ପାଣିନିଙ୍କ ଅଷ୍ଟାଧ୍ୟାୟୀର ଇନ୍ଦ୍ରବନ ଓ ଷଷ୍ଠିକା ଧାନ

ସଞ୍ଜୟ କୁମାର ଧଙ୍ଗଡାମାଝୀ

ପ୍ରାଚୀନ ଭାରତ ମହାଜନପଦ ଯୁଗର ଜଣେ ବିଶିଷ୍ଟ ବ୍ୟାକରଣବିତ୍ ଥିଲେ ପାଣିନି। ପାଣିନି ତାଙ୍କର ସଂସ୍କୃତ ବ୍ୟାକରଣ, ବିଶେଷତଃ ତାଙ୍କଦ୍ୱାରା ପ୍ରଣ‌ୟନ କରାଯାଇଥିବା ସଂସ୍କୃତ ରୂପତ‌ତ୍ତ୍ୱର ୩,୯୫୯ ଟି ନିୟମ, ବ୍ୟାକରଣରେ ଅଷ୍ଟାଧ୍ୟାୟି (ଅର୍ଥାତ୍ “ଆଠଟି ଅଧ୍ୟାୟ”) କୁହାଯାଉଥିବା ପଦ ବିନ୍ୟାସ ଏବଂ ଅର୍ଥ ବିନ୍ୟାସ, ବେଦାଙ୍ଗରେ ଥିବା ବ୍ୟାକରଣିକ ଶାଖାର ମୂଳ ପାଠ୍ୟ, ଐତିହାସିକ ବୈଦିକ ସଂସ୍କୃତିର ବିଦ୍ୟାର୍ଥୀ ସ‌ହାୟକ ଶୃଙ୍ଖଳା ଗୁଡ଼ିକ ପାଇଁ ପ୍ରସିଦ୍ଧ।
ପାଣିନି ତାଙ୍କ ଅଷ୍ଟାଧ୍ୟାୟିରେ ଇନ୍ଦ୍ରବନର ବର୍ଣ୍ଣନା କରିଛନ୍ତି। ଅତିତରେ କଳାହାଣ୍ଡି ଇନ୍ଦ୍ରବନ ନାମରେ ପ୍ରସିଦ୍ଧ ଥିଲା। ପାଣିନି ଇନ୍ଦ୍ରବନ ଅଞ୍ଚଳରେ ପ୍ରଚୁର ପରିମାଣରେ ଷଷ୍ଠିକା ଧାନ ଉତ୍ପନ୍ନ ହେଉଥିବା କହିଛନ୍ତି। ଅତିତରେ ଆର୍ଯ୍ୟବର୍ତ୍ତର ଏକ ସମୃଦ୍ଧ ଶାଳୀ ଅଞ୍ଚଳ ଥିଲା ବର୍ତ୍ତମାନର ଅବିଭକ୍ତ କଳାହାଣ୍ଡି। କଳାହାଣ୍ଡି ବିଭିନ୍ନ ସମୟରେ ଇନ୍ଦ୍ରବନ, ଆଟବିକ, ବିଦ୍ୟାଧର ରାଜ୍ୟ, କାନ୍ତାର ମହାକାନ୍ତାର ଆଦି ନାମରେ ପରିଚିତ ଥିଲା।
ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ପାଣିନି ଅଷ୍ଟାଧ୍ୟାୟୀ ରଚନା କରିଥିଲେ, ଯେଉଁଠି ସେ ଇନ୍ଦ୍ରବନ ଓ ଷଷ୍ଠିକା ଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ଧାନ ଷାଠିଏ ଦିନରେ ଅମଳକ୍ଷମ ହୋଇଥାଏ। ପାଣିନିଙ୍କ ବର୍ଣ୍ଣିତ ଷଷ୍ଠିକା ଧାନ ହେଉଛି ଛେଟକାଧାନ, ଯାହା ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି ଅଞ୍ଚଳରେ ଚାଷ କରାଯାଉଛି ଓ ନୂଆଖାଇରେ ବ୍ୟବହୃତ ହେଉଛି।
ନୂଆଖାଇ ଦିନ ସକାଳୁ ଛେଟକାଧାନକୁ ଭଟାରେ ପୂଜାର୍ଚ୍ଚନା କରି ଘରକୁ ଆଣିଥାନ୍ତି ଗୃହକର୍ତ୍ତା। ଛେଟକା ଧାନ ବା ଷଷ୍ଠିକା ଧାନରୁ ନୂଆ ପ୍ରସ୍ତୁତ କରାଯାଇ ଇଷ୍ଟ ଦେବାଦେବୀ, ପିତୃପୁରୁଷ, ଉପଦେବାଦେବୀ, ଗୁହାଳର ଦେବତା ଆଦିଙ୍କୁ ସମର୍ପଣ କରି ନୂଆ ଭକ୍ଷଣ କରିଥାନ୍ତି ପରିବାର ବର୍ଗ। ଏହାପରେ ଆରମ୍ଭ ହୋଇଥାଏ ଜୁହାର ଭେଟ।
ସମସ୍ତଙ୍କ ସହଯୋଗରେ କୃଷକ ନୂତନ ଫସଲ ଉତ୍ପାଦନ କରିପାରୁଥିବାରୁ ସେ ତାର ଖୁସି ପରିବାର, ଗୋଷ୍ଠୀ ତଥା ସମାଜ ସହ ବ୍ୟକ୍ତ କରିବାର ଏକ ଅପୂର୍ବ ଅବସର ନୂଆଖାଇ ମାଧ୍ୟମରେ ପାଇପାରିଥାଏ।
ଆଦିମ କାଳରୁ ମାନବର ଧର୍ମ ବିଶ୍ୱାସ ସହ ଜଡ଼ିତ ହୋଇଆସିଥିବା ଦେବାଦେବୀଙ୍କୁ ଏହି ପାର୍ବଣ ସମୟରେ  ପୂଜା ଆରାଧନାର ବ୍ୟବସ୍ଥା ରହିଛି। ସାମାଜିକ ବ୍ୟବସ୍ଥାର ସଂରକ୍ଷକ ବୟୋବୃଦ୍ଧ ଜନତା ତଥା ଗ୍ରାମୀଣ ଜନତାର କୁଳପତି, ଦଳପତି, ଜାନୀ, ଝାଙ୍କର ଓ ଗଣାଙ୍କୁ ଏହି ପାର୍ବଣ ମାଧ୍ୟମରେ ପ୍ରଣାମ ଓ ଭେଟି ଦେଇ କୃତଜ୍ଞ ରହିଥାଏ। ତେଣୁ ନୂଆଖାଇ କୃତଜ୍ଞତା ଜ୍ଞାପନ କରିବାର ଏକ ମହାନ ପର୍ବ ଭାବେ ସ୍ୱୀକୃତି ଲାଭ କରିଆସିଅଛି।
ଯଦିଓ ପାଣିନି ପୁରାତନ ଗ୍ରନ୍ଥ, ଯଥା ଊଣାଦିସୂତ୍ର, ଧାତୁପଥ ଏବଂ ଗଣପଥ ଇତ୍ୟାଦିଦ୍ୱାରା ପ୍ରେରିତ ହୋଇଥିଲେ; ତ‌ଥାପି ଅଷ୍ଟାଧ୍ୟାୟି ସଂସ୍କୃତ ବ୍ୟାକରଣ ସମ୍ବନ୍ଧରେ ଲେଖାଯାଇଥିବା ପୁରାତନ ଗ୍ରନ୍ଥମାନଙ୍କ ମଧ୍ୟରୁ ଅନ୍ୟତମ। ଏହା ଭାଷାତ‌ତ୍ତ୍ୱ ବର୍ଣ୍ଣନାର ସର୍ବପୁରାତନ ରଚନା। ପାଣିନିଙ୍କ ପୂର୍ବଜମାନଙ୍କର ରଚନା (ଯଥା ନିରୁକ୍ତ, ନିଘଣ୍ଟୁ, ଏବଂ ପ୍ରତିଶାକ୍ୟ) ଗୁଡ଼ିକ ଭଳି ଏହା ମଧ୍ୟ ଭାଷାତ‌ତ୍ତ୍ୱ ଇତିହାସରେ ପ୍ରଥମ ସ୍ଥାନ ଅଧିକାର କରିଛି।
ବିଂଶ ଶତାବ୍ଦୀର ମଧ୍ୟଭାଗ ପୂର୍ବରୁ ଦିଆଯାଇଥିବା ଅନ୍ୟାନ୍ୟ ସମାସ୍କନ୍ଧ ସିଦ୍ଧାନ୍ତ ଗୁଡ଼ିକ ତୁଳନାରେ ତାଙ୍କର ରୂପତ‌ତ୍ତ୍ୱ ବିଶ୍ଳେଷଣ ସିଦ୍ଧାନ୍ତ ଉନ୍ନତ‌ତର। ତାଙ୍କର ଯୌଗିକ ଶବ୍ଦ ବିଶ୍ଳେଷଣ ଏ ପର୍ଯ୍ୟନ୍ତ ମଧ୍ୟ ମିଶ୍ରଣ ସମ୍ବନ୍ଧୀୟ ଆଧୁନିକ ଭାଷାତ‌ତ୍ତ୍ୱ ସିଦ୍ଧାନ୍ତର ପୃଷ୍ଠଭୂମି। ଏହି ଭାଷାତ‌ତ୍ତ୍ୱ ସିଦ୍ଧାନ୍ତରେ କେତେକ ସଂସ୍କୃତ ଶବ୍ଦ, ଯଥା ବ‌ହୁବ୍ରିହୀ ଏବଂ ଦ୍ୱନ୍ଦ୍ୱ ଇତ୍ୟାଦି ମଧ୍ୟ ବ୍ୟବ‌ହୃତ ହୁଏ। ପାଣିନିଙ୍କ ଲେଖା ସମ୍ପୂର୍ଣ୍ଣ ରୂପେ ବ୍ୟାକରଣିକ ଏବଂ ଆଭିଧାନିକ ଅଟେ।
ସେ ତାଙ୍କର ଉଦାହରଣ ଗୁଡ଼ିକରେ ବ୍ୟବ‌ହାର କରୁଥିବା ଶବ୍ଦାବଳୀରୁ ସେ ସମୟର ସାଂସ୍କୃତିକ ଏବଂ ଭୌଗୋଳିକ ସ୍ଥିତି ସମ୍ପର୍କରେ ସହଜରେ ଅନୁମାନ କରାଯାଇ ପାରେ। ବ୍ୟାକରଣ ସମ୍ବନ୍ଧରେ ପାଣିନିଙ୍କର ବିସ୍ତୃତ ଏବଂ ବୈଜ୍ଞାନି‌କ ସିଦ୍ଧାନ୍ତକୁ ପରମ୍ପରାଗତ ଭାବରେ ବୈଦିକ ସଂସ୍କୃତର ଅନ୍ତ ଏବଂ ଶାସ୍ତ୍ରୀୟ ସଂସ୍କୃତର ଆରମ୍ଭ କାଳ ଭାବରେ ବିବେଚନା କରାଯାଏ।
ତେବେ ସେ ଯାହାହେଉ ପାଣିନିଙ୍କ ଅଷ୍ଟାଧ୍ୟାୟୀରେ ବର୍ଣ୍ଣିତ ଇନ୍ଦ୍ରବନର ଷଷ୍ଠିକା (ଛେଟକା) ଧାନ କଳାହାଣ୍ଡି ଅଞ୍ଚଳରେ ପାଳିତ ହେଉଥିବା ମହାପାର୍ବଣ ନୂଆଖାଇର ପୃଷ୍ଠଭୂମି ଉପରେ ଏକ ନୂତନ ତଥ୍ୟ ପ୍ରଦାନ କରିବାରେ ସହାୟକ ହୋଇ ପାରିଛି।
ବୁଢିପଦର, ନର୍ଲା, କଳାହାଣ୍ଡି
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.