ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ତହସିଲ ଅଧୀନ ବେଲଗାଁ ରାଜସ୍ବ ସର୍କଲ ସ୍ଥିତ ଭିକାବାହାଲି ମୌଜା ଠାରେ ଥିବା ଗୋଚର ଜମିକୁ ଜନୈକ ବ୍ୟକ୍ତି ବେଆଇନ ଭାବରେ ଜବର ଦଖଲ କରି ସିମେଣ୍ଟ କଂକ୍ରିଟର ନିର୍ମାଣ କାର୍ଯ୍ୟ କରି ପିଚୁ ପ୍ଲାଣ୍ଟ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ସଇଁତଲା ତହସିଲଦାରଙ୍କ ଠାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ପଯ୍ୟନ୍ତ କୋଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସାଧାରଣ ଅସନ୍ତୋଷ ସୃଷ୍ଟି ହେଉଛି। ଏହି ଗୋଚର ଜମି ଜବର ଦଖଲ ଫଳରେ ଗାଈଗୋରୁ ଚରିବାର ଦୂର କଥା ଲୋକେ ଶୌଚ ଯିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ବାବଦରେ ସ୍ୱର ଉତ୍ତୋଳନ କରିବାକୁ ଗଲେ ସମ୍ପୃକ୍ତ ଜବର ଦଖଲକାରୀ ଲୋକଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହେଉଛି। ଏପରିକି ଜବର ଦଖଲକାରୀ ବ୍ୟକ୍ତି ଜଣକ ଉକ୍ତ ଜମିରେ ପିଚୁ ପ୍ଲାଣ୍ଟ ସ୍ଥାପନ ନେଇ ଯୋଜନା କରୁଥିବା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ କୁହୁଳୁ ଥିବା ଦେଖାଦେଇଛି। ଏହି ସ୍ଥାନରେ ପିଚୁ ପ୍ଲାଣ୍ଟ ସ୍ଥାପନ କରାଗଲେ ସ୍ଥାନୀୟ ପଞ୍ଚାୟତ ଅଞ୍ଚଳରେ ପ୍ରଦୂଷିତ ହେବା ସହ ଲୋକେ ନାନା ସ୍ୱାସ୍ଥ୍ୟଜନିତ ରୋଗରେ ପୀଡିତ ହେବାର ସମ୍ଭାବନାକୁ ଏଡାଇ ଦିଆଯିବ ନାହିଁ ବୋଲି ବୃଦ୍ଧିଜୀବି ମହଲରେ ଆଲୋଚନା ଦେଖାଦେଇଛି। ଏ ନେଇ ତହସିଲଦାର ମାନସଫିଲ କେରକେଟାଙ୍କୁ ଯୋଗାଯୋଗ କରିବାରୁ ଫୋନ ଉଠାଇ ନ ଥିଲେ। ଉକ୍ତ ଜବରଦଖଲ କାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।