୁକିଛି ନେଟ୍ରେ ହିଁ ଖୋଜିବାକୁ ଚାହୁଁଛନ୍ତି । ଗବେଷଣାରୁ ଜଣାପଡ଼ିଛି ଯେ ଏହାଦ୍ୱାରା ଛୋଟ ପିଲାମାନଙ୍କଠାରେ ଜିଜ୍ଞାସୁ ପ୍ରବୃତ୍ତି ଓ ସ୍ମରଣ ଶକ୍ତି ହ୍ରାସ ପାଇବାରେ ଲାଗିଛି । ସେମାନଙ୍କ ଦକ୍ଷତା ବିକଶିତ ହୋଇପାରୁନି ଏବଂ ମାନସିକ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି ।

କାନାଡାର ୱାଟରଲୁ ୟୁନିଭର୍ସିଟିର ପ୍ରଫେସର୍ ଇଭାନ୍ ଏଫ୍ ରିସ୍କୋ ତାଙ୍କ ଗବେଷଣାରୁ କହନ୍ତି, ଯଦିଓ ଇଣ୍ଟରନେଟ୍ ଆମକୁ ତଥ୍ୟର ଭଣ୍ଡାର ଯୋଗାଇଛି, ତେବେ ଏହା ଯୋଗୁଁ ଲୋକେ ନିଜର ବୁଦ୍ଧି ଉପରେ କମ୍ ଭରସା କରିବାକୁ ଲାଗିଲେଣି । ଛୋଟିଆ ଛୋଟିଆ ପ୍ରଶ୍ନର ଉତ୍ତର ପାଇଁ ମସ୍ତିଷ୍କ ଉପରେ ଚାପ ପକାଇବା ବଦଳରେ ଲୋକେ ଗୁଗୁଲ୍ରେ ଖୋଜିପକାଉଛନ୍ତି, ଯଦ୍ୱାରା ସେମାନେ ନିଜଠାରୁ ଅଧିକ ଭରସା ଗୁଗୁଲ୍ ଉପରେ କରୁଛନ୍ତି । ତେଣୁ ନେଟ୍’ର ଅଧିକ ବ୍ୟବହାର ଆମ ନିଷ୍ପତ୍ତି ନେବାର କ୍ଷମତାକୁ ପ୍ରଭାବିତ କରୁଛି । ଏଭଳି ସ୍ଥିତିରେ ବହି ପ୍ରତି ଲୋକମାନଙ୍କ ମଧ୍ୟରେ ଆକର୍ଷଣ ସୃଷ୍ଟି କରିବା ଜରୁରୀ ହୋଇପଡ଼ିଛି ।

ନୂଆନୂଆ ଟେକ୍ନୋଲୋଜି ଯଦିଓ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ କ୍ରାନ୍ତି ଆଣିଛି, ତେବେ ବହି ଆଜି ବି ଚିନ୍ତାଧାରା ଆଦାନପ୍ରଦାନର ସବୁଠୁ ସଶକ୍ତ ମାଧ୍ୟମ ହୋଇ ରହିଛି । ସାଧାରଣ ଜନତାର ବିକାଶ ପାଇଁ ଜରୁରୀ ଶିକ୍ଷା ଓ ସାକ୍ଷରତାର ଏକମାତ୍ର ସାଧନ ହେଉଛି ବହି । ଏହା ପାଠକକୁ ତା’ର କ୍ଷମତା ଅନୁଯାୟୀ ଜ୍ଞାନ ଆହରଣ କରିବା ସହ ତଥ୍ୟଗୁଡ଼ିକୁ ଗଭୀର ଭାବେ ବିଶ୍ଳେଷଣ କରିବାର ଅବସର ପ୍ରଦାନ କରିଥାଏ । ଚାର୍ଲ୍ସ୍ ୱିଲିଅମ୍ ଏଲିଅଟ୍ କହିଛନ୍ତି, ବନ୍ଧୁମାନଙ୍କ ମଧ୍ୟରୁ ବହି ସବୁଠୁ ଶାନ୍ତ ଓ ସ୍ଥିର, ସେ ପରାମର୍ଶଦାତାମାନଙ୍କ ମଧ୍ୟରୁ ସବୁଠୁ ସୁଲଭ ଓ ବୁଦ୍ଧିମାନ୍ ଏବଂ ଶିକ୍ଷକମାନଙ୍କ ମଧ୍ୟରୁ ସବୁଠୁ ଧୈର୍ଯ୍ୟବାନ୍ ।

ପୁସ୍ତକ ଓ ତାହାର ଲେଖକମାନଙ୍କୁ ସ୍ମରଣ କରିବା ତଥା ଜନସାଧାରଣ ବିଶେଷକରି ଯୁବବର୍ଗ ମଧ୍ୟରେ ପୁସ୍ତକ ପଠନକୁ ପ୍ରୋତ୍ସାହିତ କରିବା, ସ୍ୱତ୍ୱାଧିକାର ପ୍ରୟୋଗ କରି ବୌଦ୍ଧିକ ସମ୍ପତ୍ତିର ପ୍ରକାଶନ ଓ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ୟୁନେସ୍କୋ ପକ୍ଷରୁ ଆରମ୍ଭ କରାଯାଇଛି ‘ବିଶ୍ୱ ପୁସ୍ତକ ଓ ସ୍ୱତ୍ୱାଧିକାର ଦିବସ’ ବା ସଂକ୍ଷେପରେ ‘ବିଶ୍ୱ ପୁସ୍ତକ ଦିବସ’ । ନୂଆ ପିଢ଼ିକୁ ପୁସ୍ତକ ପ୍ରତି ଆକର୍ଷିତ କରିବା ଓ ସେମାନଙ୍କୁ ଭଲ ବହି ଉପଲବ୍ଧ କରାଇବା ସହ ପୁସ୍ତକ ମାଧ୍ୟମରେ ସାମାଜିକ, ସାଂସ୍କୃତିକ ଉନ୍ନତିର ରାସ୍ତା ତିଆରିଥିବା ବ୍ୟକ୍ତିମାନଙ୍କ ପ୍ରତି ଏହା ଏକ ଶ୍ରଦ୍ଧାଞ୍ଜଳି ମଧ୍ୟ ।

ମିଳିତ ଜାତିସଂଘର ଶୈକ୍ଷିକ ସଙ୍ଗଠନ ୟୁନେସ୍କୋର ସାଧାରଣ ସଭାରେ ୧୯୯୫ରେ ଏହିପରି ଏକ ଦିବସ ପାଳନର ପରିକଳ୍ପନା କରାଯାଇଥିଲା ଏବଂ ଏଥିପାଇଁ ଏପ୍ରିଲ ୨୩ ତାରିଖକୁ ଧାର୍ଯ୍ୟ କରାଗଲା । ୨୩ ଏପ୍ରିଲର ପ୍ରଥମ ସଂପର୍କ ସ୍ପେନ୍ରେ ୧୯୨୩ରେ ଦେଖିବାକୁ ମିଳିଥିଲା । ସେଠାକାର ପୁସ୍ତକ ବିକ୍ରେତାମାନେ ପ୍ରଖ୍ୟାତ ସ୍ପେନୀୟ ଲେଖକ ମିଗୁଏଲ୍ ଡି ସର୍ଭେଣ୍ଟିସ୍ଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀରେ ସମ୍ମାନିତ କରିବା ପାଇଁ ଏହି ତାରିଖଟିକୁ ବାଛିଥିଲେ । ଅନେକ ବିଖ୍ୟାତ ସାହିତ୍ୟିକଙ୍କ ଜନ୍ମ ବା ମୃତ୍ୟୁ ମଧ୍ୟ ଏହି ତାରିଖରେ ହୋଇଛି । ଏହା ପ୍ରଖ୍ୟାତ ଇଂଲିଶ୍ ଲେଖକ ୱିଲିୟମ୍ ସେକ୍ସପିୟର୍ଙ୍କ ଜନ୍ମ ଓ ମୃତ୍ୟୁ ତାରିଖ । ପୁଣି ଏହି ତାରିଖ ମରିସ୍ ଦ୍ରୁଓଁ, ରୁଷୀୟ ଲେଖକ ଭ୍ଲାଦିମିର୍ ନବୋକଭ୍, କଲମ୍ବୀୟ ଲେଖକ ମେନୁଏଲ୍ ମେଜିଆ ଭାଲେଜୋ ଓ ଆଇସ୍ଲାଣ୍ଡୀୟ ଲେଖକ ହାଲ୍ଡୋର୍ ଲାକ୍ସନେସ୍ ଆଦିଙ୍କ ଜନ୍ମତିଥି ତଥା ଇଂଲିଶ୍ ଲେଖକ ୱିଲିୟମ୍ ୱାର୍ଡ୍ସ୍ୱଥର୍୍, ୍ସ୍ପେନୀୟ ଲେଖକ ଇନ୍କା ଗାର୍ସିଲାସୋ ଡି’ଲା ଭେଗା ଓ ଜୋସେପ୍ ପ୍ଲା’ଙ୍କ ପୂଣ୍ୟତିଥି ।

