ମହାପାର୍ବଣ ନୂଆଖାଇରେ ଗାଁର ଗଣାଙ୍କ ଭୂମିକା

ସୁନୀଲ କୁମାର ଧଙ୍ଗଡାମାଝୀ 

ଗଣା କଳାହାଣ୍ଡି ଗ୍ରାମ୍ୟ ଜୀବନର ପ୍ରମୁଖ ଅଙ୍ଗ, ତାଙ୍କ ବିନା କୌଣସି ପର୍ବପର୍ବାଣୀର କଳ୍ପନା ମଧ୍ୟ କରାଯାଇ ପାରେନାହିଁ। ସେ ପ୍ରତ୍ୟକ ପର୍ବପର୍ବାଣୀ ଓ ଦେବାଦେବୀ ଆରଧନାର ଆଦ୍ୟ ସୁତ୍ରଧର। ‘ଗଣାର ଡାକ୍, ସର୍ଗର୍ ବାଟ୍’ – ଗଣାର ଡାକ କେବଳ ଗ୍ରାମର ଜନସାଧାରଣଙ୍କ କାନରେ ବାଜିଥାଏ ତାହା ନୁହଁ, ଦେବାଦେବୀମାନେ ମଧ୍ୟ ତା’ର ଡାକକୁ କାନେଇଥାନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗାଁର ପ୍ରତ୍ୟକ ଶୁଭ ଅଶୁଭ କାର୍ଯ୍ୟର ସୂଚନା ଗଣା ମାଧ୍ଯମରେ ପାଇଥାନ୍ତି ଗ୍ରାମବାସୀ। ତେଣୁ ଗଣାଙ୍କ ପ୍ରତି ପ୍ରତ୍ୟେକ ଗ୍ରାମବାସୀଙ୍କ ସ୍ବତନ୍ତ୍ର ଶ୍ରଦ୍ଧା ଓ ସମ୍ମାନ ରହିଥାଏ। ରାଜତନ୍ତ୍ର ସମୟରୁ ପଶ୍ଚିମ ଓଡ଼ିଶାର ପ୍ରତ୍ୟକ ଗାଁରେ ଜଣେ ଜଣେ ‘ଗଣା’ ରହି ଆସିଛନ୍ତି ଓ ତାଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଭୁସଂମ୍ପତ୍ତିର ବ୍ୟବସ୍ଥା କରାଯାଇଥିଲା। ଗାଁର ଗୈାନ୍ତିଆ ବିଭିନ୍ନ ଜାତିର ହୋଇ ପାରନ୍ତି, କିନ୍ତୁ ବିଶେଷ କରି ଅବିଭକ୍ତ କଳାହାଣ୍ଡିରେ ଗଣା କେବଳ ଡମ୍ ଜାତିର ହୋଇଥାନ୍ତି।

Udyog Nursery
Udyogi Nursery

ନୂଆଖାଇ ପାର୍ବଣର ଆଦ୍ୟରୁ ପ୍ରାନ୍ତ ଯାଏ ଗଣାଙ୍କ ବିଶେଷ ଭୂମିକା ରହିଥାଏ । ଭାଦ୍ରବ ମାସର ଅୟମାରମ୍ଭ ପୂର୍ବରୁ ନୂଆଖାଇ ପ୍ରସ୍ତୁତି ପାଇଁ ଗାଁରେ ବୈଠକ ବସେ। ଗାଁର ଗଣା ଦାଣ୍ଡରେ ବୁଲି ଏହି ବିଷୟରେ ଗ୍ରାମବାସୀଙ୍କୁ ସୂଚନା ଦେଇଥାନ୍ତି।

ଗଣାର ଡାକ ଶୁଣିବା ପରେ ଗ୍ରାମ୍ୟ ପରିବେଶରେ ନୂତନ କମ୍ପନ ସୃଷ୍ଟି ହୁଏ। ଗଣା ଗାଁ ମୁଣ୍ଡରେ ପ୍ରଥମ ଡାକ ଦେଇଥାନ୍ତି। ସେ ଯେଉଁ ସ୍ଥାନରେ ଠିଆହୋଇ କୁହାଟ ଛାଡିଥାନ୍ତି, ତାହା ହେଉଛି ଗବଡା ଗଦା। ଏହି ସ୍ଥାନର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ‘ଗବଡା’।

କୁହାଯାଏ ଗଣାର ନୂଆଖାଇ ସୂଚନା ଶୁଣିବା ପରେ ଗବଡା ଦେବୀ ସମସ୍ତ ଗ୍ରାମ୍ୟ ଦେବାଦେବୀଙ୍କୁ ତୁରନ୍ତ ବାର୍ତ୍ତା ପ୍ରରଣ କରିଥାନ୍ତି। ଗ୍ରାମ୍ୟ ଦେବାଦେବୀମାନେ ମଧ୍ୟ ଅଦୃଶ୍ୟ ରୂପରେ ନୂଆଖାଇ ପ୍ରସ୍ତୁତି ପାଇଁ ଆୟୋଜିତ ହୋଇଥିବା ବୈଠକରେ ଯୋଗ ଦେଇଥାନ୍ତି। ନୂଆଖାଇର ସପ୍ତାହେ ପୂର୍ବରୁ କିମ୍ବା ସ୍ଥଳ ବିଶେଷରେ ଦୁଇ ତିନି ଦିନ ପୂର୍ବରୁ ଗ୍ରାମରେ ରୁଗୀବଲା ବା ରୁଗୀଯୁଗୀ ଅନୁଷ୍ଠିତ ହୋଇଥାଏ।

ଗ୍ରାମର ଗଣା ପଡ଼ା ପଡ଼ା ବୁଲି ରୁଗୀବଲା ଦିନର ଘୋଷଣା କରିଥାଏ। ରୁଗୀବଲା ଦିନ ଗ୍ରାମର ସମସ୍ତ ପରିବାର ଖପରରେ ଜଳନ୍ତା ଅଙ୍ଗାର ରଖି ତା’ ଉପରେ ଝୁଣା ପକାଇ ଘରୁ ଗ୍ରାମର ମଧ୍ୟସ୍ଥଳକୁ ଆଣିଥାନ୍ତି। ଏଥିସହ କିଛି ଫୁଲାଲିଆ (ଖଇ) ଓ ଭାତିଆ (ଚାଉଳ, ଡାଲି, ପନିପରିବା, ପଇସା) ଆଦି ଆଣିଥାନ୍ତି।

ଗ୍ରାମର ସମସ୍ତ ପରିବାର ଏସବୁ ଦ୍ରବ୍ୟ ଆଣି ଏକାଠି ଠୁଳ କରିବା ପରେ ଗଣା, ଜାନୀ, ଝାଙ୍କର ଅଭିଚାର ତନ୍ତ୍ର ମତରେ ପୂଜାପାଠ କରିଥାନ୍ତି। ଏହାପରେ ଗଣା ରୁଗୀବଲା ସାମଗ୍ରୀ ଧରି ଖଇ ବିଂଛିବିଂଛି ଗ୍ରାମରୁ ଦୁଷ୍ଟ ଶକ୍ତି ବାହାରି ଯିବାକୁ ନିର୍ଦ୍ଦେଶ କରିଥାନ୍ତି।

ସେମାନେ ଗ୍ରାମ ଶେଷମୁଣ୍ଡରେ ରୁଗୀବଲା ସାମଗ୍ରୀସବୁ ରଖି ଗ୍ରାମ ଦେବାଦେବୀଙ୍କ ପାଖରେ ଗ୍ରାମରୁ ରୋଗ ବଇରାଗ ହଟାଇବା ପାଇଁ ପ୍ରାର୍ଥନା କରନ୍ତି ଓ ରୁଗୀଯୁଗୀ ବଲାର ଅନ୍ତିମ ପର୍ଯ୍ୟାୟରେ ସମସ୍ତ ଦେବାଦେବୀମାନଙ୍କୁ ମଦ୍ୟ ଅର୍ପଣ ଓ କୁକୁଡ଼ା ବଳି ଦେଇଥାନ୍ତି। ସେହିପରି ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ପନା ପାଏନ୍ ଢଳା କାର୍ଯ୍ୟକ୍ରମରେ ଧର୍ନୀ ଦେବୀଙ୍କ ଶାନ୍ତି ବିଧାନ କରାଯାଇଥାଏ।

ଏଥିରେ ମଧ୍ୟ ଗଣାଙ୍କ ବିଶେଷ ଭୂମିକା ରହିଥାଏ। ଏହି ପରମ୍ପରା ମାଧ୍ୟମରେ ଆଦିମ ସମାଜ ପିତୃପୁରୁଷ ତତ୍ତ୍ୱ ଓ ଧରଣୀତତ୍ତ୍ୱରୁ ବିବର୍ତ୍ତିତ ଦେବାଦେବୀମାନଙ୍କୁ ଶାନ୍ତି କରିବାର ମାନସିିକତା ନେଇ ପରୋକ୍ଷରେ ପିତୃପୁରୁଷ, ଧର୍ନୀଦେବୀ ଓ ଅଦୃଶ୍ୟ ଶକ୍ତିଙ୍କଠାରେ ସମର୍ପଣ ଭାବ ଦେଖାଇଥାନ୍ତି।

ନୂଆଖାଇର ପୂର୍ବ ଦିବସକୁ ‘ଉପାସ୍ ଦିନ୍’ ବୋଲି କୁହାଯାଇଥାଏ। ଏହି ଦିନ ଧର୍ନୀ ପୀଠରେ ଖେଡ଼ଶୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏଥିରେ ମଧ୍ୟ ଗୌନ୍ତିଆ, ଜାନିଙ୍କ ସହ ଗାଁର ଗଣାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ।

ଖେଡ଼ଶୁଆ ଦିନ ଗୃହକର୍ତ୍ତାମାନେ ଓପାସ ରହି ସନ୍ଧ୍ୟା ପରେ ନିଜନିଜ ମଶାନ୍ କୁନା (ପିଦର ବା ପିତୃ ପୁରୁଷଙ୍କ ଆସ୍ଥାନ)ରେ ଆସନ୍ତାକାଲି ନୂଆ ଖାଇବା ବୋଲି ଗୃହର ଇଷ୍ଟ ଦେବାଦେବୀ ଓ ପିତୃପୁରୁଷଙ୍କୁ ନିମନ୍ତ୍ରଣ କରିଥାନ୍ତି। ନୂଆଖାଇର ଉପାସ ଦିନ ଗ୍ରାମର ପ୍ରତ୍ୟେକ ଗୃହକର୍ତ୍ତା ଗଣାଙ୍କୁ ଆଦର ସହକାରେ ଆମନ୍ତ୍ରଣ କରି ସାଧ୍ୟମତେ ଭାତିଆ ପ୍ରଦାନ କରିଥାନ୍ତି। ଏଥିରେ ଗଣାଙ୍କ ପ୍ରତି ସେମାନଙ୍କ ଶ୍ରଦ୍ଧା ଓ ସମ୍ମାନର ଭାବ ବାରି ହୋଇ ପଡିଥାଏ।

ଗଣା ଗ୍ରାମ୍ୟ ସଂସ୍କୃତିର ମହାନ ବାର୍ତ୍ତାବହ ଭାବରେ କେଉଁ ଏକ ସ୍ମରଣାତୀତ କାଳରୁ ଆଜିର ବସ୍ତୁବାଦୀ ସମାଜ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ହୋଇ ରହି ଆସିଛନ୍ତି। ‘ଦିଆରିର୍ ମୁଡ଼େ ଦେବତା, ଜାନୀର ଉଞ୍ଜଲା ଥି ଦେବତା, ଗଣାର ଖେନ୍ଦେ ଦେବତା ହେଲେ ଗଁତିଆର ଘେରେ ଦେବତା’ ବୋଲି ଏକ ଲୋକାକ୍ତି ରହି ଆସିଛି। ତେବେ ଗ୍ରାମ୍ୟ ଜୀବନରେ ଗଣା ଜଣେ ସମ୍ମାନାସ୍ପଦ ବ୍ୟକ୍ତିତ୍ବ ଓ ମହାପାର୍ବଣ ନୂଆଖାଇ ଧାରାର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏହା ଅନସ୍ବୀକାର୍ଯ୍ୟ।

ସଂପାଦକ, ଓଡ଼ିଆ ବାର୍ତ୍ତା 
ମୋ: ୮୯୧୭୪୮୮୮୪୩

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.