ମାନବବାଦର ଅନନ୍ୟ ପ୍ରବକ୍ତା ଭୀମ ଭୋଇ

ଆଜି ସନ୍ଥକବି ଭୀମ ଭୋଇ ଜୟନ୍ତୀ

ସଂପ୍ରତି ସାରାବିଶ୍ୱରେ ଅସହିଷ୍ଣୁତା ବଢ଼ିଚାଲିଥିବାବେଳେ ଭୀମ ଭୋଇଙ୍କ ମାନବବାଦୀ କବିତା ଓ ଭଜନ ଆହୁରି ପ୍ରାସଙ୍ଗିକ ହୋଇଉଠୁଛି ।

🖋ସୁଧୀର କୁମାର ଧଙ୍ଗଡ଼ାମାଝୀ

ଊନବିଂଶ ଶତାବ୍ଦୀରେ ଯେତେବେଳେ ଆଧ୍ୟତ୍ମିକତାର ଅଧୋପତନ ଘଟି ସମାଜରେ ଜାତିବାଦ, ସ୍ୱାର୍ଥାଚାର ବଢ଼ିଚାଲିଥିଲା; ସେହି ଯୁଗସନ୍ଧିରେ ଜଣେ ଯୁଗପୁରୁଷଙ୍କ ଆବିର୍ଭାବ ଘଟିଥିଲା, ଯିଏକି ତାଙ୍କ କବିତା ମାଧ୍ୟମରେ ମାନବବାଦର ପ୍ରଚାର କରିଥିଲେ । ସେହି ମାନବବାଦ ହେଉଛି ମହିମା ଧର୍ମ ଆଉ ତା’ର ମହାନ ପ୍ରଚାରକ ହେଉଛନ୍ତି ସନ୍ଥକବି ଭୀମ ଭୋଇ ।

ଯଦିଓ ଭୀମ ଭୋଇଙ୍କ ଗୁରୁ ମହିମା ଗୋସାଇଁଙ୍କୁ ମହିମା ଧର୍ମର ପ୍ରକୃତ ପ୍ରତିଷ୍ଠାତା ବୋଲି କୁହାଯାଏ, ତେବେ ଭୀମଙ୍କ ଲିଖିତ ଆଧ୍ୟାତ୍ମିକ ପ୍ରାର୍ଥନାସବୁ ହିଁ ଉକ୍ତ ମତବାଦର ପ୍ରଚାର ପ୍ରସାରରେ ବେଶ୍ ସହାୟକ ହୋଇଥିଲା ।

ଭୀମ ଭୋଇଙ୍କ କବିତା ଓ ଦର୍ଶନ ସଂପର୍କରେ ଅନେକ କଥା ଜଣାଥିଲେ ମଧ୍ୟ ତାଙ୍କ ଜୀବନୀ ଏବେ ବି ରହସ୍ୟମୟ । ତାଙ୍କ ଜନ୍ମସ୍ଥାନ, ପିତାମାତା, ଶିକ୍ଷା ଆଦି ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଉପଲବ୍ଧ ନାହିଁ । ତେବେ ଏକଥା ନିଶ୍ଚିତ ଯେ, ସେ ଜାତିରେ କନ୍ଧ ଥିଲେ ।

ପ୍ରାୟ ୧୮୫୦ ମସିହା ବେଳକୁ ସେ ଜନ୍ମଗ୍ରହଣ କରିଥିବା ବିଶ୍ୱାସ କରାଯାଏ । କେତେକ ଗବେଷକଙ୍କ ମତରେ ତାଙ୍କ ଜନ୍ମ ବର୍ଷ ୧୮୪୬ । ତେବେ ବୈଶାଖ ପୂର୍ଣ୍ଣିମା ଦିନ ତାଙ୍କର ଜନ୍ମ ହୋଇଥିବା ସୂଚନା ମିଳେ । ତାଙ୍କର ପ୍ରାରମ୍ଭିକ ଜୀବନ ପଶ୍ଚିମ ଓଡ଼ିଶାର ରେଢ଼ାଖୋଲ ଓ ବୀରମହାରାଜପୁର ଅଞ୍ଚଳରେ କଟିଥିଲା ।

ତାଙ୍କ କବିତାମାନଙ୍କରେ ସେ ଇଙ୍ଗିତ କରିଛନ୍ତି ଯେ, ତାଙ୍କୁ ଚାରିବର୍ଷ ବୟସ ବେଳକୁ ସେ ଭିକ୍ଷା କରୁଥିବା ଜଣେ ସିଦ୍ଧଯୋଗୀଙ୍କ ଦେହରେ ଶଙ୍ଖ ଚକ୍ର ଚିହ୍ନ ଥିବା ଦେଖିଥିଲେ । ତାହା ହିଁ ଥିଲା ମହିମା ଗୋସାଇଁଙ୍କ ସହ ଭୀମଙ୍କ ପ୍ରଥମ ସାକ୍ଷାତ, ଯିଏକି ପରେ ତାଙ୍କ ଗୁରୁ ହୋଇଥିଲେ ।

ବୟସ ବଢ଼ିବା ସହ ଗରିବ ଅସହାୟ ଭୀମ ଲୋକଙ୍କ କ୍ଷେତଖଳାରେ କାମ କରିବା ଓ ଜଙ୍ଗଲରେ ଗାଈ ଚରାଇବା କାମରେ ନିୟୋଜିତ ହେଲେ । କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିନଥିଲେ ବି ସେ ତୀବ୍ର ସ୍ମରଣଶକ୍ତି ଓ ମଧୁର ସ୍ୱରର ଅଧିକାରୀ ଥିଲେ ଏବଂ ମନେମନେ ଗୀତ ରଚନା କରି ଗାଉଥିଲେ ।

ମହିମା ଧର୍ମ ଗ୍ରହଣ କରିବା ପୂର୍ବରୁ ସେ ଜଣେ ଗୀତିକାର ଓ ଗାୟକ ଭାବେ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିସାରିଥିଲେ । ପଶ୍ଚିମ ଓଡ଼ିଶାର ରସର୍କେଲି, ଡାଲ୍ଖାଇ, ଜାଇଫୁଲ ଆଦି ଲୋକଗୀତ ଧୂନ୍ରେ ରାଧାକୃଷ୍ଣଙ୍କ ଉପରେ ରଚିତ ତାଙ୍କ ପ୍ରେମଗୀତଗୁଡ଼ିକ ତାଙ୍କୁ ଯୁବପିଢ଼ି ମଧ୍ୟରେ ବେଶ୍ ଲୋକପିି୍ରୟ କରାଇ ପାରିଥିଲା ।

କିମ୍ବଦନ୍ତି ରହିଛି ଯେ, ଥରେ ଭୀମ ଭୋଇ କୂଅରେ ପଡ଼ିଗଲେ ଆଉ ମହିମା ଗୋସାଇଁ ଉଦ୍ଧାର ନକରିବା ଯାଏଁ ବାହାରିବାକୁ ମନାକଲେ । ଶେଷରେ ମହିମା ଗୋସାଇଁ ଆସି ତାଙ୍କୁ ରକ୍ଷାକଲେ ।

ମହିମା ଗୋସାଇଁ ଦୁଇଜଣ ବ୍ରାହ୍ମଣ ହରି ପଣ୍ଡା ଓ ବାସୁ ପଣ୍ଡାଙ୍କ ସମେତ ମହିମା ଧର୍ମରେ ଦୀକ୍ଷିତ ମାର୍କଣ୍ଡ ଦାସ ଓ ଧର୍ମାନନ୍ଦ ଦାସଙ୍କୁ ଭୀମଙ୍କ କଥା ଓ କବିତା ଲିପିବଦ୍ଧ କରିବା ପାଇଁ ପଠାଇଲେ । ଦିନକୁଦିନ ସେ ଜଣେ କବି ଓ ମହିମା ଧର୍ମର ପ୍ରଚାରକ ଭାବେ ଲୋକପ୍ରିୟ ହେବାକୁ ଲାଗିଲେ ।

ମହିମା ଗୋସାଇଁଙ୍କ ଆଜ୍ଞାରେ ଢେଙ୍କାନାଳ ନିକଟସ୍ଥ ମାଧିଗ୍ରାମର ଅନ୍ନପୂର୍ଣ୍ଣା ନାମ୍ନୀ ଜଣେ କନ୍ୟା ଭୀମ ଭୋଇଙ୍କ ପାଖରେ ତାଙ୍କ ଆଧ୍ୟାତ୍ମିକ ସଙ୍ଗୀ ଭାବେ ସମର୍ପିତା ହେଲେ । ଭୀମଙ୍କ ଭକ୍ତ ଓ ଅନୁଗାମୀମାନଙ୍କ ମଧ୍ୟରେ ସେ ମା’ ଅନ୍ନପୂର୍ଣ୍ଣା ଭାବେ ପରିଚିତ ଥିଲେ ।

୧୮୭୬ ଫାଲ୍ଗୁନ ଶୁକ୍ଳ ଦଶମୀ ଦିନ ଯୋରନ୍ଦାରେ ମହିମା ଗୋସାଇଁଙ୍କ ମହାପ୍ରୟାଣ ଘଟିଲା । ସନ୍ନ୍ୟାସୀମାନେ ବଳ୍କଳଧାରୀ ଓ କୌପିନଧାରୀ ଭାବେ ଦୁଇଭାଗ ହୋଇଗଲେ । ଭୀମ ଭୋଇଙ୍କ କବିପ୍ରାଣକୁ ଏହା ଦୁଃଖ ଦେଇଥିଲା । ତେଣୁ ସେ ନିଜର ଏକ ଆଶ୍ରମ କରିବାକୁ ମନସ୍ଥ କଲେ ।

ଭୀମ ତାଙ୍କ ଅନୁଗାମୀମାନଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାର ବିନିକାକୁ ଆସିଲେ । ବିନିକା ନିକଟସ୍ଥ ଗୋଲଣ୍ଡାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଗଲା । ସେଠାରେ ସେ ଗାଁ ଗୌନ୍ତିଆ ଦାନ କରିଥିବ ଜମିରେ ଏକ ଆଶ୍ରମ ସ୍ଥାପନ କଲେ ।

ସେହି ସମୟରେ ଭୀମ ସୁମେଧା ଓ ରୋହିଣୀ ନାମ୍ନୀ ଦୁଇଜଣ ମହିଳାଙ୍କୁ ଜୀବନ ସଙ୍ଗିନୀ ଭାବେ ଗ୍ରହଣ କରିଥିଲେ ଏବଂ ପରେ ସେମାନେ ଭୀମଙ୍କ ଔରସରୁ ଯଥାକ୍ରମେ ଏକ ପୁତ୍ର ଓ କନ୍ୟା ସନ୍ତାନର ଜନନୀ ହୋଇଥିଲେ ।

ଜନୈକ ବଳ୍କଳଧାରୀ ସାଧୁ ଭୀମ ଦାସ ତାଙ୍କ ବନ୍ଧୁମାନଙ୍କ ସହ ଯୋରନ୍ଦାରୁ ଆସି ଅଭିଯୋଗ କଲେ ଯେ ଭୀମ ଭୋଇ ତାଙ୍କ ଭଉଣୀ ଅନ୍ନପୂର୍ଣ୍ଣାଙ୍କୁ ଅପହରଣ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ସେତେବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହାକୁ କେହିକେହି ନାଗା ଆକ୍ରମଣ ବୋଲି ଦର୍ଶାଇଥାନ୍ତି । ଉକ୍ତ ଘଟଣା ପରେ ତାଙ୍କୁ ଗୋଲଣ୍ଡା ଛାଡ଼ିବାକୁ ପଡ଼ିଲା ।

ନିଜ ପରିବାର ଓ ଅନୁଗାମୀମାନଙ୍କ ସହ ଭୀମ ଅଙ୍ଗ ନଦୀ ପାର ହୋଇ ୧୮୭୭ରେ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ଗାଁରେ ପହଞ୍ଚିଲେ । ଖଲିଆପାଲିର ଗଉଡ଼ ଗୌନ୍ତିଆ ଲୋଚନ ବଗର୍ତ୍ତି ତାଙ୍କୁ ଭକ୍ତି ଓ ପ୍ରଶଂସାର ସହ ସ୍ୱାଗତ କରି ଆଶ୍ରମ ନିର୍ମାଣ ପାଇଁ ଜମି ଦେଇଥିଲେ । ଭୀମ ଭୋଇ ଖଲିଆପାଲି ପହଞ୍ଚିବା ଦିନ ବଗର୍ତ୍ତି ପରିବାରରେ ଏକ ଶିଶୁ ଜନ୍ମ ହୋଇଥିଲା, ଯାହାର ନାଁ ଦିଆଗଲା ଭୀମ ବଗର୍ତ୍ତି ।