ୟୁନେସ୍କୋ ପ୍ରତିବର୍ଷ ବିଶ୍ୱର ଯେକୌଣସି ଏକ ସହରକୁ ବିଶ୍ୱ ପୁସ୍ତକ ରାଜଧାନୀର ମାନ୍ୟତା ଦେଇଥାଏ । ସେଠାରେ ୨୩ ଏପ୍ରିଲରୁ ପରବର୍ତ୍ତୀ ବର୍ଷର ୨୨ ଏପ୍ରିଲ ଯାଏଁ ପୁସ୍ତକ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏହା ସେହି ସହର ତଥା ସଂପୃକ୍ତ ଦେଶରେ ପୁସ୍ତକ-ସଂସ୍କୃତିର ବିକାଶରେ ସହାୟକ ହୁଏ । ୨୦୦୧ରେ ମାଦ୍ରିଦ୍କୁ ପ୍ରଥମ ବିଶ୍ୱ ପୁସ୍ତକ ରାଜଧାନୀର ମାନ୍ୟତା ମିଳିଥିବା ବେଳେ ଦିଲ୍ଲୀକୁ ୨୦୦୩ରେ ଏହି ଗୌରବ ପ୍ରାପ୍ତ ହୋଇଥିଲା ।

ଆଜି ୧୦୦ରୁ ଊଦ୍ଧ୍ୱର୍ ଦେଶର ଲକ୍ଷଲକ୍ଷ ନାଗରିକ, ଶିକ୍ଷକ, ଲେଖକ, ପ୍ରକାଶକ ଓ ଗ୍ରନ୍ଥାଗାରିକମାନେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ, ଶୈକ୍ଷଣିକ, ବ୍ୟବସାୟିକ ଓ ସାର୍ବଜନିକ ସଂସ୍ଥା ତଥା ଗଣମାଧ୍ୟମ ଜରିଆରେ ବିଶ୍ୱ ପୁସ୍ତକ ଦିବସ ପାଳନ କରୁଛନ୍ତି । (ଏ କ୍ଷେତ୍ରରେ କେବଳ ଇଂଲଣ୍ଡ ଓ ଆୟର୍ଲାଣ୍ଡରେ ବ୍ୟତିକ୍ରମ ଦେଖାଯାଇଥାଏ । ସେଠାରେ ମାର୍ଚ୍ଚ ୩ ତାରିଖ ଦିନ ପୁସ୍ତକ ଦିବସ ପାଳିତ ହୁଏ ।) ସାରାବିଶ୍ୱର ଲେଖକ, ପ୍ରକାଶକ, ପୁସ୍ତକ ବିକ୍ରେତା ଓ ପୁସ୍ତକପ୍ରେମୀଙ୍କ ମଧ୍ୟରେ ଏହି ଦିବସ ପୁସ୍ତକପର୍ବ ଭାବେ ଆଦୃତ ହେଉଛି । ଏହା ଉପରୋକ୍ତ ସମୂହର ବ୍ୟକ୍ତିମାନଙ୍କ ମଧ୍ୟରେ ଏକ ସଂପର୍କର ସେତୁ, ଯେଉଁମାନଙ୍କ ମୂଳ ଲକ୍ଷ୍ୟ ପୁସ୍ତକର ବିକାଶ ଓ ପୁସ୍ତକ ପଠନ ରୁଚିର ପ୍ରସାର ସହ ସାରାବିଶ୍ୱରେ ପୁସ୍ତକ-ସଂସ୍କୃତିର ପ୍ରଚାର ପ୍ରସାର କରିବା ।

