ନୂଆଖାଇ ପରେବି ପଡ଼ିଆ ପଡ଼ିଛି କଳାହାଣ୍ଡିର ଅନେକ ଜମି
ପ୍ରକୃତି ଦୟାରେ କଳାହାଣ୍ଡି ଚାଷୀ
ବିହନ, ସାର ଅଭାବ ; ଶୀତଳ ଭଣ୍ଡାର ନାହିଁ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏବେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇଥିବା ରାଜ୍ୟର ଆଦିବାସୀ ବହୁଳ କଳାହାଣ୍ଡି ଜିଲାର ଚାଷୀମାନେ ପ୍ରକୃତି ଦୟାରେ ବଞ୍ଚିଛନ୍ତି । ଜିଲ୍ଲାର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଅଣଜଳସେଚିତ ଅବସ୍ଥାରେ ରହିଥିବାବେଳେ ଖରିଫ ଋତୁରେ ମୌସୁମୀ ବର୍ଷା ଉପରେ ଜିଲ୍ଲାର ଚାଷ ନିର୍ଭର କରୁଛି । ପରବର୍ତ୍ତୀ ରବି ଚାଷ ମଧ୍ୟ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ । ଚଳିତ ବର୍ଷ ମୌସୁମୀର ଲୁଚକାଳି ଖେଳ ସହିତ ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ଶଙ୍କାଗ୍ରସ୍ତ କରିଛି ବୋଲି କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ଡକ୍ଟର ସୁନୀତି ମୁଣ୍ଡ୍ ଆଜି ଭବାନୀପାଟଣାଠାରେ ଏକ ପ୍ରେସ୍ ବିବୃତିରେ କହିଛନ୍ତି । ସେ କହିଛନ୍ତି, ଚଳିତ ବର୍ଷ ନୂଆଁଖାଇରେ ବି ଅନେକ ଚାଷୀ ନୂଆଁ ଧାନ ଅମଳ କରିନାହାନ୍ତି । ନୂଆଁ ଖାଇବେ କେଉଁଠୁ? କାରଣ ଏକ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ମୌସୁମୀ ବିଳମ୍ବିତ ଓ ଅନିୟମିତ ହେବା କାରଣରୁ ରାଜ୍ୟରେ ପ୍ରାୟ ୧ ଲକ୍ଷ ହେକ୍ଟର କମ୍ ଜମିରେ ଧାନ ଚାଷ କରାଯାଇଛି । ସେହି ଦୃଷ୍ଟିରୁ ବିଚାର କଲେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଚଳିତ ଖରିଫ ଋତୁରେ ଧାନ ଚାଷ ଅଞ୍ଚଳ ହ୍ରାସପାଇଛି । ଏହାଦ୍ୱାରା ଚାଉଳ ଉତ୍ପାଦନ କମିବ ଏବଂ ଏହାଦ୍ୱାରା ପ୍ରଭାବିତ ହେବେ ଚାଷୀ ଓ ଦରିଦ୍ର ପରିବାର । ଜିଲ୍ଲାରେ ସବୁଜମିକୁ ଜଳସେଚନ ସୁବିଧା ଥିଲେ ଏହି ସମସ୍ୟା ସୃଷ୍ଟି ହୋଇନଥାନ୍ତା ।
