ସୁବିଧା ଥାଇବି ହତାଶ ଚାଷୀ: ସର୍ଗିଗୁଡାରେ ଏକାଧିକ ପାଣି ପଏଣ୍ଟ ଅଚଳ, ଦାଉ ସାଧୁଛି ଜଳସେଚନ ବ୍ୟବସ୍ଥା, ଶୁଖିଲା ପଡ଼ିଛି ଚାଷ ଜମି 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଳକରେ ନିଅଣ୍ଟିଆ ବର୍ଷା ଯୋଗୁଁ ଅଧା ଚାଷ ଜମି ପଡିଆ ପଡିଛି। ଅଧାରୁ ଅଧିକ ଜମିରେ ରୁଆ କାର୍ଯ୍ୟ ବି ଆରମ୍ଭ ହୋଇନି। ଏପଟେ ମେଗା ଉଠାଜଳସେଚନ ପ୍ରକଳ୍ପ ଭରସାରେ ଥିବା ଚାଷୀଙ୍କ କ୍ଷେତରେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଅବସ୍ଥା ସମାନ। ବ୍ଳକର ଡହଗାଁ ପଞ୍ଚାୟତ ସର୍ଗିଗୁଡା ଗ୍ରାମର ଚାଷୀଙ୍କ ଜମିରେ ଜଳ ଯୋଗାଣ ପାଇଁ ଆସିଥିବା ଇନ୍ଦ୍ରାବତୀ ମେଗା ଉଠାଜଳସେଚନ ପ୍ରକଳ୍ପ ରୁ ପାଣି ଯୋଗାଣ ହେଉଛି। ଏହି ପାଣି ଭରଷାରେ ଚାଷୀ ତଲି ପକାଇବା ସହ ଚାଷ କାର୍ଯ୍ୟ ଆଗେଇ ନେଇଥାନ୍ତି। ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟ ଠିକ୍ ଭାବରେ ହୋଇ ପାରୁ ନଥିବା ବେଳେ ଡିଏମ୍-୧୩(ଏ) ରେ ଥିବା ସର୍ଗିଗୁଡା ଗ୍ରାମରେ ପ୍ରାୟ ୧୧ ଟି ପଏଣ୍ଟ କାମ କରୁ ନାହିଁ । ସର୍ଗିଗୁଡାର ଚାଷୀମାନେ କୁସୁମଖୁଣ୍ଟି ଉପର ଇନ୍ଦ୍ରାବତୀ ଉଠାଜଳ ସେଚନ କେନାଲ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟକୁ ଯାଇ ଏନେଇ ଅଭିଯୋଗ କରିଛନ୍ତି। ହେଲେ ଆଜି କାଲି କହି ବିଭାଗ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି। ବାରମ୍ବାର ଯନ୍ତ୍ରୀ ମାନଙ୍କୁ ଫୋନ କରି କରି ଥକି ଯାଇଥିବାବେଳେ ଜଳ ସେଚନ ବିଭାଗୀୟ ଅଧିକାରୀ ମାନେ ଚାଷ କାର୍ଯ୍ୟରେ ଦାଉ ସାଧିଛନ୍ତି। ଏଣେ ବର୍ଷା ଅଭାବ ଯୋଗୁଁ ଚାଷୀଙ୍କ କ୍ଷେତରେ ଥିବା ତଲି ମରିବାକୁ ବସିଛି। ରୁଆ ବେଉଷଣ କାର୍ଯ୍ୟ ମଧ୍ୟ ଆଗେଇ ପାରିନାହିଁ। ଏପଟେ ଦୁଇ ଚାରି ଦିନ ମଧ୍ୟରେ ବର୍ଷା କିମ୍ବା କେନାଲ ପାଣି ନଆସେ ଚାଷ ବଞ୍ଚାଇବା ଆଶା ମଧ୍ୟ ଚାଷୀ ଛାଡ଼ି ଦେଇଛନ୍ତି। ଏବେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ ଆସନ୍ତା କାଲି ସୁଦ୍ଧା ବିଭାଗ ପାଣି ପଏଣ୍ଟ ଠିକ୍ ନକଲେ ବିଭାଗୀୟ କାର୍ଯ୍ୟାଳୟକୁ ତାଲା ପକାଇବା ସହ ରାଜରାସ୍ତା କୁ ଓହ୍ଲେଇବା ପାଇଁ ସର୍ଗିଗୁଡାର ଚାଷୀ ଲାଲ ମୋହନ ଚନ୍ଦନ, ପିତାମ୍ବର ଚନ୍ଦନ, ମୁକ୍ତେ ପୂଝାରୀ, ଭଜ ଚନ୍ଦନ, ପରମେଶ୍ବର ଚନ୍ଦନ, ଅରକ୍ଷିତ ଚନ୍ଦନ, ରାହାସ ଚନ୍ଦନ, ଲାବଣ୍ୟ ଚନ୍ଦନ, ରସିକ ଚନ୍ଦନ, ଗୋପୀନାଥ ଚନ୍ଦନ, ଡିଙ୍ଗର ଚନ୍ଦନ, କଲାକୁମର ପୂଝାରୀ, ବିଷ୍ଣୁ ଗୋପାଳ, ଗଗନେ ହାତୀ, ଜଗଦୀଶ ମାଝୀ, କେଦାର ମାଝୀ, ନୀଳକଣ୍ଠ ଚନ୍ଦନ, ସନ୍ତୋଷ ଚନ୍ଦନ ସମେତ ଶତାଧିକ ଚାଷୀ ଚେତାବନୀ ଦେଇଛନ୍ତି। ଏନେଇ କୁସୁମଖୁଣ୍ଟି ଉପର ଇନ୍ଦ୍ରାବତୀ ଉଠା କେନାଲ ବିଭାଜନର ସହକାରୀ ଯନ୍ତ୍ରୀ ବିଶ୍ବଜିତ ବିହାରୀଙ୍କ ମତାମତ ନେବାରୁ ସୋମବାର ସୁଦ୍ଧା ପାଣି ପଏଣ୍ଟ ମରାମତି କରାଯିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.