ଶାଗବାରି ଗାଁରେ ସଂପନ୍ନ ହେଲା ମାଁ ହରଗୌରୀ ପେଣ୍ଡ୍ରାଣୀ ଦେବୀଙ୍କ ନବରାତ୍ର ପୂଜା 

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଶାଗବାରି ଗ୍ରାମରେ ମାଁ ହରଗୌରୀ ପେଣ୍ଡ୍ରାଣୀ ଦେବୀଙ୍କ ନବରାତ୍ର ପୂଜା ସଂପନ୍ନ ହୋଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଦେବୀ ଆବିର୍ଭାବ ହୋଇ ପୂଜା ପାଉଥିବା ବେଳେ ଦୀର୍ଘ ବର୍ଷ ହେଲା କଳାହାଣ୍ଡିର ବିଭିନ୍ନ ସ୍ଥାନରେ ମଧ୍ୟ ପୂଜା ପାଉଛନ୍ତି। ଏହି କ୍ରମରେ କଲମପୁର ବ୍ଲକ ଶାଗବାରି ଗ୍ରାମରେ ଥିବା ମାଁଙ୍କ ପୀଠରେ ବୁଧବାର ଦିନ ଦଶହରା ପୂଜା ସମାପନ ହୋଇଥିଲା। ଆଶ୍ୱିନ ମାସ କୃଷପକ୍ଷ ଅଷ୍ଟମୀ ତିଥିରେ ଜୁନାଗଡ଼ ବ୍ଲକ ବରଗାଁ ହରଗୌରୀ ପେଣ୍ଡ୍ରାଣୀ ଦେବୀଙ୍କ ପୀଠରୁ ଆଜ୍ଞାମାଳ ଆସିବା ପରେ ଶାଗବାରୀ ଠାରେ ଥିବା ମାଁଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଥାଏ। ମାଁ ହରାଗୌରୀଙ୍କ ସହ ଲୁହା ଗଡେନ ଦେବୀ ଓ ଘରଝିଆ ଦେବତା ଏକତ୍ର ପୂଜା ପାଇଥାନ୍ତି। ନବରାତ୍ରି ସମୟରେ ପ୍ରବଳ ଜନସମାଗମ ହୋଇ ଆସୁଥିବା ବେଳେ ମାନସିକଧାରିମାନେ ବିଭିନ୍ନ ପ୍ରକାରର ବଳି ଭୋଗ ମା’ଙ୍କ ଉଦ୍ଧେଶ୍ୟରେ ଅର୍ପଣ କରିଥାନ୍ତି। ପୂଜକଙ୍କ ଶରୀରରେ କାଳିସୀ ଲାଗିବା ପରେ ମାଁ ଲୋକଙ୍କ ନିକଟରେ ଆବିର୍ଭାବ ହୋଇ ଶ୍ରଦ୍ଧାଳୁଙ୍କ ମନୋବାଞ୍ଚା ପୂର୍ଣ୍ଣ କରିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି, ସପ୍ତାହର ରବିବାର ଦିନ ମାନଙ୍କରେ ମଧ୍ୟ ସେହିଭଳି ପୂଜା ହୋଇଥାଏ। ମା’ଙ୍କ ନବରାତ୍ର ପୂଜକ ଭାବରେ ଜୁନାଗଡ଼ ବ୍ଳକ ପାଣିଗାଁର ତୀର୍ଥରାଜ ରଣା ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜକ ସୁଦର୍ଶନ ମାଝି, ଶିରା ମସ୍ତରାମ ମାଝି, ଲାଠି ବାହକ ଦିବାକର କାଣ୍ଡ, କର୍ତ୍ତା କେଶବ ମାଝି, ସଭାପତି ଭୀଷ୍ମ ମାଝି, ସହଯୋଗୀ ପିତାମ କାଣ୍ଡ, ଗଙ୍ଗାଧର ସାହୁ, ସୁଧାଂଶୁ ସାହୁ, ଘାସିରାମ ଜାଳ, ଜୟଲାଲ ଜାଲ, ଗୋବିନ୍ଦ ମାଝି, ନରେନ୍ଦ୍ର ମାଝି, ସୁମନ୍ତ ସାହୁ ପ୍ରମୁଖ ମା’ଙ୍କ ପୂଜା କାର୍ଯ୍ୟ ନିଷ୍ଠାପର ଭାବେ ସଂପର୍ନ୍ନ କରିଥିବା ବେଳେ ଦ୍ବିପହରରେ ମା’ଙ୍କ ଠାରେ ଲାଗିଥିବା ଭୋଗ ସମସ୍ତେ ଗ୍ରହଣ କରିଥିଲେ। ଏହି ଯାତ୍ରା ଦେଖିବା ପାଇଁ ଆଖ ପାଖ ଗ୍ରାମରୁ ଲୋକଙ୍କ ଭିଡ଼ ଜମିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.