ସୁନୀତି କହିଛନ୍ତି ଯେ କଳାହାଣ୍ଡି ଜିଲାର ପ୍ରାୟ ୮୦ ଭାଗ ଜନସାଧାରଣ ଜୀବିକା ଉପାର୍ଜନ ନିମନ୍ତେ ଚାଷ ଉପରେ ନିର୍ଭର କରନ୍ତି । ଜିଲାର ଅର୍ଥନୀତି କୃଷିଭିତ୍ତିକ । ଏଠାକାର କୃଷି ଜଳବାୟୁ ଓ ମୃତ୍ତିକା ଉଭୟ ଧାନ ଭଳି ଫସଲ ଏବଂ ଉଦ୍ୟାନ କୃଷି ନିମନ୍ତେ ଉପଯୋଗୀ । ଜିଲାର ପ୍ରାୟ ୩,୬୨,୦୦୦ ହେକ୍ଟର ଅଞ୍ଚଳରେ ଚାଷ କାର୍ଯ୍ୟ କରାଯାଉଛି । କିନ୍ତୁ ଚାଷୀଙ୍କୁ ଉଚିତ ସମୟରେ ଚାହିଦା ମୁତାବକ ବିହନ, ସାର, କୀଟନାଶକ ଯୋଗାଣ ସହିତ ସେମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଅଭାବରୁ ଚାଷୀ ହାଡଭଙ୍ଗା ପରିଶ୍ରମ କରି ମଧ୍ୟ ଆଶାନୁରୂପ ଉତ୍ପାଦନ ପାଇପାରୁନାହାନ୍ତି । ଯେତିକି ବି ପାଉଛନ୍ତି, ତାହାର ଉପଯୁକ୍ତ ବିକ୍ରିବଟା ବ୍ୟବସ୍ଥା ଏବଂ ସାଇତି ରଖିବାକୁ ଶୀତଳଭଣ୍ଡାର ଆଦି ସୁବିଧା ନଥିବାରୁ ଅନେକ ସମୟରେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଏଠାକାର ମୁଖ୍ୟ ଫସଲ ଧାନ ହୋଇଥିବାବେଳେ ଧାନ ଉତ୍ପାଦନ ପରେ ଚାଷୀ ତାହା ମଣ୍ଡିରେ ବିକ୍ରି କରିବାକୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ଚାଷୀ ମଣ୍ଡିରେ ଧାନ ବିକ୍ରି କରିନପାରି ବେପାରୀଙ୍କୁ ଧାର୍ଯ୍ୟ ମୂଲ୍ୟରୁ କମ୍ ଦାମ୍ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ତାହାଛଡା ଏଠାକାର ଅନେକ ଭାଗରେ ଥିବା କୃଷ୍ଣକାର୍ପାସ ମୃତ୍ତିକା କପା ଚାଷ ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି । କିନ୍ତୁ ଅନେକ କପା ଚାଷୀ କପା ତୁଳା ଅମଳ କରିବା ପରେ ମଣ୍ଡିରେ ବିକି ଉଚିତ୍ ମୂଲ୍ୟ ପାଉନଥିବା ଅଭିଯୋଗ ହେଉଛି । ଏସବୁ ବ୍ୟତୀତ ଜିଲାରେ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ଉପଲବ୍ଧ କରାଯାଇନାହିଁ । ଯେଉଁ କାରଣରୁ ସଂଖ୍ୟାଧିକ ଚାଷୀଙ୍କୁ ମୌସୁମୀ ବର୍ଷା ଉପରେ ନିର୍ଭର କରିବାକୁ ପଡୁଛି । ଚଳିତ ବର୍ଷର ପାଗ ପରିସ୍ଥିତି ସେମାନଙ୍କୁ ଚିନ୍ତାରେ ପକାଇଛି । ଚାଷ କାର୍ଯ୍ୟ କରିବାକୁ ସେମାନେ ବିଭିନ୍ନ ସୂତ୍ରରୁ ଆଣିଥିବା ଋଣ ପରିଶୋଧ କରିପାରିବେ କି ନାହିଁ, ତାହାକୁ ନେଇ ସନ୍ଦେହରେ ରହିଛନ୍ତି । ତାହାଛଡା ଏବେ ଦରଦାମ୍ ଯେଉଁଭଳି ଭାବରେ ବୃଦ୍ଧିପାଇଛି ସେଥିରେ ସାଧାରଣ ପରିବାରଟିଏ ମଧ୍ୟ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡୁଛି । ସେ କ୍ଷେତ୍ରରେ ଦରିଦ୍ର ପରିବାରର ଦୁର୍ବିସହ ସ୍ଥିତି କହିଲେ ନସରେ । ଜୀବନ ଧାରଣ ପାଇଁ ମୂଳ ଆବଶ୍ୟକତା ଚାଉଳ ଦର କିଲୋ ପିଛା ପାଖାପାଖି ୧୦ ଟଙ୍କାରୁ ଅଧିକ ବୃଦ୍ଧିପାଇଛି । ଏହା ପରିବାରଗୁଡିକ ଉପରେ ଢେର୍ ଆର୍ଥିକ ବୋଝ ପକାଉଛି ।
