ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନବାଚୀ

ଓଡ଼ିଆ ବାର୍ତ୍ତା/ ପାଟଣା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି ତଥା ହିନ୍ଦୁସ୍ଥାନୀ ଆବାମ ମୋର୍ଚ୍ଚାର ମୁଖ୍ୟ ଶୁକ୍ରବାର ଏକ ବଡ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦିଆଯାଉଥିବା ଖାଦ୍ୟରେ ‘ବିଷାକ୍ତ ପଦାର୍ଥ’ ମିଶାଯାଉଛି। ଯେଉଁମାନେ କି “ତାଙ୍କ ଚେୟାର ଉପରେ ନଜର ରଖିଛନ୍ତି”। ଅଧିକ ତଥ୍ୟ ନଦେଇ ଜିତନ ରାମ ଏଭଳି ଅଭିଯୋଗ ଆଣିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ନୀତୀଶ କୁମାରଙ୍କ ମାନସିକ ସ୍ଥିତି ବିଗିଡ଼ିବାରେ ଲାଗିଛି ବୋଲି ସେ ଦାବି କରିବା ସହ ନିକଟରେ ଘଟିଥିବା ଏକ ଘଟଣାକୁ ଦର୍ଶାଇଛନ୍ତି, ଯେଉଁଥିରେ ନୀତୀଶ କୁମାର ବିଧାନସଭାରେ ତାଙ୍କୁ କଡା ସମାଲୋଚନା କରିଥିଲେ। କିଛି ବିଜେପି ନେତା ମଧ୍ୟ ମାଞ୍ଝିଙ୍କ ଚିନ୍ତାକୁ ଦୋହରାଇ ନୀତୀଶଙ୍କ ଡାକ୍ତରୀ ପରୀକ୍ଷା ଆବଶ୍ୟକ ବୋଲି ଦାବି କରିଛନ୍ତି। ବିଜେପି ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ କହିଛନ୍ତି ଯେ ନୀତୀଶ କୁମାର ବିହାରର ଗଣତନ୍ତ୍ର ପାଇଁ ବିପଜ୍ଜନକ ହୋଇପଡ଼ିଛନ୍ତି ଏବଂ ତାଙ୍କୁ ବିଶ୍ରାମ ନେବାର ଆବଶ୍ୟକତା ରହିଛି।

ବିହାରରେ ଦେଖାଦେଇଥିବା ‘ବିବାଦ ପରିସ୍ଥିତି’ ସମ୍ପର୍କରେ ଅବଗତ କରାଇବା ପାଇଁ ଶନିବାର ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିବେ ବୋଲି ମଧ୍ୟ ମାଞ୍ଝି କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏସବୁ କେବଳ ଅଭିଯୋଗ ଏବଂ ଏହାର ସପକ୍ଷରେ କୌଣସି ପ୍ରମାଣ ନାହିଁ। ତେବେ ଏହି ଅଭିଯୋଗ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ଯ, ଜାତିଗତ ଜନଗଣନା ବାବଦରେ ବିଧାନସଭାରେ ବିଲ୍ ଉପସ୍ଥାପନ କରୁଥିବା ବେଳେ ନୀତୀଶ କୁମାର ନାରୀ ଶିକ୍ଷା ଏବଂ ଜନ୍ମ ନିୟନ୍ତ୍ରଣ ବାବଦରେ ନିଜର ଆଭିମୁଖ୍ୟ ରଖୁଥିବା ବେଳେ କିଭଳି ଶିକ୍ଷିତ ନାରୀଙ୍କ ପାଇଁ ଜନ୍ମହାର କମିଛି କହିଥିଲେ। କିନ୍ତୁ ଏ ବାବଦରେ କହିବା ପରେ କିଛି ଆପତ୍ତିଜନକ ମନ୍ତବ୍ୟ ରଖିଥିଲେ। ପରେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ନୀତୀଶଙ୍କୁ ଘେରାବନ୍ଦୀ କରିଛନ୍ତି। ପରେ ନୀତୀଶ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ଅନ୍ୟପଟେ ବିଧାନସଭାରେ କହିଥିଲେ ତାଙ୍କ ଭୁଲ ପାଇଁ ଜିତନ ରାମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ବିବାଦ ତେଜିଛି। ଜିତନ ରାମ ମହାମେଣ୍ଟରେ ଥିଲେ ଏବେ କିନ୍ତୁ ମେଣ୍ଟରୁ ଓହରି ବିଜେପି ସହିତ ରହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.