ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ଥାନୀୟ ଡି.ଆର.ଡି.ଏ ସମ୍ମିଳନୀ କକ୍ଷରେ ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରାଳୟର ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ଶାଖା ପକ୍ଷରୁ ଏକ ବାର୍ତ୍ତାଳାପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରଣାଳୟର ଗଣ ଯୋଗାଯୋଗ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋନପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନି ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ଵିନୀ କୁମାର ମେହେର ଓ ବରିଷ୍ଠ ସାମ୍ବାଦିକ ସ୍ଵୟଂଭୁନାଥ ଖଣ୍ଡଗିରି ଯୋଗଦାନ କରି ଏହି ଆୟୋଜନକୁ ପ୍ରଶଂସା କରିଥିଲେ ଏବଂ ଯେଉଁ ଗଣମାଧ୍ୟମ ଯେତେ ଅଧିକ ତଥ୍ୟ ରଖିଥାଏ ସେ ସେତିକି ଶକ୍ତିଶାଳୀ ହୁଏ ଓ ଏବେ ମିଡ଼ିଆଙ୍କୁ ସ୍କିଲ ଅପଡେସନ ହେବାର ବେଳ ଆସିଛି ବୋଲି ମତ ରଖିଥିଲେ। କର୍ମଶାଳାରେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ପ୍ରତିଟି ଯୋଜନାର ବିବରଣୀ ତଥା ସଠିକ୍ ସୂଚନା ପହଞ୍ଚିବାରେ ଓ ରାଷ୍ଟ୍ର ନିର୍ମାଣରେ ଗଣ ମାଧ୍ୟମର ଭୂମିକା ଉପରେ ଆତିଥି ମାନେ ଗୁରୁତ୍ବ ଆରୋପ କରିଥିଲେ। ଗଣମାଧ୍ୟମ, ଫେସବୁକ୍, ଟ୍ବିଟର, ମାଧ୍ୟମରେ ଉଭୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଅଞ୍ଚଳର ଶେଷ ସୀମାରେ ଥିବା ଜଣେ ଉପଯୁକ୍ତ ହିତାଧିକାରୀ ଯେମିତି ସଠିକ୍ ସୂଚନା ପାଇ ପାରିବ ସେ ଦିଗରେ ଯତ୍ନବାନ ହେବା ପାଇଁ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ। ଏହି କର୍ମଶାଳାରେ ଜିଲ୍ଲାର କୋଣ ଅନୁକୋଣରୁ ଶହରୁ ଉର୍ଦ୍ଧ୍ବ ଗଣମାଧ୍ୟମ ପ୍ରତିନିଧି ଆସି ଯୋଗଦାନ କରିଥିବାରୁ ଶ୍ରୀ ରାୟ ଓ ଆୟୋଜକ ଶ୍ରୀ ଚୌଧୁରି ଖୁସି ବ୍ୟକ୍ତ କରିଥିଲେ।