ଡଃ ମୁଣ୍ଡ୍ କହିଛନ୍ତି, ଜିଲାରେ ଅନେକ ପନିପରିବା ଓ ଫଳଚାଷ ହେଉଥିଲେ ମଧ୍ୟ ତାହାକୁ ସାଇତି ରଖିବା ଅଥବା ମୂଲ୍ୟଯୁକ୍ତ କରିବା ସୁବିଧା ନାହିଁ । ଏହି ଚାଷୀମାନଙ୍କର ମତ ଯେ ଜିଲାର ବିଭିନ୍ନ ସ୍ଥାନରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ କରାଗଲେ ମକା, କନ୍ଦମୂଳ, ଆମ୍ବ, ପିଜୁଳି, ବେଲ, ଲେମ୍ବୁ, ଲଙ୍କା, ପଣସ ଆଦି ଉଦ୍ୟାନ କୃଷି ଜାତ ଦ୍ରବ୍ୟକୁ ପ୍ରକ୍ରିୟାକରଣ କରି ମୂଲ୍ୟଯୁକ୍ତ କରାଯାଇପାରନ୍ତା । ଏହା ସେମାନଙ୍କର ସାମଗ୍ରିକ ଆୟରେ ବୃଦ୍ଧି ଘଟାଇବାରେ ସମର୍ଥ ହୁଅନ୍ତା । କିନ୍ତୁ ସରକାରୀ ସ୍ତରରେ ଏ କ୍ଷେତ୍ରରେ ନିଷ୍କ୍ରିୟତା ସେମାନଙ୍କୁ ନିରାଶ କରିଛି । ଏତଦ୍ ବ୍ୟତୀତ ଜିଲା ଅଧିବାସୀଙ୍କୁ କର୍ମସଂସ୍ଥାନ ଯୋଗାଇବା ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ନିମନ୍ତେ ସେମାନଙ୍କୁ ଗୋ-ସମ୍ପଦ ପାଳନ, ମହୁମାଛି ଓ କୁକୁଡା ପାଳନ, ମତ୍ସ୍ୟଚାଷ ଆଦି କ୍ଷେତ୍ରରେ ତାଲିମ ପ୍ରଦାନ ସହିତ ସହାୟତା ଯୋଗାଇବାର ଆବଶ୍ୟକତା ରହିଛି । ଯେଉଁ କ୍ଷେତ୍ରରେ ସରକାରୀ ସ୍ତରରେ ଶିଥିଳତା ପରିଲକ୍ଷିତ ହେଉଛି । ଚାଷୀ ପରିବାରକୁ ବିଭିନ୍ନ ଯୋଜନାରେ କେବଳ ବର୍ଷକୁ କିଛି ପରିମାଣରେ ଅର୍ଥ ପ୍ରଦାନ କଲେ ସେମାନଙ୍କ ସମସ୍ୟା ସମାଧାନ ବା ସେମାନଙ୍କର ବିକାଶ ହେବନାହିଁ ବୋଲି ଅନେକ ଚାଷୀ ମତ ଦେଉଛନ୍ତି । ଚାଷ କ୍ଷେତ୍ରରେ ସମସ୍ୟା ସହିତ ଜିଲାରେ ଥିବା ହାତଗଣତି ଶିଳ୍ପରେ ସ୍ଥାନୀୟ ଜନସାଧାରଣଙ୍କୁ ନିଯୁକ୍ତି ମିଳୁନଥିବାରୁ ସେମାନେ ବାଧ୍ୟହୋଇ ରାଜ୍ୟ ଓ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । କୋଭିଡ ସମୟରେ ଏହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଥିଲା । ଏ ସମସ୍ତ ବିଷୟକୁ ଅଗ୍ରାଧିକାର ଭାବରେ ବିଚାର କରି ରାଜ୍ୟ ସରକାର କଳାହାଣ୍ଡି ଚାଷୀମାନଙ୍କ ସମସ୍ୟା ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡକ୍ଟର ସୁନୀତି ମୁଣ୍ଡ୍ ଦାବି କରିଛନ୍ତି ।