ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା କାଶୀପୁର ତହସିଲ ସୁଙ୍ଗର ସଦର ପଞ୍ଚାୟତରେ ଥିବା ତ୍ରୀନାଥ ଦେବ ଉଚ୍ଚ ବିଦ୍ୟାଳୟ ଠାରେ ୧୬ ଅକ୍ଟୋବର ୨୦୨୩ ସୋମବାର ସିଜିମାଳି ବକ୍ସାଇଟି ଖଣି ଉତ୍ତୋଳନ ସକାଶେ ପରିବେଶ ମଞ୍ଜୁରୀ ନିମନ୍ତେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାୟଗଡା ସୌଜନ୍ୟାତାରେ ଅନୁଷ୍ଠିତ ଜନ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଉପସ୍ଥିତ ରହି ପ୍ରଭାବିତ ଅଞ୍ଚଳବାସୀଙ୍କ ପ୍ରସ୍ତାବ ଏବଂ ଦାବି ଶୁଣିଥିଲେ ।
ଶୁଣାଣି ପ୍ରାରମ୍ଭରେ ବେଦାନ୍ତ କମ୍ପାନୀ କତ୍ତୃପକ୍ଷ ପ୍ରସ୍ତାବିତ ଖଣି ଖନନ ହେବା ଦ୍ୱାରା ଅଞ୍ଚଳର ମୌଳିକ ବିକାଶ ହେବ ବୋଲି ପ୍ରସ୍ତାବ ଦେବା ସହିତ ଖଣି ଖନନ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ଏହାପରେ ଜନଶୁଣାଣିରେ ଖଣି ଖନନ ପ୍ରଭାବିତ ଅଞ୍ଚଳର କିଛି ଗ୍ରାମ ବାସୀନ୍ଦା ଖଣି ଖନନକୁ ନେଇ ମୌଳିକ ସମସ୍ୟାରୁ ଅଞ୍ଚଳବାସୀ ବଞ୍ଚିତ ହେବା ସହ ଜଳ, ବାୟୁ, ଏବଂ ମାଟି ପ୍ରଦୂଷଣ ହେବା ନେଇ ପ୍ରସ୍ତାବ ରଖିଥିଲେ । ଏଥି ସହିତ ପ୍ଲାକାର୍ଡ ଓ ବ୍ୟାନର ଧରି ଖଣି ଖନନ କରା ନ ଯାଉ ଏବଂ ଖଣି ଖନନକୁ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ପୋଲିସ ବଳପୂର୍ବକ ଉଠାଇ ନେଇ ଗିରଫ କରୁଥିବାର ନାରାବାଜି କରିଥିଲେ ।
ଅନ୍ୟପକ୍ଷେ ସିଜିମାଳି ବକ୍ସାଇଟ ଖଣି ଖନନ ହେଲେ ପ୍ରଭାବିତ ଅଞ୍ଚଳରେ ବେରୋଜଗାରୀ ସମସ୍ୟା ଦୂର ହେବ, ଦାଦନ ସମସ୍ୟାର ନିରାକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଏବଂ ପାରିପାର୍ଶିକ ଅଞ୍ଚଳର ବିକାଶ ହେବ ବୋଲି ସପକ୍ଷବାଦୀମାନେ କହିଥିବା ବେଳେ ଜିଲ୍ଲାରେ ଗଢି ଉଠିଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ଦ୍ୱାରା କେବଳ ବିକାଶ ଦେଖିବାକୁ ମିଳୁଛି । କେଉଁ ଠାରେ ହେଲେ ଅବନତି ହୋଇ ନ ଥିବା ଗ୍ରାମବାସୀ ମାନେ କହିଥିଲେ । ତେବେ ଉକ୍ତ ଜନଶୁଣାଣିରେ ଉଭୟ ବିପକ୍ଷ ଓ ସପକ୍ଷବାଦୀଙ୍କ ସମସ୍ତ ପ୍ରସ୍ତାବ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଶୁଣାଣି କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପଠାଯିବ ବୋଲି ପ୍ରକାଶ କରିଛନ୍ତି । ସୁଙ୍ଗେର ଅଂଚଳରେ ଜନ ଶୁଣାଣିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।
ପ୍ରକାଶ ଥାଉ କି , ବେଦାନ୍ତ କମ୍ପାନୀକୁ ସିଜିମାଳି ବକ୍ସାଇଟ ଖଣି ନିଲାମ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ଥୁଆମୁଲ୍ ରାମପୁର ଏବଂ ରାୟଗଡା ଜିଲ୍ଲା କାଶୀପୁର ତହସିଲ ଅନ୍ତର୍ଗତ ୧୫୪୯.୨୨ ହେକ୍ଟର ଅଞ୍ଚଳରୁ ପ୍ରସ୍ତାବିତ ୯ ଏମଟିପିଏ ବକ୍ସାଇଟ ଉତ୍ପାଦନ କରାଯିବ । ଏଥିରୁ ଶୂନ ଦଶମିକ ୧୮ ଏମଟିପିଏ ଟପ ସଏଲ, ୭ ଏମଟିପିଏ ବର୍ଜ୍ୟ ଏବଂ ୧ ଦଶମିକ ୪୨ ଏମଟିପିଏ ସବଗ୍ରେଡ୍ ସମୁଦାୟ ୧୮ ଏମଟିପିଏ ବକ୍ସାଇଟ ଖନନ କରାଯିବା ସହିତ ୨×୧୨୦୦ ଟିପିଏଚ୍ କ୍ଷମତା ବିଶିଷ୍ଟ କ୍ରସର ରାୟଗଡା ଜିଲ୍ଲା ନିମନ୍ତେ ସ୍ଥାପନା ପାଇଁ ଏହି ଜନଶୁଣାଣି ଅନୁଷ୍ଠିତ ହୋଇଛି ।
ଉକ୍ତ ଜନ ଶୁଣାଣିରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାୟଗଡା ଜିଲ୍ଲା ଆଞ୍ଚଳିକ ଅଧିକାରୀ ଅଶୋକ କୁମାର ଭୋଇ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର, ଅମୂଲ୍ୟ କୁମାର ଧର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଶ୍ମିରଞ୍ଜନ ସେନାପତି, ଉପଜିଲ୍ଲାପାଳ କଲ୍ୟାଣି ସଙ୍ଘମିତ୍ରା ଦେବୀ, ତହସିଲଦାର ପ୍ରିୟଦର୍ଶନୀ ସ୍ୱାଇଁ, କାଶୀପୁର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟ ବରି ପ୍ରଶାସନିକ ଏବଂ ପୁଲିସ କର୍ମୀମାନେ ଉପସ୍ଥିତ ଥିଲେ । ଉକ୍ତ ଜନ ଶୁଣାଣିରେ ବେଦାନ୍ତ ଏବଂ ମୈତ୍ରୀ କମ୍ପାନୀର ବରି କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ ।