କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ: ଗଡ଼ିଲା ଲକ୍ଷ୍ମୀ ବସ, ୟୁନିଭର୍ସିଟି ନାଁ ହେଲା ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପରିବହନ ବ୍ୟବସ୍ଥା ହେଉଛି ବିକାଶର ମୂଳଦୁଆ। ଏହାକୁ ଦୃଷ୍ଟିରେ ରଖି ନଭେମ୍ବର ୧ରେ ଭବାନୀପାଟଣା ପହଞ୍ଚି କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଛଡ଼ା ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେ ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। କଳାହାଣ୍ଡି ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆ ଠାରେ ମୁଖ୍ୟମନ୍ତ୍ରୀ ଜନସମୁଦାୟଙ୍କୁ ସମ୍ବୋଧିତ କରିବା ସହ ଲକ୍ଷ୍ମୀ ଯୋଜନା ବିକାଶର ନୂଆ ଦିଗନ୍ତ ଦେଖାଇବ ବୋଲି କହିଥିଲେ। ଆଗକୁ ଜିଲ୍ଲାରେ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ର ଶୁଭାରମ୍ଭ ହେବ ଏଥିରେ ପ୍ରତ୍ୟେକ ପଞ୍ଚାୟତ ୫୦ ଲକ୍ଷ ଟଙ୍କା ଲେଖାଏଁ ପାଇବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅନୁଦାନରେ ପ୍ରାଚୀନ ସଂସ୍କୃତିର ସଂରକ୍ଷଣ ସହ ଗାଁର ରୂପ ବଦଳିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘କଳାହାଣ୍ଡି ୟୁନିଭର୍ସିଟି’ର ନାଁ ବଦଳାଇ ‘ମାଁ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ’ ନାମ ଘୋଷଣା କରିଥିଲେ। ଓଡ଼ିଶା ସରକାରଙ୍କ ଏହି ଜନହିତକର ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। ଆଜି ନଭେମ୍ବର ୧ କଳାହାଣ୍ଡି ପ୍ରତିଷ୍ଠା ଦିବସ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.