ନୂଆଦିଲ୍ଲୀ,୨୭/୧୧: ବିଜେପିରେ ଯୋଗ ଦେଇଛନ୍ତି ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ । ଦିଲ୍ଳୀରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ହୋଇଥିବା ଏହି ମିଳନ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ବିଜେପି ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ଥିଲେ। ଗଣଶିକ୍ଷା ବିଭାଗର ସଚିବ ଏବଂ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବା ବେଳେ ଅପରାଜିତା ନେଇଥିବା କିଛି ବଡ ନିଷ୍ପତି ଆଜି ବି ତାଙ୍କୁ ଚର୍ଚ୍ଚାରେ ରଖିଛି । ଦିଲ୍ଲୀ ଭଳି ଓଡିଶାରେ ବିଜେପି ନୂଆ ଏକ ଫର୍ମୁଲା ସହ ଆଗକୁ ବଢୁଥିବା ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଅପରାଜିତା ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି ।

ଜଣେ ଦକ୍ଷ ଓ ସଚ୍ଚୋଟ ଆଇଏଏସ୍ ଅଫିସର ରୂପେ ଜଣାଶୁଣା ଅପରାଜିତା ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ପରେ ତାଙ୍କର ରାଜନୀତିରେ ମିଶିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ସେ ବିଜେଡି କିମ୍ବା ବିଜେପିରେ ମିଶିବେ ତାହା ସ୍ପଷ୍ଟ କରିନଥିଲେ। ତେଣୁ ତାଙ୍କୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସେ ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି। ଅପରାଜିତାଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ସେ ବିଭିନ୍ନ ମହଲରେ ପ୍ରଂଶସାଭାଜନ ହୋଇପାରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶାରୁ କେନ୍ଦ୍ରୀୟ ଡେପୁଟେସନ୍କୁ ଯାଇଥିଲେ। ଡେପୁଟେସନ୍ ଅବଧି ସମାପ୍ତ ହେବା ପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ।