ତିନିମାସର ପିଡ଼ିଏସ ଚାଉଳ ନ ପାଇ ବ୍ଲକର ଦ୍ୱାରସ୍ଥ ହେଲେ ଆଇଁଳି ଗ୍ରାମର ହିତାଧିକାରୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜଣେ ବି କେହି ଭୋକିଲା ରହିବେ ନାହିଁ ବୋଲି ସରକାର ଲୋକଙ୍କୁ ମାଗଣାରେ ରାସନ ଦେଉଛନ୍ତି। ହେଲେ ସେହି ଗରିବଙ୍କ ଚାଉଳ ବାଟମାରଣା କରି ଖାଇବା ସହ ମାଲେମାଲ ହେଉଛନ୍ତି ଯୋଗାଣ ବିଭାଗର କର୍ମଚାରୀ। ଏଥିରେ କିଛି ନିର୍ବାଚିତ ପ୍ରତିନିଧିଙ୍କ ସମ୍ପୃକ୍ତି ଥିବାର ମଧ୍ୟ ଅଭିଯୋଗ ହୁଏ। ଏମିତି ଅଭିଯୋଗ ଆଣି ଆଜି କୋକସରା ବ୍ଲକର ଦ୍ୱାରସ୍ତ ହୋଇ ବିଡ଼ିଓଙ୍କ ଅନୁପସ୍ଥିତରେ ଯୋଗାଣ ନିରୀକ୍ଷକଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି କିଛି ହିତାଧିକାରୀ। ଅଭିଯୋଗ ଅନୁସାରେ, ଲଡ଼ୁଗାଁ ପଞ୍ଚାୟତ ଆଇଁଳି ଗ୍ରାମର ପ୍ରାୟ ୧୪୦ ରୁ ଉର୍ଦ୍ଧ ହିତାଧିକାରୀ ତିନି ମାସର ଚାଉଳ ପାଇନାହାନ୍ତି। ଚାଉଳ ପାଇଁ ପ୍ରାୟ ୪ କିମି ଚାଲି ଚାଲି ଓ ସାଇକଲ୍ ରେ ହିତାଧିକାରୀ ନିର୍ଦ୍ଦିଷ୍ଟ ଦିନ ମାନଙ୍କରେ ପଞ୍ଚାୟତକୁ ଯାଇ ଫେରି ଆସିଛନ୍ତି। ଯାହାକି ସରକାରଙ୍କ ଖାଉଟି କଲ୍ୟାଣ ଯୋଜନାକୁ ଉପହାସ କରୁଛି। ହିତାଧିକାରୀଙ୍କ କହିବାନୁଯାୟୀ ପଞ୍ଚାୟତ କତୃପକ୍ଷ ଆମକୁ “ଏଲଟମେଣ୍ଟ କମ୍ ଆସିଛି। ଆସନ୍ତା ମାସ ଏଲଟମେଣ୍ଟ ଆସିଲେ ଆପଣମାନଙ୍କ ଚାଉଳ ଦିଆଯିବ କହି ଫେରାଇ ଦେଉଛନ୍ତି। ଏ ନେଇ ହିତାଧିକାରୀ ଲଡ଼ୁଗାଁ ସରପଞ୍ଚ, କୋକସରା ଯୋଗାଣ ନିରୀକ୍ଷକ ଓ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଏଲଟମେଣ୍ଟ ଅନୁଯାୟୀ ଚାଉଳ ଉଠାଣ ପରେ ବି କାହିଁକି ହିତାଧିକାରୀଙ୍କୁ ଚାଉଳ ଦିଆଯାଇନାହିଁ ତାହା ଏବେ ହଡପ ହୋଇଥିବା ସନ୍ଦେହ ହେଉଛି। ହିତାଧିକାରୀଙ୍କୁ ତାଙ୍କ ବକେୟା ଚାଉଳ ତୁରନ୍ତ ଦିଆନଗଲେ ବ୍ଲକ ସମ୍ମୁଖରେ ଧାରଣା ଓ ଆନ୍ଦୋଳନ କରାଯିବ ବୋଲି ଗ୍ରାମର ପଦ୍ମା ରାଉତ, ହେମ ରାଉତ, ଭବାନୀ ନାଏକ, ସରସ୍ବତୀ ରାଉତ, ବୃନ୍ଦା ନାଏକ, ୱାର୍ଡ ସଭ୍ୟ ରାଜେଶ କୁମାର ସାହୁ, ବିଷ୍ଣୁ ପ୍ରସାଦ ମାଝୀ, ୱାର୍ଡ ସଭ୍ୟା ଭୂମିସୁତା ମାଝୀ, ଜେମାମଣି ବାଣୁଆ, ଦମୁ ଦିଶାରୀ, ଚନ୍ଦ୍ରକାନ୍ତି ମାଝୀ, ସାନ ନାଏକ, ବରୁଣ ରାଉତ, ରଜନୀ ରାଉତ କହିଛନ୍ତି। ଏନେଇ ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ ତଦନ୍ତ କରି ଦିନେ ଦୁଇ ଦିନ ମଧ୍ୟରେ ଚାଉଳ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.