ଭୀମ ଭୋଇ ଖଲିଆପାଲିକୁ ତାଙ୍କ ସ୍ଥାୟୀ ବାସସ୍ଥାନ ଭାବେ ଗ୍ରହଣ କରିନେଲେ ଓ ମୃତ୍ୟୁ ଯାଏଁ ସେଠାରେ ହିଁ ରହିଥିଲେ । ସେଠାରେ ସେ ପ୍ରାର୍ଥନା କରୁଥିଲେ, ପ୍ରବଚନ ଦେଉଥିଲେ, ଜଗତ ଉଦ୍ଧାର ପାଇଁ ଗୀତ ଲେଖି ଗାଉଥିଲେ । ତାଙ୍କ ଆଧ୍ୟାତ୍ମିକ ସଙ୍ଗୀ ମା’ ଅନ୍ନପୂର୍ଣ୍ଣା ଆଶ୍ରମର ଏକ ମହାନ ଆଧ୍ୟାତ୍ମିକ ଶକ୍ତି ଥିଲେ ।

ଭୀମ ଏକାସମୟରେ ଚାରିଟି ଗୀତ ଚାରିଜଣ ଲେଖନକାରୀ- ବାସୁ ପଣ୍ଡା, ହରି ପଣ୍ଡା, ମାର୍କଣ୍ଡ ଦାସ ଓ ଧର୍ମାନନ୍ଦ ଦାସଙ୍କୁ ଡାକୁଥିଲେ; ଯେଉଁମାନେକି ତାହା ଲେଖିବା ପାଇଁ ଲେଖନୀ ଓ ତାଳପତ୍ର ସହ ପ୍ରସ୍ତୁତ ହୋଇ ରହୁଥିଲେ । ବିଶ୍ୱ ସାହିତ୍ୟରେ ଏଭଳି ଉଦାହରଣ ବିରଳ ।

 

ତାଙ୍କ ଅନନ୍ୟ ଭାବଧାରା ପାଇଁ ଭୀମ ଭୋଇ କେବଳ ଓଡ଼ିଆ ସାହିତ୍ୟରେ ନୁହେଁ, ବରଂ ବିଶ୍ୱ ସାହିତ୍ୟରେ ବି ଅମର ହୋଇ ରହିଛନ୍ତି । ତାଙ୍କର ଆତ୍ମୋଦ୍ଦୀପକ ପଙ୍କ୍ତି “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” ଭାରତର ସଂସଦ ଭବନରେ ସ୍ଥାନିତ ହୋଇ ଓଡ଼ିଆ ସାହିତ୍ୟ ଓ ଭାବଧାରାର ଜୟଗାନ କରୁଛି ।

ଭୀମ ଭୋଇଙ୍କ ଅନେକ ଲେଖା ହଜିଯାଇଥିବା ବେଳେ ଯାହାବି ଆମପାଇଁ ଉପଲବ୍ଧ ଅଛି, ତାହା ତାଙ୍କ ପ୍ରଚଣ୍ଡ ପ୍ରତିଭାକୁ ଆଲୋକପାତ କରେ । ସେଗୁଡ଼ିକ ମଧ୍ୟରୁ ସ୍ତୁତି ଚିନ୍ତାମଣି, ବ୍ରହ୍ମନିରୂପଣ ଗୀତା, ଆଦିଅନ୍ତ ଗୀତା, ଚଉତିଶା ଗ୍ରନ୍ଥମାଳା, ନିର୍ବେଦ ସାଧନା, ଶ୍ରୁତି ନିଷେଧ ଗୀତା, ମହିମା ବିନୋଦ (ଚାରି ଖଣ୍ଡ), ବୃହତ୍ ଭଜନମାଳା ଓ ବଙ୍ଗଳା ଆଠଭଜନ ଆଦି ଉଲ୍ଲେଖନୀୟ ।

୧୮୯୫ ମସିହାରେ ଶିବ ଚତୁର୍ଦ୍ଦଶୀ ଦିନ ଭୀମ ଖଲିଆପାଲି ଆଶ୍ରମରେ ଇହଧାମ ତ୍ୟାଗ କଲେ ।

ସଂପ୍ରତି ସାରାବିଶ୍ୱରେ ଅସହିଷ୍ଣୁତା ବଢ଼ିଚାଲିଥିବାବେଳେ ଭୀମ ଭୋଇଙ୍କ ମାନବବାଦୀ କବିତା ଓ ଭଜନ ଆହୁରି ପ୍ରାସଙ୍ଗିକ ହୋଇଉଠୁଛି । ସହଜ ସରଳ ଭାଷାରେ ଲିଖିତ ତାଙ୍କର ଲେଖାସବୁ ଆଜି ବି କୋଟିକୋଟି ଜନତାଙ୍କ ହୃଦୟକୁ ସ୍ପର୍ଶ କରିପାରୁଛି ।

writersudhir@gmail.com
ମୋ: ୭୦୦୮୫୬୮୭୮୦

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.