ସାମାଜିକ ସୁରକ୍ଷା ଭତ୍ତା ବଢ଼ାଇବାକୁ ମୁଇଁ କଳାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ଦାବି; ମୁଖ୍ୟମନ୍ତ୍ରୀଙ୍କୁ ପ୍ଲାକାର୍ଡ ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି କଳାହାଣ୍ଡି ଗସ୍ତରେ ଆସି ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲର ଲୋକାର୍ପଣ କରିବା ପରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପଡିଆରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିଥିଲେ। ଏହାପରେ ବସ୍ ଯୋଗେ ଗୁଡିଆଳିପଦର ପଡିଆକୁ ଯିବା ସମୟରେ ‘ମୁଇଁ କଳାହାଣ୍ଡିଆ ଫର୍ କଳାହାଣ୍ଡି’ ସଂଗଠନର କାର୍ଯ୍ୟକର୍ତ୍ତା ଓ ହିତାଧିକାରୀମାନେ ମୁଖ୍ୟ ରାସ୍ତାରେ ପ୍ଲାକାର୍ଡ ମାଧ୍ୟମରେ କିଛି ଦାବି ପ୍ରଦର୍ଶନ କରିଥିଲେ। ସାମାଜିକ ସୁରକ୍ଷା ଭତ୍ତା (ବୁଢା ବୁଢି, ବିଧବା, ଅବିବାହିତ ମହିଳା ଓ ଭିନ୍ନକ୍ଷମ) ୨୫୦୦ରୁ ୩୦୦୦ଟଙ୍କା କରିବା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଏହି ପ୍ଲାକାର୍ଡ ପ୍ରଦର୍ଶନର ଲକ୍ଷ୍ୟ ଥିଲା ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ରାଜ୍ଯମାନଙ୍କରେ ଭତ୍ତା ରାଶି ୨୦୦୦ରୁ ୫୦୦୦ଟଙ୍କା ଯାଏଁ ମିଳୁଛି ତେଣୁ ଏହି ନ୍ଯାର୍ଯ୍ୟ ଦାବିକୁ ସରକାର ପୂରଣ କରିବା ଜରୁରୀ ବୋଲି ଅନେକେ ଜନସାଧାରଣ ମଧ୍ୟ ମୁଇଁ କଳାହାଣ୍ଡିଆ ଫର୍ କଳାହାଣ୍ଡିକୁ ନିଜ ସମର୍ଥନ ଜଣାଇଥିଲେ। ସଂଗଠନର ସଭାପତି ସୁରେଶ ସଂଗ୍ରାମ, ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା, ନାରୀ ନେତ୍ରୀ କବିତା ରାଉତ, ଭିନ୍ନକ୍ଷମ ଭତ୍ତା ହିତାଧିକାରୀ ନିରୋଦ ରାଉତ, ଅବିବାହିତ ମହିଳା ଯୋଗେଶ୍ୱରୀ ଧଙ୍ଗଡାମାଝୀ, ଚାଷୀ ନେତା ଲିଙ୍ଗରାଜ ପ୍ରଧାନ, ଅଜୟ ରାଉତ, ବିଧବା ହିତାଧିକାରୀ ଦମୟନ୍ତୀ ମାଝୀ, ବିଧବା ହିତାଧିକାରୀ ପାର୍ବତୀ ଗହୀର ସହିତ ବହୁତ ଭତ୍ତା ହିତାଧିକାରୀ ପ୍ଲାକାର୍ଡ ପ୍ରଦର୍ଶନରେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.