ପୁସ୍ତକ ଦିବସକୁ ମଧ୍ୟଯୁଗରେ ପାଳିତ ହେଉଥିବା ସେଣ୍ଟ୍ ଜର୍ଜ୍ ଦିବସର ଏକ ପରିବର୍ତ୍ତିତ ରୂପ ବୋଲି ମଧ୍ୟ ବିଶ୍ୱାସ କରାଯାଏ । ସେଦିନ ବେଟାଲୋନିଆରେ ପ୍ରେମିକମାନେ ନିଜ ପ୍ରେମିକାମାନଙ୍କୁ ଗୋଲାପ ଫୁଲ ଉପହାର ଦେଉଥିଲେ ଆଉ ପ୍ରତିବଦଳରେ ସେମାନଙ୍କଠାରୁ ବହିଟିଏ ଉପହାର ପାଉଥିଲେ ।

ଏହି ପରମ୍ପରା ବାର୍ସିଲୋନାରେ ଏବେ ବି ରହିଛି । ପ୍ରତିବର୍ଷ ଏପ୍ରିଲ ମାସ ୨୩ ତାରିଖରେ ଅଧାଦିନ ସେଠାକାର ସବୁ ଦୋକାନ ବଜାର ବନ୍ଦ ହୋଇଯାଏ ଆଉ ଚତୁର୍ଦ୍ଦିଗ ସଜ୍ଜିତ ହୋଇଯାଏ ହଜାରହଜାର ବହି ଦୋକାନରେ । ବଡ଼ବଡ଼ ପ୍ରକାଶକଙ୍କ ସୁନ୍ଦର ସୁନ୍ଦର ଦୋକାନଠାରୁ ଆରମ୍ଭ କରି ସାମୟିକ ବହି ଦୋକାନରେ ଭରିଯାଏ ସହର । ଏପରିକି ପୁସ୍ତକପ୍ରେମୀମାନେ ରାସ୍ତାକଡ଼ରେ ଟେବୁଲ୍ ପକାଇ ବହିମାନ ପ୍ରଦର୍ଶିତ କରିଥାନ୍ତି । ଆଧ୍ୟାତ୍ମିକ ପୁସ୍ତକଠାରୁ ଆରମ୍ଭ କରି ଆଧୁନିକ ଅର୍ଥଶାସ୍ତ୍ର ଯାଏଁ ସବୁକିଛି ଏଠି ମିଳିଥାଏ । ଏହିଦିନ ପ୍ରକାଶକମାନେ ସାରାବର୍ଷର ବେପାରର ଏକ ବଡ଼ ଅଂଶ ଆଶା କରିଥାନ୍ତି । ଲକ୍ଷଲକ୍ଷ ବହି ବିକ୍ରି ହୁଏ ଏହି ଉତ୍ସବରେ ।

ଦୁଇଦିନ ଧରି ବିଭିନ୍ନ ପ୍ରତିଯୋଗିତା ସହ ପୁସ୍ତକ ସଂପର୍କିତ ଆୟୋଜନମାନ ଲାଗିରହିଥାଏ । ଏହି ପୁସ୍ତକ ଉତ୍ସବରେ କେବଳ ପଢ଼ିବାର ସଉକ ରଖିଥିବା ଲୋକ ନୁହେଁ, ଅଜବ ଅଜବ ସଉକ ରଖିଥିବା ଲୋକମାନେ ବି ଭାଗନେଇଥାନ୍ତି । କିଏ ବହିମାନଙ୍କର ବିଚିତ୍ର ପୋଷ୍ଟର୍ସବୁ ପ୍ରଦର୍ଶନ କରେ ତ ପୁଣି କିଏ ଅଜବ ପ୍ରକାର ବହିମାନ ସଂଗ୍ରହ କରି ଲୋକଙ୍କୁ ଦେଖାଇଥାଏ । ଏହି ଅବସରରେ ସେଠାକାର ରଙ୍ଗାରଙ୍ଗ ସଂସ୍କୃତିର ଝଲକ୍ ମଧ୍ୟ ଦେଖିବାକୁ ମିଳେ ।

ବାର୍ସିଲୋନାର ଏହି ନିଆରା ସଂସ୍କୃତି ଜାପାନ ସମେତ ବିଶ୍ୱର ଅନ୍ୟ କେତେକ ଅଞ୍ଚଳକୁ ବ୍ୟାପିସାରିଲାଣି । ଭାରତକୁ, ବିଶେଷକରି ଓଡ଼ିଶାକୁ କେବେ ଏହାର ସୁଖଦ ଆଗମନ ଘଟିବ, ସେହିଦିନଟିକୁ ଉକ୍ରଣ୍ଠାର ସହ ଅପେକ୍ଷା…

writersudhir@gmail.com
ମୋ: ୯୭୭୭୯୪୯୮୦୦

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.