ନୀତିଶ କୁମାରଙ୍କୁ ଠକିଦେଲା ‘ଇଣ୍ଡିଆ’!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦେଶରୁ ଏନଡିଏକୁ କ୍ଷମତାଚ୍ୟୁତ କରିବା ପାଇଁ ଇଣ୍ଡିଆ ଆଗଉଛି। ଏହି କ୍ରମରେ ମେଣ୍ଟର ସମନ୍ୱୟ କମିଟି ବୈଠକ କରାଯାଇ ରଣନୀତି ପ୍ରସ୍ତୁତ ହୋଇଛି। ଦେଶବ୍ୟାପୀ ମେଣ୍ଟ ମିଳିତ ଭାବେ କାର୍ଯ୍ୟକ୍ରମ କରିବା ସହ ସିଟ ଭାଗବଣ୍ଟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବ। କିନ୍ତୁ ଏସବୁ ଭିତରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଇଣ୍ଡିଆ ମେଣ୍ଟ ଓ ନୀତିଶ କୁମାରଙ୍କୁ ନେଇ ମନ୍ତବ୍ୟ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ବିହାରରେ ଜନସୁରଜ ପଦଯାତ୍ରା କରୁଥିବା ପ୍ରଶାନ୍ତ କିଶୋର ନୀତିଶଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି। ଇଣ୍ଡିଆ ମେଣ୍ଟରେ ବିରୋଧୀଙ୍କୁ ଏକାଠି କରିବାକୁ ଜୋରଦାର ଉଦ୍ୟମ କରିଥିବା ନୀତିଶ କୁମାର ଏକମାତ୍ର ନେତା ଯିଏକି ଇଣ୍ଡିଆ ନାଁ ସହ ସହମତ ନୁହଁନ୍ତି। ଏପରିକି ବିରୋଧୀ ମେଣ୍ଟର ଏହି ନାଁକୁ ନେଇ ନୀତିଶ ଖୁସି ନ ଥିବା କହିଛନ୍ତି ପ୍ରଶାନ୍ତ।

ବିରୋଧୀଙ୍କ ମୁମ୍ବାଇ ବୈଠକରେ ନୀତିଶ ଜାତିଗତ ଜନଗଣନାକୁ ଇଣ୍ଡିଆ ମେଣ୍ଟର ମୁଖ୍ୟ ଏଜେଣ୍ଡା କରିବାକୁ ଚାହିଁଥିଲେ। କିନ୍ତୁ ଇଣ୍ଡିଆ ମେଣ୍ଟ ଏହାକୁ ସ୍ୱୀକାର କରି ନ ଥିଲା ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଏପରିକି କେବଳ ମୁମ୍ବାଇ ବୈଠକ ନୁହେଁ ବିରୋଧୀ ମେଣ୍ଟର ତିନୋଟି ବୈଠକରେ ନୀତିଶ କୁମାରଙ୍କ ଯେଉଁ ଆଶା ଥିଲା ତାହା କିଛି ବି ପୂରଣ ହେଲା ନାହିଁ ବୋଲି ସେ କହିଛନ୍ତି। ଇଣ୍ଡିଆର ଏହା ଆରମ୍ଭ ଦିନ। ଯେତେବେଳେ ଆସନ ଭାଗବଣ୍ଟା ହେବ ସେତେବେଳେ ସବୁ ବୁଝାପଡିବ ବୋଲି ସେ କହିଛନ୍ତି। ବିରୋଧୀଙ୍କ ପ୍ରଥମ ବୈଠକ ପାଟନାରେ ହୋଇଥିଲା ଓ ନୀତିଶ ନିଜର ସବୁ ଶକ୍ତି ଲଗାଇ ଏହାକୁ ସଫଳ କରିଥିଲେ।ସେହି ବୈଠକରେ ତାଙ୍କୁ ବିରୋଧୀ ମେଣ୍ଟର ସଂଯୋଜକ କରାଯିବ ବୋଲି ସେ ବଡ଼ ଆଶା ରଖିଥିଲେ କିନ୍ତୁ ତାହା ହୋଇ ନ ଥିଲା ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ବେଙ୍ଗାଲୁରୁରେ ହୋଇଥିବା ଦ୍ଵିତୀୟ ବୈଠକରେ ଏହା ହୋଇଯିବ ଵୋଲି ନୀତିଶ ଆଶା ରଖିଥିଲେ ମଧ୍ୟ ସେଠାରେ ବି ହୋଇ ନ ଥିଲା। ବିହାରରେ ଜନ ସୁରଜ ଯାତ୍ରା କରିବା ଅବସରରେ ମୁଜାଫରପୁରରେ ସେ ଏ କଥା କହିଛନ୍ତି। ଇଣ୍ଡିଆ ମେଣ୍ଟ ଓ ନୀତିଶଙ୍କ ଭୂମିକାକୁ ନେଇ ଲଗାତର ଟାର୍ଗେଟ କରୁଥିବା ପ୍ରଶାନ୍ତ କିଶୋରଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ମଧ୍ୟ ପ୍ରଶାନ୍ତ କିଶୋର ନୀତିଶଙ୍କୁ ଇଣ୍ଡିଆରେ ଗୁରୁତ୍ୱ ଦିଆଯାଉ ନ ଥିବା କହିଥିବା ବେଳେ ନୀତିଶଙ୍କ ଦଳ ଜେଡିୟୁ ୫ ଟି ଲୋକସଭା ଆସନ ମଧ୍ୟ ଜିତିପାରିବନି ବୋଲି କହିଥିଲେ। ଏବେ କିନ୍ତୁ ପ୍ରଶାନ୍ତଙ୍କ ଏଭଳି ବିସ୍ଫୋରକ ବୟାନ ଜାତୀୟ ରାଜନୀତିକୁ ଚଳଚଂଚଳ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.