ଦିଲ୍ଲୀ: ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଗୁ ହେଲା ବ୍ୟାଗ୍ ପରିବହନ ଉପରେ କଟକଣା । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ଏହି କଟକଣା। ଛାତ୍ରଛାତ୍ରୀ ଯେମିତି ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍ ପରିବହନ ନ କରନ୍ତି ସେଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ଗତ ୨୦ ତାରିଖରେ ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହୋମୱାର୍କ ନଦେବାକୁ ସ୍ପଷ୍ଟ ସୂଚନା ଦିଆଯାଇଛି। ଏନସିଇଆରଟି ନିୟମ ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଭାଷା ଓ ଗଣିତ ବ୍ୟତୀତ ଆଉ କୌଣସି ବିଷୟରେ ଶିକ୍ଷାଦେବେ ନାହିଁ। ସେହିପରି ୩ୟରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ଭାଷା, ଇଭିଏସ ଓ ଗଣିତ ବିଷୟରେ ଶିକ୍ଷା ଦିଆଯିବ।ଗାଇଡ୍ ଲାଇନ୍ ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ୧.୫ କେଜି ରଖାଯାଇଛି। ସେହିପରି ୩ୟରୁ ୫ମ ଶ୍ରେଣୀ ପର୍ଯ୍ଯନ୍ତ ପିଲାଙ୍କ ଲାଗି ୨ରୁ ୩ କେଜି, ୬ଷ୍ଠ ଓ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୪ କେଜି, ୮ମ ଓ ୯ମ ଶ୍ରେଣୀ ପିଲାଙ୍କ ଲାଗି ୪.୫ କେଜି ଓ ଦଶମ ଶ୍ରେଣୀର ପିଲାମାନେ ଅତିବେଶୀରେ ୫ କେଜି ଓଜନର ବ୍ୟାଗ୍ ବିଦ୍ୟାଳୟକୁ ନେଇପାରିବେ। ଏହାଠାରୁ ଅଧିକ ଓଜନର ବ୍ୟାଗ୍ ନେବା ଉପରେ କଟକଣା ଜାରି ହୋଇଛି। ଯଦି କୌଣସି ବିଦ୍ୟାଳୟ ନିୟମ ଉଲ୍ଲଂଘନ କରୁଥିବେ, ତେବେ ତାଙ୍କ ବିରୋଧରେ କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି।