କଲେଜିୟମ ସୁପାରିସକୁ ଅନୁମୋଦନରେ ବିଳମ୍ବ, କେନ୍ଦ୍ର ସରକାରଙ୍କ ଉପରେ ରାଗିଗଲେ ସୁପ୍ରିମକୋର୍ଟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କଲେଜିୟମ ଦ୍ୱାରା ସୁପାରିସ କରାଯାଇଥିବା ବିଚାରପତିଙ୍କ ନାମକୁ ମଞ୍ଜୁର କରିବାରେ କେନ୍ଦ୍ର ସରକାରଙ୍କ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏପରି ବିଳମ୍ବତା ଓକିଲଙ୍କ ମନୋବଳ ଏବଂ ଦେଶରେ ନ୍ୟାୟର ମାନକୁ ପ୍ରଭାବିତ କରୁଛି ବୋଲି କୋର୍ଟ କହିଛନ୍ତି। ୨୦୨୧ର ଏକ ରାୟରେ କୋର୍ଟ ଧାର୍ଯ୍ୟ କରିଥିବା ସମୟ ସୀମାକୁ ପାଳନ କରିନଥିବା ଅଭିଯୋଗରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବେଙ୍ଗାଲୁରୁର ଆଡଭୋକେଟ୍ ଆସୋସିଏସନ୍ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।ସରକାରଙ୍କ ନିକଟରେ ୭୦ଟି ସୁପାରିସ ପଡ଼ି ରହିଥିବା କୋର୍ଟ କହିଛନ୍ତି, ସେଥିମଧ୍ୟରୁ ୨୬ଟି ବିଚାରପତିଙ୍କ ବଦଳି ପାଇଁ, ସାତୋଟି ପୁନରାବୃତି ଥିଲା, ନଅଟି ମାମଲା କଲେଜିୟମକୁ ନଫେରାଇ ବିଚାରାଧୀନ ଥିଲା ଏବଂ ଗୋଟିଏ ହାଇକୋର୍ଟରେ ପ୍ରଧାନ ବିଚାରପତି ନିୟୁକ୍ତି ରହିଛି।

କିଛି ଅଗ୍ରଗତି ନହେବା ପର୍ଯ୍ୟନ୍ତ ପ୍ରତି ୧୦-୧୨ ଦିନ ପରେ ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି। ଅକ୍ଟୋବର ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

କଲେଜିୟମ ଦ୍ୱାରା ସୁପାରିସ କରାଯାଇଥିବା ବିଚାରପତିଙ୍କ ନାମକୁ ଅନୁମୋଦନ କରିବାରେ ବିଳମ୍ବକୁ ନେଇ ସରକାରଙ୍କ ବିରୋଧରେ ସମାଲୋଚନା ବଢ଼ିବା ପରେ କୋର୍ଟଙ୍କ ଏଭଳି କଠୋର ଆଭିମୁଖ୍ୟ ପ୍ରକାଶ ପାଇଛି। କଲେଜିୟମ ହେଉଛି ବରିଷ୍ଠ ବିଚାରପତିଙ୍କ ଏକ ସଂସ୍ଥା, ଯାହା ସୁପ୍ରିମ୍ କୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରିଥାଏ। ସରକାର ବିଚାରପତିଙ୍କ ନାମରେ ମୋହର ଲଗାଇବାରେ ବିଳମ୍ବକୁ ସମର୍ଥନ କରି କହିଛନ୍ତି ଯେ, ନିଜ ହିସାବରେ କାମ କରିବା ପାଇଁ ସମୟର ଆବଶ୍ୟକତା ରହିଛି। ତେବେ ଏହି ସୁପାରିଶ ଉପରେ ସରକାର ଅଧିକ ସମୟ ଅପେକ୍ଷା କରିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.