ଦେଶର କୋଟି କୋଟି ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଭେଟି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଦେଶର କୋଟି କୋଟି ଗରିବ ଲୋକଙ୍କୁ ଦୀପାବଳି ଉପହାର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶର କୋଟି କୋଟି ଗରିବ ଲୋକଙ୍କୁ ସରକାର ମାଗଣାରେ ରାସନ ଯୋଗାଇବେ। ଆଗକୁ ଦୀପାବଳି ଗୋଟିଏ ସପ୍ତାହ ବାକି ଥିବା ବେଳେ ଏହି ଯୋଜନାରେ ସମ୍ପ୍ରସାରଣ ଘୋଷଣା କରି ଗରିବ ଲୋକମାନଙ୍କୁ ସରକାର ଉପହାର ଦେଇଛନ୍ତି। ଚଳିତ ମାସରେ ଛତିଶଗଡ଼ରେ ନିର୍ବାଚନ ହେବାକୁ ଯାଉଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ଭୋଟ୍ ନଭେମ୍ବର ୭ ଏବଂ ନଭେମ୍ବର ୧୭ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ମଧ୍ୟ ନିର୍ବାଚନ ସହ ଜଡିତ ଅଛି। କରୋନା ମହାମାରୀ ପରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ। କରୋନା ମହାମାରୀ ପରେ ଲକଡାଉନ୍ ସମେତ ଅନେକ କଠୋର ପ୍ରତିବନ୍ଧକ ଲଗାଯାଇଥିଲା। ଏହି କାରଣରୁ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଥିଲା। ବିଶେଷକରି ଗରିବମାନେ ଖାଦ୍ୟ ଓ ପାନୀୟ ସଙ୍କଟର ସମ୍ମୁଖୀନ ହୋଇଥିଲେ। ଏଭଳି ପରିସ୍ଥିତିରେ ପିଏମ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗରିବ ଜନସଂଖ୍ୟାକୁ ସାହାଯ୍ୟ କରିବା ପାଇଁ ମାଗଣା ରାସନ ଯୋଜନା ଆରମ୍ଭ କରିଥିଲେ। କୁହାଯାଉଛି ଯେ ୮୦ କୋଟି ଦେଶବାସୀ ଏହି ଯୋଜନାର ସୁଯୋଗ ନେଉଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.